ଚନ୍ଦ୍ରବାବୁ ନେଲେ ଚରମ ନିଷ୍ପତି । ଏନଡିଏର ହାତ ଛାଡିଲା ଟିଡିପି

36

କନକ ବ୍ୟୁରୋ: ଚନ୍ଦ୍ରବାବୁ ନେଲେ ଚରମ ନିଷ୍ପତି । ଏନଡିଏର ହାତ ଛାଡିଲା ଟିଡିପି । ଏନଡିଏ ଛାଡିବା ନେଇ ଆଜି ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ନମିଳିବା ନେଇ ଏନଡିଏ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛି ତେଲଗୁ ଦେଶମ୍ ପାର୍ଟି । ଟିଡିପି ପଲିଟ ବ୍ୟୁରୋ ସଦସ୍ୟଙ୍କ ସହମତି ପରେ ଏନଡିଏ ମେଂଟରୁ ଓହରିବା ନେଇ ଚରମ ନିଷ୍ପତି ନେଇଛନ୍ତି ଚନ୍ଦ୍ରବାବୁ । ଏହି ପ୍ରସଙ୍ଗ ନେଇ କିଛି ଦିନ ତଳେ ମୋଦି ମନ୍ତ୍ରୀମଣ୍ଡଳରୁ ଓହରି ଯାଇଥିଲା ଟିଡିପି । ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ ଦୁଇ ଜଣ ଟିଡିପି ସାଂସଦ ।

ଏନଡିଏରୁ ସମର୍ଥନ ପ୍ରତ୍ୟାହାର ସହ ଆଜି ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଣିପାରେ ଟିଡିପି । ତେବେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣିବ ୱାଇଏସଆର କଂଗ୍ରେସ । ତେଣୁ ଯଦି ଟିଡିପି ଅନାସ୍ଥା ପ୍ରସ୍ତାବ ନଆଣେ ତେବେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେବା ଏକପ୍ରକାର ନିଶ୍ଚିତ ହୋଇଛି । ଯଦିଓ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଏନଡିଏକୁ ଏ ନେଇ କୌଣସି ବିପଦର ଆଶଙ୍କା ନାହିଁ ତଥାପି ଏହା ମୋଦି ସରକାରକୁ ଏକ ଝଟକା ବୋଲି କୁହାଯାଇପାରେ ।

ଟିଡିପିର ୧୬ ଜଣ ସାଂସଦ ଏନଡିଏରୁ ଓହରିଗଲେ ସରକାର ଭାଙ୍ଗିବା ଆଶଙ୍କା ନଥିଲେ ମଧ୍ୟ ମେଂଟ ସରକାର ପାଇଁ ଏହା ଶୁଭ ସଙ୍କେତ ନୁହେଁ ବୋଲି ବିଚାର କରାଯାଉଛି । ଏପଟେ ୱାଇଏସଆର କଂଗ୍ରେସର ମୁଖ୍ୟ ଜଗନମୋହନ ରେଡି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ଅନ୍ୟ ସବୁ ଦଳର ସମର୍ଥନ ଲୋଡିଛନ୍ତି ।