ଏନଡିଏରୁ ଅଲଗା ହୋଇପାରେ ଟିଡିପି ! ଆଜି ଚୂଡାନ୍ତ ନିଷ୍ପତି ନେବେ ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ନଦେବା ପ୍ରସଙ୍ଗରେ ଚରମ ନିଷ୍ପତି

43

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ନମିଳିବା ନେଇ ଏନଡିଏର ହାତ ଛାଡିପାରେ ବିଜେପି । ଆଜି ଏ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ତେଲଗୁ ଦେଶମ୍ ପାର୍ଟି ନେଇପାରେ ଚରମ ନିଷ୍ପତି । ନିକଟରେ ମୋଦି ମନ୍ତ୍ରୀମଣ୍ଡଳରୁ ଓହରି ଯାଇଥିବା ଟିଡିପି ଆଜି ବିଜେପି ନେତୃତ୍ୱାଧିନ ଏନଡିଏ ସହ ସମ୍ପର୍କ ଛିନ୍ନ କରିପାରେ । ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନେଇ ସରକାରଙ୍କ ବିରୋଧରେ ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣିବ ୱାଇଏସଆର କଂଗ୍ରେସ । ତେଣୁ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଟିଡିପି ଭୋଟ୍ ଦେବା ଏକପ୍ରକାର ନିଶ୍ଚିତ ବୋଲି ଜଣାପଡିଛି । ଗତକାଲି ଚନ୍ଦ୍ରବାବୁ ଟିଡିପି ସାଂସଦ, ବିଧାୟକ ଓ ପ୍ରମୁଖ ନେତାମାନଙ୍କ ସହ ଆଲୋଚନା କରିଛନ୍ତି । ଏନଡିଏ ସହ ସମ୍ପର୍କ ଛିନ୍ନ କରିବା ହିଁ ଏକମାତ୍ର ବିକଳ୍ପ ବୋଲି ଟିଡିପି ନେତାମାନେ ସହମତି ପ୍ରକାଶ କରିଥିବା ଜଣାପଡିଛି ।

ଯଦିଓ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଏନଡିଏକୁ ଏ ନେଇ କୌଣସି ବିପଦର ଆଶଙ୍କା ନାହିଁ ତଥାପି ଏହା ମୋଦି ସରକାରକୁ ଏକ ଝଟକା ବୋଲି କୁହାଯାଇପାରେ । ଟିଡିପିର ୧୬ ଜଣ ସାଂସଦ ଏନଡିଏରୁ ଓହରିଗଲେ ସରକାର ଭାଙ୍ଗିବା ଆଶଙ୍କା ନଥିଲେ ମଧ୍ୟ ମେଂଟ ସରକାର ପାଇଁ ଏହା ଶୁଭ ସଙ୍କେତ ନୁହେଁ ବୋଲି ବିଚାର କରାଯାଉଛି । ଏପଟେ  ୱାଇଏସଆର କଂଗ୍ରେସର ମୁଖ୍ୟ ଜଗନମୋହନ ରେଡି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ଅନ୍ୟ ସବୁ ଦଳର ସମର୍ଥନ ଲୋଡିଛନ୍ତି । ତେଣୁ ଚନ୍ଦ୍ରବାବୁଙ୍କ ଟିଡିପି ତାଙ୍କୁ ସମର୍ଥନ ଦେବା ଏକପ୍ରକାର ନିଶ୍ଚିତ ବୋଲି ସୂଚନା ମିଳିଛି ।

ଅପରପକ୍ଷେ, ବିହାର ଓ ଉତ୍ତରପ୍ରଦେଶ ଉପନିର୍ବାଚନରେ ବିଜେପିର ପରାଜୟକୁ ଉଲ୍ଲେଖ କରି ବିଜେପି ଓ ମୋଦି ସରକାରଙ୍କ ବିରୋଧରେ ଜନମତ ବଢ଼ିଚାଲିଛି ବୋଲି ଚନ୍ଦ୍ରବାବୁ ତାଙ୍କ ସାଂସଦମାନଙ୍କୁ କହିଛନ୍ତି ।ଏଣେ ଆସନ୍ତାକାଲି (ଆଜି)ସଂସଦରେ ସରକାରଙ୍କ ବିରୋଧରେ ଓ୍ଵାଇଏସଆର୍ କଂଗ୍ରେସ ଦଳ ଅନାସ୍ଥା ପ୍ରସ୍ଥାବ ଆଣିବ । ଅବଶ୍ୟ ଲୋକସଭାରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଉପଭୋଗ କରୁଥିବା ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଭାଙ୍ଗିଯିବା ପାଇଁ କୌଣସି ବିପଦର ଆଶଙ୍କା ନାହିଁ । ତେବେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ମାନ୍ୟତା ଦାବି ଉଠାଇ ଓ୍ଵାଇଏସଆର୍ କଂଗ୍ରେସ ଦଳ ମୁଖ୍ୟ ଜଗନ ପ୍ରସାଦ ରେଡି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବା ଲାଗି ଅନ୍ୟ ସବୁ ଦଳର ସମର୍ଥନ ଲୋଡ଼ିଛନ୍ତି । ଟିଡିପି ତାଙ୍କୁ ସମର୍ଥନ ଦେବ ବୋଲି ସୂଚନା ମିଳିଛି। ଲୋକସଭାରେ ଏନଡିଏ ସାଂସଦଙ୍କ ସଂଖ୍ୟା ୩୩୧ ରହିଥିବା ବେଳେ ରାଜ୍ୟସଭାରେ ୮୩ ଜଣ ସାଂସଦ ରହିଛନ୍ତି । ଲୋକସଭାରେ ଏନଡିଏ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ବଜାୟ ରଖିଥିବା ବେଳେ ରାଜ୍ୟସଭାରେ ଏହାର ଅତ୍ୟନ୍ତ ଦୁର୍ବଳ ସ୍ଥିତି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଅନ୍ତରାୟ ହୋଇଆସିଛି ।

ତେବେ ଲୋକସଭା କଥା ବିଚାର କଲେ, ଏନଡିଏରେ କେବଳ ବିଜେପିର ୨୭୫ ଜଣ ସାଂସଦ ରହିଥିବା ବେଳେ ସହଯୋଗୀ ଶିବସେନାର ୧୮ ଜଣ, ଟିଡିପିର ୧୬ ଜଣ, ଲୋକ ଜନଶକ୍ତି ପାର୍ଟିର ୬ଜଣ, ଶିରୋମଣି ଅକାଳୀ ଦଳର ୪ ଜଣ, ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ୩ ଜଣ ଏବଂ ଅପନା ଦଳ ଓ ସଂଯୁକ୍ତ ଜନତା ଦଳ(ଜେଡିୟୁ)ର ୨ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ତେବେ ମେଣ୍ଟର ପ୍ରମୁଖ ସହଯୋଗୀ ସାଜିଥିବା ଶିବସେନା ମହାରାଷ୍ଟ୍ର ରାଜନୀତି ସମେତ ବିଭିନ୍ନ ପ୍ରସଙ୍ଗରେ ବିଜେପି ସହ ଦୀର୍ଘ ଦିନ ଧରି ସମ୍ପର୍କ ତିକ୍ତ ରହିଛି । ଶିବସେନା ଓ ଟିଡିପି ଉଭୟ ମିଳିତ ଭାବେ ଏନଡିଏରୁ ଖସିଗଲେ ମେଣ୍ଟର ସଦସ୍ୟ ସଂଖ୍ୟା ୨୯୭କୁ ଖସି ଆସିବ । ତେବେ ସଂଖ୍ୟା ଦୃଷ୍ଟିରୁ ମେଣ୍ଟ ସରକାର ଭାଙ୍ଗିବାର କୌଣସି ଆଶଙ୍କା ନାହିଁ । କିନ୍ତୁ ଏହା ବିଜେପି ପାଇଁ ଶୁଭ ସଙ୍କେତ ନୁହେଁ ।