ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡିର ସମର୍ଥନ ଘୋଷଣା ! ସମର୍ଥନ ନିଷ୍ପତିକୁ ଖବରକାଗଜରେ ସମାଲୋଚନା କଲେ ତଥାଗତ

21

କନକ ବ୍ୟୁରୋ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡି ସମର୍ଥନ ଘୋଷଣା କରିଥିବା ବେଳେ ବିଜେଡି ସାଂସଦ ତଥାଗତ ଶତପଥୀଙ୍କ ଦୈନିକ ଖବର କାଗଜରେ ଏହାକୁ ସମାଲୋଚନା କରାଯାଇଛି । ଖବରରକାଗଜର ସମ୍ପାଦକୀୟରେ କୁହାଯାଇଛି ଯେ, ଓଡିଶାରେ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଛି ବିଜେପି ।

ଏଭଳି ପରିସ୍ଥିତିରେ ବିଜେପିର ସବୁ ପଦକ୍ଷେପକୁ ସମର୍ଥନ କରୁଥିବାରୁ ବିଜେଡିର ନିଜସ୍ୱ ସ୍ଥିତି ଦୁର୍ବଳ ହେବା ଆଶଙ୍କା ରହିଛି । ବିଜେପି ଏକତରଫା ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଥିବାରୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ମାନେ ବିରୋଧ କରିବା ସମ୍ଭାବନା ରହିଛି । କିନ୍ତୁ ଏଭଳି ଏକ ପରିସ୍ଥିତିରେ ବିଜେଡିର ସମର୍ଥନ ଦ୍ୱାରା ରାଜ୍ୟବାସୀଙ୍କୁ ଭୁଲ ବାର୍ତା ଯାଇପାରେ ।

କାରଣ ମହାନଦୀ, ପୋଲାଭରମ୍ ଇତ୍ୟାଦି ପ୍ରସଙ୍ଗରେ କେନ୍ଦ୍ରର ଆଭିମୁଖ୍ୟ ଏପର୍ଯ୍ୟନ୍ତ ରାଜ୍ୟର ସ୍ୱାର୍ଥବିରୋଧୀ ହୋଇ ରହିଛି । ସେପଟେ ରାଜ୍ୟର ବିଭିନ୍ନ ଯୋଜନାରେ ମଧ୍ୟ କାଟଛାଂଟ କରୁଛନ୍ତି କେନ୍ଦ୍ର ସରକାର । ତେଣୁ ଏଭଳି ଏକ ସମୟରେ ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ନବୀନ ସରକାରଙ୍କ ସମର୍ଥନକୁ ଭିନ୍ନ ଦୃଷ୍ଟିରେ ଦେଖାଯାଇପାରେ । ଓଡିଶା ବିରୋଧୀ ପ୍ରସଙ୍ଗରେ ଲଢିବା ପାଇଁ ବିଜେଡିର ଆନ୍ତରିକତା ନଥିବା ବାର୍ତା ଯାଇପାରେ ବୋଲି ତଥାଗତଙ୍କ ଖବରକାଗଜରେ ପ୍ରକାଶ ପାଇଛି ।