ତାମିଲନାଡୁରେ କ୍ଷମତା ଯୁଦ୍ଧ :୧୩୧ ବିଧାୟକଙ୍କୁ ଅଜ୍ଞାତ ସ୍ଥାନକୁ ପଠାଇଲେ ଶଶିକଳା

18

କନକ ବ୍ୟୁରୋ : ତାମିଲନାଡୁ କ୍ଷମତା ଯୁଦ୍ଧରେ ପନିରସେଲଭମଙ୍କ ଉପରେ ଶଶିକଳା ଭାରୀ ପଡୁଥିବା ଜଣାପଡିଛି । ୧୩୧ ବିଧାୟକଙ୍କୁ ଅଜ୍ଞାତ ସ୍ଥାନକୁ ପଠାଇ ଦେଇଛନ୍ତି ଶଶିକଳା । ପନିରସେଲଭମଙ୍କ ବିଦ୍ରୋହ ପରେ ଆଶଙ୍କିତ ହୋଇ ପଡିଥିବା ଶଶିକଳା ଗତକାଲି ଦଳୀୟ ମୁଖ୍ୟାଳୟରେ ଏକ ବୈଠକ ଡକାଇଥିଲେ । ତାଙ୍କ ସାଥିରେ ରହିବାକୁ ଦଳୀୟ ବିଧାୟକମାନଙ୍କୁ ସେ ବୈଠକରେ ନିବେଦନ କରିବା ସହ ପନିରସେଲଭମ୍ ଦଳକୁ ଧୋକା ଦେଇଥିବା ମଧ୍ୟ କହିଥିଲେ ।

ସେହିପରି ଶଶୀକଳା କହିଛନ୍ତି ଆମ୍ମା ଯେଉଁ ଦଳ ବିପକ୍ଷରେ ଲଢେଇ କରୁଥିଲେ ପନୀରସେଲଭମ ଶେଷରେ ସେହି ଦଳ ସହ ମିଶିଛନ୍ତି । ଏହାପରେ ୧୩୧ ଜଣ ଦଳୀୟ ବିଧାୟକଙ୍କୁ ବସ୍ ଦ୍ୱାରା ଏକ ଅଜ୍ଞାତ ସ୍ଥାନକୁ ପଠାଇ ଦେଇଛନ୍ତି ଶଶିକଳା । ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବା ଉଚିତ ବୋଲି ଗତକାଲି କହିଥିଲେ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ପନ୍ନିରସେଲଭମ । ଏହା ସହ ଦଳୀୟ ବିଧାୟକଙ୍କ ସମର୍ଥନରେ ବିଧାନସଭାରେ ସେ ଶକ୍ତି ଦେଖାଇପାରିବେ ବୋଲି ଚ୍ୟାଲେଂଜ୍ କରିବା ପରେ ଶଶିକଳା ଅଧିକ ସତର୍କ ହୋଇ ପଡିଛନ୍ତି । ସେପଟେ ରାଜ୍ୟପାଳ ବିଦ୍ୟାସାଗର ରାଓ ଆଜି ଚେନ୍ନାଇ ଫେରୁଛନ୍ତି । ତେଣୁ ଏହି ପରିସ୍ଥିତିରେ ତାଙ୍କ ନିଷ୍ପତି ଉପରେ ଅନେକ କିଛି ନିର୍ଭର କରୁଛି ।