ଶୌଚାଳୟ ତିଆରି କରିବା ପାଇଁ କଥା ଦେଇଥିଲେ ବାପା ! କଥା ନରହିବାରୁ ପୋଲିସ ଷ୍ଟେସନ୍ ପହଞ୍ଚିଲା ଝିଅ

170

ଆପଣଙ୍କର ନିଶ୍ଚୟ ମନେଥିବା ଅକ୍ଷୟ କୁମାର ଓ ଭୂମି ପଡ଼ନେକରଙ୍କ ସିନେମା ‘ଟୟଲେଟ୍ ଏକ ପ୍ରେମକଥା’ । ସିନେମାରେ ନାୟିକା ଶ୍ୱଶୁର ଘରେ ଶୌଚାଳୟ ନଖିବାରୁ ରାଗରେ ନିଜ ବାପଘରକୁ ଫେରିଯାଏ । ଆଉ ଶୌଚାଳୟ ତିଆରି ନହେଲେ ଘରକୁ ଫେରିବନି ବୋଲି ସ୍ୱାମୀଙ୍କୁ ସ୍ପଷ୍ଟ ମଧ୍ୟ କରିଦିଏ । ଏହି ସିନେମା ଲୋକଙ୍କୁ ବେଶ୍ ପସନ୍ଦ ଆସିବା ସହ ସମାଜକୁ ଏକ ବାର୍ତ୍ତା ମଧ୍ୟ ପହଞ୍ଚିଥିଲା । ତେବେ ଏପରି ଏକ ଘଟଣାର ପୁରନାବୃତ୍ତି ହୋଇଛି ତାମିଲନାଡ଼ୁରେ । ଜଣେ ଝିଅ ନିଜର ବାପା ବିରୋଧରେ ପୋଲିସ ଷ୍ଟେସନ୍ ପହଞ୍ଚିଛନ୍ତି ।

ତାମିଲନାଡ଼ୁର ରାମେଶ୍ୱରମରେ ଏକ ଅଜବ ଘଟଣା ଘଟିଥିବା ଦେଖିବାକୁ ମିଳିଛି  । ଦେଇଥିବା କଥାକୁ ବାପା ନ ରଖିବାରୁ ଝିଅ ଅଭିଯୋଗ କରିବା ପାଇଁ ପୁଲିସ ଷ୍ଟେସନରେ ପହଞ୍ଚିଥିଲା  । ସ୍କୁଲ ପୋଷାକରେ ୭ବର୍ଷୀୟ  ହନିଫା ଜାରାକୁ ଦେଖି ମହିଳା ପୁଲିସକର୍ମୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପରେ କାରଣ ପଚାରିବା ପରେ ବାପା ମୋତେ ଘରେ ଶୌଚାଳୟ ତିଆରି କରିବା ପାଇଁ କହି ଏ ପର୍ଯ୍ୟନ୍ତ ତିଆରି କରି ନାହାନ୍ତି । ସେଥିପାଇଁ ମୁଁ ତାଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ଚାହୁଁଛି ବୋଲି ନାବାଳିକା କହିବା ପରେ ମହିଳା ପୁଲିସକର୍ମୀ ପୂରା ମାମଲା ବୁଝି ପାରିଥିଲେ । ଯାହା ପରେ ମାମଲାଟି ଅମ୍ବଟ ନଗର ପାଳିକା ଅଧିକାରୀଙ୍କ ପାଖରେ ପହଞ୍ଚିଥିଲା । ପୂରା ମାମଲା ବିଷୟରେ ଜାଣିବା ପରେ ସେମାନେ ନାବାଳିକାର ପରିବାର ପାଇଁ ଶୌଚାଳୟ ତିଆରି କରିବାର ପ୍ରତିଶ୍ରୁତି ଦେଇଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଘରେ ଶୌଚାଳୟ ନଥିବାରୁ ବାପାଙ୍କୁ ବାରମ୍ବାର ଶୌଚାଳୟ ନିର୍ମାଣ କରିବା ପାଇଁ କହି ଚାଲିଥିଲେ ନାବାଳିକା । ଝିଅର ଜିଦ୍‌ ଦେଖି ବାପା ପରୀକ୍ଷାରେ ଭଲ ମାର୍କ ଆଣିଲେ ଶୌଚାଳୟ ନିର୍ମାଣ ହେବ ବୋଲି କହିଥିଲେ । ପରେ ନାବାଳିକା ଦିନ ରାତି ପାଠ ପଢ଼ି ଭଲ ମାର୍କ ଆଣିବା ସତ୍ତ୍ୱେ ମଧ୍ୟ ତା ବାପା ଶୌଚାଳୟ ତିଆରି କରି ନଥିଲେ । ଏତେଥର ଚେଷ୍ଟା କରି ବିଫଳ ହେବା ପରେ ଶେଷରେ ନିଜ ବାପାଙ୍କ ବିରୋଧରେ ଅଭିଯୋଗ କରିବା କଥା ଭାବିଥିଲେ ନାବାଳିକା ।