ପରାଜୟର କାରଣ ଖୋଜିବେ ମୋଦି ଓ ଶାହା ! ୨୦୧୯ରେ ବିଜୟ ପାଇଁ ବିଜେପି ନେତାଙ୍କୁ ଦେବେ ଗୁରୁମନ୍ତ୍ର ।

181

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ସକାଳ ସାଢେ ୯ଟାରେ ବିଜେପି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେବ । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ସମସ୍ତ ବିଜେପି ସାଂସଦ ବୈଠକରେ ଉପସ୍ଥିତ ରହିବେ । ଏଥିରେ ସାଂସଦ ମାନଙ୍କର ରଣନୀତି ବିଷୟରେ ବିଚାର ବିମର୍ଶ କରାଯିବ । ବୈଠକରେ ଅନେକ ବିଷୟରେ ତ ଆଲୋଚନା ହେବ କିନ୍ତୁ ସମସ୍ତଙ୍କ ନଜର ରହିଛି, ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନରେ ବିଜେପିର ପରାଜୟ ନେଇ ସାସଂଦ ମାନଙ୍କୁ କ’ଣ ସନ୍ଦେଶ ଦେଉଛନ୍ତି ।

କୁହାଯାଉଛି, ପରାଜୟକୁ ପଛରେ ପକାଇ ମୋଦି ଏହି ବୈଠକରେ ନିଜ ସାଂସଦମାନଙ୍କୁ ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ ଜିତିବା ପାଇଁ କିଭଳି ରଣନୀତି ଆପଣେଇବାକୁ ହେବ, ସେନେଇ ଗୁରୁମନ୍ତ୍ର ଦେବେ । ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଏମିତି ସମୟରେ ଦଳର ସାଂସଦ ମାନଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି, ଯେତେବେଳେ ବିଜେପି ୨୦୧୪ରେ ଶାସନ ଗାଦିରେ ବସିବା ପର ଠାରୁ ପ୍ରଥମଥର ପାଇଁ ମହତ୍ତପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡିଛି । ଯେଉଁଠି ଅନେକ ଦିନ ଧରି ବିଜେପିର ସରକାର ରହିଥିଲା । ଏହି ରାଜ୍ୟ ଗୁଡିକର ନିର୍ବାଚନ ଫଳାଫଳ ମଙ୍ଗଳବାର ଆସିଥିଲା ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ମୋଦି ଆଜି ବୈଠକରେ ନିର୍ବାଚନ ହାରିବାର କାରଣ ତର୍ଜମା କରିପାରନ୍ତି । ଏହା ସହ ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ କିଭଳି ରହିବ ବିଜେପିର ରୂପରେଖ ସେନେଇ ମଧ୍ୟ ନିଜ ମନ୍ତବ୍ୟ ରଖିପାରନ୍ତି ପ୍ରଧାନମନ୍ତ୍ରୀ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ସାଂସଦ ମାନଙ୍କୁ ସମ୍ବୋଧିତ କରିବେ । ଶାହା ବିଜେପି ରାଷ୍ଟ୍ରୀୟ ପଦାଧିକାରୀଙ୍କର ଏକ ବୈଠକ ଡକାଇଛନ୍ତି, ଯେଉଁଥିରେ ସେ ନିଜେ ଅଧ୍ୟକ୍ଷତା କରିବେ । ଏହି ବୈଠକରେ ସମସ୍ତ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ଏବଂ ସଂଗଠନ ମହାସଚିବ ମାନଙ୍କୁ ସାମିଲ ହେବା ପାଇଁ କୁହାଯାଇଛି ।