ଅଗଷ୍ଟ ୧୫ରୁ ଆରମ୍ଭ ହେବ ଦେଶବ୍ୟାପୀ ଚଢ଼ଉ

27

କନକ ବ୍ୟୁରୋ: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି । ଆଗାମୀ ଅଗଷ୍ଟ ୧୫ ତାରିଖରୁ ଏହି ଅଭିଯାନ ଆରମ୍ଭ ହେବ । ଦୁର୍ନୀତିରେ ସାମିଲ ଥିବା ଏବଂ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଧିକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅଧିକାରୀମାନଙ୍କ ସର୍ଭିସ ରେକର୍ଡ ଆଧାରରେ ଏ ବାବଦ ଫାଇଲ୍ ପ୍ରସ୍ତୁତ କରିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଭିଜିଲାନ୍ସ ବିଭାଗ ୫ ଅଗଷ୍ଟ ସୁଦ୍ଧା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ ବୋଲି ଜଣାପଡ଼ିଛି । ଦୁର୍ନୀତି ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଚାଲିଥିବା ଯାଞ୍ଚର ସ୍ଥିତି, ସେମାନଙ୍କ ଆଚରଣ ଏବଂ ବର୍ତ୍ତମାନର ସ୍ଥିତି ନେଇ ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି । ବିଭିନ୍ନ ବିଭାଗରେ କାର୍ଯ୍ୟରତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ ହେବାପରେ ସିବିଆଇ ଏବଂ ସିଭିସି ଦ୍ୱାରା ଏହାର ସମୀକ୍ଷା କରାଯିବ।

ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେବାପରେ ଅଗଷ୍ଟ ୧୫ ପରଠାରୁ ଦେଶବ୍ୟାପୀ ଚଢ଼ଉ ଆରମ୍ଭ ହେବ। କର୍ତ୍ତବ୍ୟରେ ଅବହେଳା କରୁଥିବା ଏବଂ ବେଆଇନ କାର୍ଯ୍ୟରେ ସାମିଲ ଅଧିକାରୀଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦରେ ରଖାଇ ଦିଆଯିବ ନାହିଁ ବୋଲି ମଧ୍ୟ ସରକାର ସତର୍କ କରାଇ ଦେଇଛନ୍ତି । ଏ ବାବଦରେ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛନ୍ତି ।

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ତାଲିକା ସିବିଆଇ ଏବଂ ସିଭିସିକୁ ପଠାଇ ଦିଆଯିବ ଏବଂ ସଂପୃକ୍ତ ଅଧିକାରୀଙ୍କ ଆଚରଣ ଉପରେ ଏହି ଦୁଇ ସଂସ୍ଥା ସମୀକ୍ଷା କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ । ଯେଉଁ ଅଧିକାରୀଙ୍କ ବିରୋଧରେ ମକଦ୍ଦମା ଚଳାଇବା ଜରୁରୀ, ସେ କ୍ଷେତ୍ରରେ ତତ୍କାଳ ପଦକ୍ଷେପ ଗ୍ରହଣ କରାଯିବ । ଦୁର୍ନୀତି ମାମଲାର ତଦନ୍ତ ପାଇଁ ୫୦ ବର୍ଷ ଧରି ଚାଲି ଆସିଥିବା ଆଇନ ବିଶେଷ ପ୍ରଭାବଶାଳୀ ନଥିବାରୁ ଏଥିରେ ପରିବର୍ତ୍ତନ ଆଣି ୬ ମାସ ମଧ୍ୟରେ ସରକାରୀ ଅଧିକାରୀଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାଗୁଡ଼ିକର ତଦନ୍ତ ଶେଷ କରିବାକୁ ବ୍ୟବସ୍ଥା କରାଯାଇଛି ।

ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ବିଳମ୍ବିତ ତଦନ୍ତ ପ୍ରକ୍ରିୟାର ସୁଯୋଗ ନେଉଥିବାରୁ ସରକାର ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ତେଣୁ ଦୁର୍ନୀତି ମାମଲାର ତଦନ୍ତ ଆରମ୍ଭ ହେବାମାତ୍ରେ ତଦନ୍ତକାରୀ ଅଧିକାରୀ ଏହାକୁ ୬ ମାସରେ ଶେଷ କରି ରିପୋର୍ଟ ଦେବାକୁ ହେବ । ଯଦି କୌଣସି ମାମଲାରେ ତଦନ୍ତ ସୀମା ବଢ଼ାଇବା ଆବଶ୍ୟକ ହୁଏ ତା’ହେଲେ ଏହା କେବଳ ୬ ମାସ ହିଁ ବଢ଼ିପାରିବ ।

ତେବେ ଏଥିପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ପର୍ଯ୍ୟାପ୍ତ କାରଣ ଦେଖାଇବାକୁ ପଡ଼ିବ । ପୂର୍ବରୁ ତଦନ୍ତର କୌଣସି ସମୟ ସୀମା ନଥିବାରୁ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଆଇନକୁ ଭୃକ୍ଷେପ କରୁନଥିଲେ । ଏଭଳି ଅଧିକାରୀମାନେ ଦଣ୍ଡିତ ହେଲେ ହିଁ ଅମଲାତନ୍ତ୍ରରେ ବ୍ୟାପକ ସୁଧାର ସମ୍ଭବ ହୋଇପାରିବ ବୋଲି ଗୃହ ମନ୍ତ୍ରାଳୟ ଗୁରୁତ୍ୱାରୋପ କରିଛନ୍ତି ।