ସ୍ୱର୍ଗଦ୍ୱାର ସଂପ୍ରସାରଣ ପ୍ରସଙ୍ଗ ! ଜିଲ୍ଲାପାଳଙ୍କୁ ପୁଣି ରିପୋର୍ଟ ମାଗିଲେ ଗୃହ ଓ ନଗର ଉନ୍ନୟନ ବିଭାଗ

21

କନକ ବ୍ୟୁରୋ : ସ୍ୱର୍ଗଦ୍ୱାର ସଂପ୍ରସାରଣ ପ୍ରସଙ୍ଗରେ ପୁଣି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ସରକାର । ସଂପ୍ରସାରଣ ପାଇଁ ଚିହ୍ନଟ ହୋଇଥିବା ଜାଗା ଓ ତାର ସ୍ଥିତାବସ୍ଥା ସମ୍ବନ୍ଧରେ ରିପୋର୍ଟ ତଲବ କରାଯାଇଛି । ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ପୁଣି ରିପୋର୍ଟ ମାଗିଛି ଗୃହ ଓ ନଗର ଉନ୍ନୟନ ବିଭାଗ । ସରକାରଙ୍କ ପକ୍ଷରୁ ଚିଠି ଆସିବା ପରେ ପିକେଡିଏ ଏନେଇ ରିପୋର୍ଟ ପ୍ରସ୍ତୁତ କରୁଛି, ଖୁବଶୀଘ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ତେବେ ସ୍ୱର୍ଗଦ୍ୱାର ସଂପ୍ରସାରଣ ନେଇ ପୂର୍ବରୁ ୧ ଦଶମିକ ୫୩୦ ଏକର ଜମି ଅଧିଗ୍ରହଣ କରିବା ନେଇ ଜିଲ୍ଲା ପ୍ରଶାସନ ଯୋଜନା କରିଥିବା ବେଳେ ଏବେ କିଛି ଅଧିକ ଜମି ଅଧିଗ୍ରହଣ କରିବା ନେଇ ଚିନ୍ତା କରୁଛି । ଜମିଗୁଡିକ ବ୍ୟକ୍ତିଗତ ଖାତାରେ ଥିବାରୁ ଏଥିପାଇଁ ଶହେ କୋଟିରୁ ଅଧିକ ଟଙ୍କା ଖର୍ଚ କରିବା ନେଇ ଯୋଜନା ପ୍ରସ୍ତୁତ ହୋଇଥିଲା । ତେବେ ପରବର୍ତୀ ସମୟରେ ସ୍ୱର୍ଗଦ୍ୱାରର ସର୍ବାଧିକ ଜମି ବେଆଇନ ଭାବେ ବ୍ୟକ୍ତିଗତ ମାଲିକାନାରେ ଥିବା ବେଳେ ଶ୍ରୀମନ୍ଦିର ଖାତାକୁ ଫେରିଛି ।

ତେଣୁ ସଂପ୍ରସାରଣ ପାଇଁ ଜମି ଅଧିଗ୍ରହଣରେ  ଏତେ ପରିମାଣରେ ଟଙ୍କା ଖର୍ଚ ହୋଇନପାରେ । ସେପଟେ ସଂପ୍ରସାରଣ ନକରି ସ୍ୱର୍ଗଦ୍ୱାର ଉନ୍ନତିକରଣ ପାଇଁ ଅଂଟା ଭିଡିଛି ପୌରସଂସ୍ଥା । ଏଥିପାଇଁ କାମ ମଧ୍ୟ ଆରମ୍ଭ କରିଛି । ତେବେ ସବୁ ଘଟଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ରିପୋର୍ଟ ପ୍ରସ୍ତୁତ କରୁଛି, ଖୁବ୍ଶୀଘ୍ର ସରକାରଙ୍କୁ ପ୍ରଦାନ କରାଯିବ ।