‘ସ୍ୱଚ୍ଛ ଭାରତ’ ଅଭିଯାନର ସବୁଠୁ ବଡ଼ ସତ ! ପ୍ରତି ୩ ଦିନରେ ଚାଲିଯାଉଛି ଜଣେ ସଫେଇ କର୍ମଚାରୀଙ୍କ ଜୀବନ ।

156

ଫେଲ୍ ମାରିଛି ‘ସ୍ୱଚ୍ଛ ଭାରତ’ ଅଭିଯାନ । ପଦାକୁ ଆସିଲା ୨୦୧୪ରୁ ଆରମ୍ଭ ହୋଇଥିବା ‘ସ୍ୱଚ୍ଛ ଭାରତ ଅଭିଯାନ’ର ଅସଲ ଚିତ୍ର । ଜାତୀୟ ସଫେଇ କର୍ମଚାରୀ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ହୋଇଥିବା ତଥ୍ୟ ଅନୁସାରେ ପ୍ରତି ୩ ଦିନରେ ଭାରତରେ ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହେଉଛି । ଯାହାକୁ ନେଇ  ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ନେଇ ବିରୋଧି ପ୍ରଶ୍ନ ଉଠାଛନ୍ତି । ଦେଶର ପାଖାପାଖି ୧୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଜାତୀୟ ସଫେଇ କର୍ମଚାରୀ ସଂଘ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ତେବେ ରିପୋର୍ଟ ମୁତାବକ ୨୦୧୭ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ପାଖାପାଖି ୨୨୧ ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏହାସହ ୧୯୯୩ ମସିହା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୧ ହଜାର ୭୬୦ ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କହୁଛି ।

୨୦୧୪ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ମୋଦି ସରକାର ‘ସ୍ୱଚ୍ଛ ଭାରତ’ ଅଭିଯାନ ପାଇଁ ୫୦ ହଜାର କୋଟି ଖର୍ଚ୍ଚ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ତେବେ ଏହି ଅଭିଯାନ ଦ୍ୱାରା ଦେଶର ସମସ୍ତ ଗ୍ରାମାଞ୍ଚଳରେ ୯ କୋଟି ସୌଚାଳୟ କରିବାକୁ ନିଷ୍ପତି ହୋଇଥିଲା । ଯାହା ମଧ୍ୟରୁ ୮ କୋଟି ସୌଚାଳୟ ବର୍ତ୍ତମାନ ସୁଦ୍ଧା ର୍ନିମାଣ ସରିଥିବା ଦାବି କରିଛି କେନ୍ଦ୍ର । କିନ୍ତୁ ମୋଦି ସରକାର ସୌଚାଳୟ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ସଫେଇ କର୍ମଚାରୀଙ୍କ ପାଇଁ ଅବହେଳା କରୁଛନ୍ତି । ତେବେ ଜାତୀୟ ସଫେଇ କର୍ମଚାରୀ ଆୟୋଗ ୩୬ଟି ରାଜ୍ୟକୁ ଏହି ବାବଦରେ ତଥ୍ୟ ମାଗିଥିଲେ ମଧ୍ୟ ଏଯାବତ୍ ସମ୍ପୂର୍ଣ୍ଣ ତଥ୍ୟ ମିଳି ପାରିନାହିଁ । ଅନ୍ୟପଟେ ଦିଲ୍ଲୀ କଂଗ୍ରେସ କମିଟି ଏହାକୁ ମୁଦ୍ଦା କରି କେନ୍ଦ୍ର ସରକାରଙ୍କୁ ନିଶାନା କରିଛି । ଦିଲ୍ଲୀ ପିସିସି ମୁଖ୍ୟ ମୁଖପାତ୍ର ଶର୍ମିଷ୍ଠା ମୁଖାର୍ଜୀ କହିଛନ୍ତି ଯେ, ଦୀର୍ଘ ୪ ବର୍ଷରେ ମୋଦି ସରକାର ସମସ୍ତ ଦିଗରେ ଫେଲ୍ ମାରିଛନ୍ତି । ଯାହାର ଆଉ ଏକ ନଗ୍ନ ଚିତ୍ର ଜନତାଙ୍କ ସମ୍ମୁଖକୁ ଆସିଛି ।