ଫିଲ୍ମ ଷ୍ଟାଇଲରେ ୪ ଜଣ ଯୁବକଙ୍କୁ ଉଠାଇନେଲା ପୁଲିସ ସ୍ପେଶାଲ ସ୍କ୍ୱାଡ୍! କିନ୍ତୁ ତାପରେ ଯାହା ହେଲା ତାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି

41

କନକ ବ୍ୟୁରୋ : ସକାଳୁ ସକାଳୁ ଏକ ଘରୋଇ ହଷ୍ଟେଲ ସାମ୍ନାରେ ପୋଲିସର ଡେରା ପକାଇଥିଲା । ଜଣ ଜଣ କରି ୪ ଜଣ ଯୁବକଙ୍କୁ ଗିରଫ କରି ନେଇଥିଲା । ଏହାର କିଛି ସମୟ ପରେ ସେହି ହଷ୍ଟେଲରେ ବିସ୍ଫୋରଣ ଶବ୍ଦ ହେବା ସହ ନିଆଁ ଲାଗି ଗଲା । ଭୁବନେଶ୍ୱର ବମିଖାଲ ଅଂଚଳରେ ଘଟିଛି ଏହି ଘଟଣା । ରହସ୍ୟମୟ ଯୁବକ ଓ ରହସ୍ୟମୟ ଭାବେ ଅଗ୍ନିକାଣ୍ଡକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ରବିବାର, ସମୟ ପାଖାପାଖି ସକାଳ ୭ଟା । ବ୍ୟସ୍ତବହୁଳ ରାଜଧାନୀର ବମିଖାଲ ଅଂଚଳରେ ଘରୋଇ ହଷ୍ଟେଲ ଘର ସାମନାରେ ଜଗି ରହିଥିଲା କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ୍ । ଜଣ ଜଣ କରି ୪ ଜଣଙ୍କୁ ଘର ଭିତରେ ପଶି ଉଠାଇ ନେଇଥିଲା ପୁଲିସ । ପୁରା ଫିଲ୍ମି ଷ୍ଟାଇଲରେ ସମସ୍ତଙ୍କ ମୁହଁରେ ମୁଖା ପିନ୍ଧାଇ, ହାତ ବାନ୍ଧି ନିଜ ହେପାଜତକୁ ନେଇଥିଲା । ପୁଲିସର ଷ୍ଟାଇଲ ଦେଖିଲେ ଲାଗୁଥିଲା ଯେମିତି ୪ ଜଣ ଯାକ କେଉଁ ଏକ ବଡ ଗ୍ୟାଙ୍ଗର ସହଯୋଗୀ । ହେଲେ ୪ଜଣ ଯୁବକଙ୍କୁ ପୁଲିସ କାହିଁକି ଉଠାଇନେଲା ? କେଉଁ ଲିଙ୍କରେ ଉଠାଇଲା ? ଏବଂ ଏମାନେ କିଏ ତାହା ଏବେବି ରହସ୍ୟ ଘେରରେ ।

ସମୟ ପାଖାପାଖି ୯ଟା । ୪ ଜଣ ଯୁବକଙ୍କୁ ଉଠାଇ ନେବାର ୨ ଘଣ୍ଟା ପରେ ଏହି ଘର ଭିତରେ ହଠାତ୍ ଘଟିଲା ଅଗ୍ନିକାଣ୍ଡ । ଘର ଭିତରେ କେହି ନଥିବା ବେଳେ, ୪ଥର ଜୋରରେ ଶବ୍ଦ କରି ଘରଟି ଜଳିବାକୁ ଲାଗିଲା । ଆଉ ଚାହୁଁ ଚାହୁଁ ନିଆଁ ଚାରିଆଡକୁ ବ୍ୟାପିଗଲା । ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିଥିଲା । ଆଉ ଜଣା ପଡିଲା ଯେଉଁ ଘର ଭିତରୁ ୪ଜଣ ରହସ୍ୟମୟ ଯୁବକଙ୍କୁ ଉଠାଇ ନେଇଥିଲା, ସେହି ଯୁବକ ମାନେ ହିଁ ନିଆଁ ଲାଗିଥିବା ଘରେ ଭଡା ରହୁଥିଲେ । ହେଲେ ଘର ଭିତରେ କେହି ନଥିବା ସମୟରେ ନିଆଁ କେମିତି ଲାଗିଲା ତାର ରହସ୍ୟ ବି ଜଣା ପଡିଲାନି ।

ଏହି ରହସ୍ୟମୟ ଯୁବକ ଓ ରହସ୍ୟମୟ ନିଆଁ ବାବଦରେ କୌଣସି ସୁରାକ ମିଳିନି । ମିଳିଥିବା ସୂଚନାନୁସାରେ ଏହି ୪ଜଣ ବ୍ୟକ୍ତିଙ୍କୁ ସେକ୍ସ ର୍ୟାକେଟ୍ ଲିଙ୍କ ନେଇ ପୁଲିସ ଉଠାଇ ନେଇଥିବା ଜଣା ପଡିଛି ।