ହୃଦରୋଗରେ ପୀଡିତ ୨ଦିନର ଶିଶୁ, ମୃତ୍ୟୁ ସହ କରୁଛି ସଂଘର୍ଷ ! ବାପାଙ୍କ ଟ୍ୱିଟ୍ ପରେ ସହାୟତାର ହାତ ବଢ଼ାଇଲେ ସୁଷମା ସ୍ୱରାଜ

30

କନକ ବ୍ୟୁରୋ : ଶେଷରେ ୩ ଦିନର ଶିଶୁପୁତ୍ର ଓମକୁ ମିଳିଲା ସହାୟତା । ଆଉ ଏହି ସହାୟତା ଯୋଗାଇଦେଇଛନ୍ତି ଖୋଦ୍ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଓମ ଶର୍ମା କିଏ ଆଉ ଓମକୁ କେଉଁ ସହାୟତା ମିଳିଲା । ଦେଖନ୍ତୁ ଜୀବନ ସହ ସଂଘର୍ଷ ଓ ସହାୟତାର ଏକ ନିଆରା କାହାଣୀ ।

ଜାନୁୟାରୀ ୨୩ ତାରିଖ । ମଧ୍ୟପ୍ରଦେଶର ଭୋପାଳରେ ଜନ୍ମ ହେଲା ଓମ୍ ନାମକ ଏହି ଶିଶୁପୁତ୍ର । କିନ୍ତୁ ବିଧିର ବିଡମ୍ବନା ଭାବେ ତାହା ଶରୀରରେ ଦେଖାଦେଇଥିଲା ଏକ ମାରାତ୍ମକ ବିଚିତ୍ରତା । ରକ୍ତ ପ୍ରବାହିତ ହେଉଥିବା ଧମନୀରେ ଅସୁବିଧା ଯୋଗୁଁ ରକ୍ତ ପ୍ରବାହିତ ଠିକ ଭାବେ ହୋଇପାରୁନଥିଲା । ଯାହା ଫଳରେ ଧିରେ ଧିରେ ମୃତ୍ୟୁ ସହ ସଂଘର୍ଷ କରୁଥିଲା ଓମ୍ ।

ଭୋପାଳର ଡାକ୍ତରମାନେ ବି ଏହି ଶିଶୁର ଜୀବନକୁ ନେଇ ଆଶା ଛାଡି ଦେଇଥିଲେ । ଆଉ ସରକାରଙ୍କ ସହାୟତା ଆଶାରେ ଟ୍ୱିଟ ଜରିଆରେ ବାପା ଦେବେଶ ଶର୍ମା ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ କରିଥିଲେ । ଦେବେଶଙ୍କ ଏହି ଟ୍ୱିଟ କିନ୍ତୁ ସୋସିଆଲ ମିଡିଆରେ ହୋଇଥିଲା ଭାଇରାଲ । ଆଉ ପ୍ରଧାନମନ୍ତ୍ରୀଙ୍କ ପାଖରୁ ପହଂଚିଥିଲା ବୈଦେଶିକ ମନ୍ତ୍ରୀ ସୁଷମାଙ୍କ ପାଖରେ ।

ସୁଷମା ଏହାପରେ ଶିଶୁଟିର ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ । ଆଉ ଏମ୍ସରେ ଚିକିତ୍ସା କରାଯିବ ବୋଲି ସ୍ପଷ୍ଟ କରିଥିଲେ । ଏହାପରେ ଶିଶୁଟିକୁ ଆମ୍ବୁଲାନ୍ସ ଯୋଗେ ବିମାନବନ୍ଦରକୁ ଆଣାଯାଇଥିଲା । ବଂଚିଯିବାର ଆଶା ନେଇ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ମଧ୍ୟ କରାଗଲା । ଆଉ ଏବେ ଏହି ଶିଶୁଟିର ଚିକିତ୍ସା ଚାଲିଛି ।