ନୂଆବର୍ଷରେ ବିଗିଡିଗଲେ କଂଗ୍ରେସ ନେତା ! କିଏ ନେଇଗଲା ସୁରବାବୁଙ୍କ ଫୁଲ ?

357

କନକ ବ୍ୟୁରୋ : ୨୦୧୮କୁ ବିଦାୟ ଦେଇ ନୂଆ ସକାଳରେ ନୂଆ ଆଶା ନେଇ ଆସିଛି ବର୍ଷ ୨୦୧୯ । ନବବର୍ଷ ଅବସରରେ ଚଳଚଞ୍ଚଳ ରହିଛି ରାଜଧାନୀ ଭୁବନେଶ୍ୱର । ବିଶେଷ କରି, ରାଜନୈତିକ ଦଳ ଗୁଡିକର ଶିବିରରେ ଦେଖିବାକୁ ମିଳିଛି ବେଶ ଉତ୍କଣ୍ଠା । ନେତାମାନଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ପାଇଁ ତାଙ୍କ ସମର୍ଥକମାନେ ହାତରେ ଫୁଲ ତୋଡା ନେଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏପରିକି ମନ୍ତ୍ରୀ, ବିଧାୟକମାନଙ୍କର ବାସଭବନ ଆଗରେ ମଧ୍ୟ ଆଜି ସକାଳୁ ସକାଳୁ ଭିଡ ପରିଲକ୍ଷିତ ହୋଇଥିଲା । 

ନବବର୍ଷ ଅବସରରେ କଂଗ୍ରେସ ଭବନରେ ମଧ୍ୟ ଭିଡ ଜମିଥିଲା । ବରିଷ୍ଠ ନେତା ସୁର ରାଉତରାୟ କଂଗ୍ରେସ ଭବନରେ ଉପସ୍ଥିତ ରହିବା ସହ ଦଳୀୟ କର୍ମୀ ମାନେ ତାଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଥିଲେ । ତେବେ ସାମାନ୍ୟ ଫୁଲ ତୋଡାକୁ  ନେଇ ହଠାତ୍ ରାଗିଯାଇଥିଲେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ଠିକ୍ ସମୟରେ ଫୁଲ ତୋଡା ନମିଳିବାରୁ ଦଳୀୟ କର୍ମୀମାନଙ୍କ ଉପରେ ରାଗିଯାଇଥିଲେ ସୁର ବାବୁ । ତେବେ କିଛି ସମୟ ପାଇଁ ସୁର ବାବୁଙ୍କ ମୁହଁରେ ହସ ଉଭାନ ହୋଇଯାଇଥିଲା । ତେବେ ଫୁଲ ତୋଡା ଆସିବା ପରେ ପୁଣି ଥରେ ନିଜ ଅନ୍ଦାଜକୁ ଫେରିଥିଲେ ସୁର ରାଉତରାୟ । ଏବଂ ରାଜ୍ୟବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ । 

ତେବେ ଏହି ଅବସରରେ ସୁର ବାବୁ କହିଥିଲେ ୨୦୧୯ କଂଗ୍ରେସ ପାଇଁ ଶୁଭଦାୟକ ହେବ । କେନ୍ଦ୍ରରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବେ । କଂଗ୍ରେସକୁ ବହୁମତ ମିଳିବା ସହ ସେହି ପୁରୁଣା ଡାଏଲଗ୍ କଂଗ୍ରେସ କମିଙ୍ଗ ବୋଲି କହିଥିଲେ ସୁର । ସେହିଭଳି ରାଜ୍ୟରେ ମଧ୍ୟ ନବୀନ ସରକାର ହଟିବ ଏବଂ ୨୦୧୯ କଂଗ୍ରେସକୁ ଓଡିଶାରେ କ୍ଷମତାକୁ ଆଣିବ ବୋଲି ସେ ଦୃଢୋକ୍ତି ବାଢିଛନ୍ତି । କଂଗ୍ରେସ ଜିତିବ ଏବଂ ନିରଞ୍ଜନ ପଟ୍ଟନାୟକ ଓଡିଶାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ନୂଆବର୍ଷ ଅବସରରେ କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ।