ପରକୀୟା ପ୍ରୀତି ଅପରାଧ କି ନୁହେଁ ? ସୁପ୍ରିମକୋର୍ଟଙ୍କ ସଂକେତ ପରେ ଚାଲିଛି ବଡ ବିତର୍କ

87

କନକ ବ୍ୟୁରୋ : ବିବାହିତ ପୁରୁଷ ଅନ୍ୟ ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ ସଂପର୍କ ରଖିଲେ ଏହା ଅପରାଧ ନା ନୁହେଁ । ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ଚାଲିଥିବା ବେଳେ ଏହାକୁ ନେଇ ଚାଲିଛି ବଡ଼ ବିତର୍କ । ସୁପ୍ରିମକୋର୍ଟ ଟିପ୍ପଣୀ କରିଛନ୍ତି ଯେ ବ୍ୟଭିଚାର ନେଇ ଥିବା ଆଇନ ଅର୍ଥାତ୍ ଆଇପିସି ଧାରା ୪୯୭ ସମ୍ବିଧାନର ମୌଳିକ ଭାବନାକୁ କ୍ଷୁର୍ଣ୍ଣ କରୁଛି । ଏହି ଧାରା ଅନୁଯାୟୀ ବ୍ୟଭିଚାର ଅଭିଯୋଗରେ ଜଣେ ପୁରୁଷକୁ ୫ ବର୍ଷର ଜେଲଦଣ୍ଡ ବ୍ୟବସ୍ଥା ରହିଛି ।

ପରକୀୟା ପ୍ରୀତି ଅର୍ଥାତ ବିବାହିତ ପୁରୁଷ ଓ ବିବାହିତା ମହିଳାଙ୍କ ମଧ୍ୟରେ ଅନୈତିକ ସଂପର୍କ । ଏହା ଅପରାଧ କି ନୁହେଁ, ଏଥିରେ କେବଳ ପୁରୁଷଙ୍କୁ କାହିଁକି ଦଣ୍ଡିତ କରାଯିବ, ଏ ନେଇ ଚାଲିଛି ବଡ଼ ଧରଣର ବିତର୍କ । ୧୫୮ ବର୍ଷ ଧରି ଚାଲି ଆସିଥିବା ଏକ ବିଚାର ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ଯେତେବେଳେ ଆଇପିସି ଧାରା ୪୯୭ର ବୈଧତାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲାର ଶୁଣାଣି ହେଉଛି । ପ୍ରଧାନବିଚାରପତି ଦୀପକ ମିଶ୍ର ଖଣ୍ଡପୀଠ ଏହି ମାମଲାର ଶୁଣାଣି ବେଳେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ।

ଧାରା ୪୯୭ ସମ୍ବିଧାନର ମୂଳ ଭାବନାକୁ କ୍ଷୁର୍ଣ୍ଣ କରୁଛି
ବ୍ୟଭିଚାରକୁ ଏକ ଅପରାଧ ଭାବେ କାହିଁକି ଗ୍ରହଣ କରାଯିବ?
ଅନୈତିକ କାର୍ଯ୍ୟ ଭାବେ ଦେୱାନୀ ମାମଲା କାହିଁକି ହେବନାହିଁ?ଜଣେ ବିବାହିତ ପୁରୁଷ ଯଦି ଜଣେ ଅବିବାହିତ ମହିଳା ସହ ଅନୈତିକ ସଂପର୍କ ରଖୁଛି, ଏହା କ’ଣ ବିବାହର ପବିତ୍ରତାକୁ ନଷ୍ଟ କରୁନାହିଁ?
ତେବେ କ’ଣ ପାଇଁ ଧାରା ୪୯୭ର ବ୍ୟଭିଚାର ସଂଜ୍ଞା ମଧ୍ୟରେ ଏହା ସ୍ଥାନ ପାଇନାହିଁ?

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଉଠାଇଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ଧାରା ୪୯୭ର ବୈଧତା ଉପରେ ଅନେକ ପ୍ରଶ୍ନଚିହ୍ନ ଛାଡିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ ପରକୀୟା ପ୍ରୀତି ଜଣେ ମହିଳା କିମ୍ବା ପୁରୁଷକୁ ଛାଡ଼ପତ୍ର ଦେବା ପାଇଁ ଯଥେଷ୍ଟ କାରଣ ହୋଇପାରେ ବୋଲି ମତ ଦେଇଛନ୍ତି ଖଣ୍ଡପୀଠ ।

ସେପଟେ ଆଇପିସି ଧାରା ୪୯୭ ଅନୁଯାୟୀ ପରକୀୟା ସଂପର୍କ ମାମଲାରେ ପୁରୁଷଙ୍କୁ ୫ ବର୍ଷ ଜେଲ ବ୍ୟବସ୍ଥା ଥିବା ବେଳେ ସମାନ ଭୁଲ କରିଥିବା ମହିଳାଙ୍କ ବିରୋଧରେ ଦଣ୍ଡ ବ୍ୟବସ୍ଥା ନାହିଁ । ତେବେ ଏହି ଆଇନ ମହିଳାଙ୍କ ସପକ୍ଷରେ ନୁହେଁ, ବରଂ ଏହା ମହିଳା ବିରୋଧୀ ଆଇନ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କାରଣ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସଂପତି ଭାବେ ବିବେଚନା କରାଯାଉଥିବାରୁ ଏପରି ଆଇନ ହୋଇଥିବା ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ ।