ରାଫେଲ ରାଜନୀତିରେ ବିଜେପିର ବିଜୟ : ମୋଦି ସରକାରଙ୍କୁ ‘ସୁପ୍ରିମ୍’ କ୍ଲିନଚିଟ୍

ଅମିତ୍ ଶାହା କହିଲେ କ୍ଷମା ମାଗନ୍ତୁ ରାହୁଲ

208

କନକ ବ୍ୟୁରୋ : କେନ୍ଦ୍ରର ମୋଦି ସରକାରଙ୍କୁ ଆଜି ମିଳିଛି ବଡ ଆଶ୍ୱସ୍ତି । ଦୀର୍ଘ ଦିନ ହେବ ବିରୋଧୀ ଦଳ ଉଠାଇ ଆସିଥିବା ରାଫେଲ ଡିଲ ମାମଲାରେ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି ।  ରାଫେଲ ଡିଲ୍ ମାମଲାରେ କୌଣସି ଅନିୟମିତତା ହୋଇନଥିବା କହିଛନ୍ତି ମୁଖ୍ୟବିଚାରପତି । ସର୍ବୋଚ୍ଚ ନ୍ୟାୟାଳୟ ରାୟ ଶୁଣାଇବା ପରେ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା । ଅନ୍ୟପଟେ ରାହୁଲ କହିଛନ୍ତି ରାଫେଲ ଡିଲରେ ଦୁର୍ନୀତି ହୋଇଛି । ଏବଂ ଏଥିରେ ଦୁଇ ଜଣ, ମୋଦି ଓ ଅମ୍ବାନୀ ଦୋଷୀ ବୋଲି କହିଛନ୍ତି ରାହୁଲ ।

ରାଫେଲ ଦୁର୍ନୀତି ନେଇ ସୁପ୍ରିମକୋର୍ଟରେ ହୋଇଥିବା ସମସ୍ତ ଆବେଦନ ଖାରଜ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠ ନଭେମ୍ବର ୧୪ ତାରିଖରେ ଆବେଦନର ଶୁଣାଣି ଶେଷ କରିଥିଲେ । ତେବେ ଶୁକ୍ରବାର ଏହି ଡିଲରେ କୌଣସି ତ୍ରୁଟି ହୋଇନଥିବା ରାୟ ଦେଇଛନ୍ତି । କୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି

କ’ଣ କହିଲେ କୋର୍ଟ?

– ରାଫେଲ ଡିଲକୁ ନେଇ କୌଣସି ସନ୍ଦେହ ନାହିଁ

– ରାଫେଲ ବିମାନର ବିଶେଷତ୍ୱକୁ ନେଇ ସନ୍ଦେହ ନାହିଁ

– ଡିଲର ପୁରା ପ୍ରକ୍ରିୟାକୁ ଆମେ ତର୍ଜମା କରିସାରିଛୁ

– ରାଫେଲ ଲଢୁଆ ବିମାନ ଦେଶ ପାଇଁ ଜରୁରୀ

– ବିମାନର ଦର ଜାଣିବା ଆମ ପାଇଁ ଦରକାର ନାହିଁ

– କେତୋଟି ବିମାନ କିଣିବେ ସରକାରଙ୍କୁ କହିପାରିବୁନି

ତେବେ ରାଫେଲ ବିମାନର ମୂଲ୍ୟକୁ ନେଇ କୌଣସି ଟିପ୍ପଣୀ କରିନାହାନ୍ତି ସୁପ୍ରିମକୋର୍ଟ । ହେଲେ ମୂଳରୁ ଏହି ମୂଲ୍ୟକୁ ପ୍ରସଙ୍ଗ କରିଆସିିଛି କଂଗ୍ରେସ । ବିରୋଧୀ ଦଳର ଅଭିଯୋଗ ଅନୁସାରେ ୟୁପିଏ ଅମଳରେ ୧୨୬ଟି ବିମାନ କିଣିବାକୁ ଫ୍ରାନ୍ସ ସହ ଚୁକ୍ତି ହଇଥିବାବେଳେ ମୋଦି ସରକାର ଏହାକୁ ପରିବର୍ତନ କରି କେବଳ ୩୬ଟି ରାଫେଲ ବିମାନ ଫ୍ଲାଏ ୱେ କଣ୍ଡିସନରେ ଆଣିବା ଲାଗି ସାନି ଚୁକ୍ତି କଲେ । ଗତ ନଭେମ୍ବର ୧୫ ତାରିଖରେ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେବାଲା ଅଭିଯୋଗ କରିଥିଲେ ଯେ, ବିଭାଗୀୟ ଅଧିକାରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ପ୍ରତିରକ୍ଷା ଚୁକ୍ତି ସଂପର୍କୀୟ ମନ୍ତ୍ରୀ ପରିଷଦକୁ ଅନ୍ଧାରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାକୀ ଏହି ଡିଲ କରିଥିଲେ । ଏବଂ ବିମାନର ବେଂଚ ପ୍ରାଇସ ୩୯ ହଜାର ୪୨୨ କୋଟିରୁ ବଢାଇ ୬୨ ହଜାର ୧୬୬ କୋଟି କରିଦେଲେ । ଅନୀଲ ଅମ୍ବାନିଙ୍କ ରିଲାଏନ୍ସ ଡିଫେନ୍ସକୁ ଫାଇଦା ଦେବାଲାଗି ପ୍ରଧାନମନ୍ତ୍ରୀ ଏଭଳି କରିଥିବା ସେ ଅଭିଯୋଗ ଆଣିଥିଲେ ।

ଫ୍ରାନ୍ସ ସହ ରାଫେଲ ଡିଲରେ ବଡଧରଣ ଦୁର୍ନୀତି ହୋଇଥିବା କହି କଂଗ୍ରେସ ବାରମ୍ବାର ମୋଦି ସରକାର ଓ ଅନୀଲ ଅମ୍ବାନୀଙ୍କୁ ଟାର୍ଗେଟ କରିଆସୁଥିବେଳେ ଏହାର ତଦନ୍ତ ପାଇଁ ପ୍ରଥମେ ଆଇନଜୀବୀ ଏମ.ଏଲ. ଶର୍ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ୧୦ ଅକ୍ଟୋବରରେ ଆବେଦନର ଶୁଣାଣି କରି କୋର୍ଟ ୧୦ ଦିନ ଭିତରେ ବନ୍ଦ ଲଫାପାରେ ବିମାନର ଦର ବାବଦରେ ତଥ୍ୟ ଦାଖଲ କରିବାକୁ ମୋଦି ସରକାରଙ୍କୁ କହିଥିଲେ । ଏଥିସହ ପୁରା ପ୍ରକ୍ରିୟା ବାବଦରେ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ । ୮ ଅକ୍ଟୋବରରେ ଆପ୍ ରାଜ୍ୟସଭା ସାଂସଦ ସଂଜୟ ସିଂ ଓ ୨୪ ଅକ୍ଟୋବରରେ ଅରୁଣ ସୌରୀ, ଯଶୋବନ୍ତ ସିହ୍ନାଙ୍କ ସହ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ମିଳିତ ଆବେଦନ କରିଥିଲେ । ହେଲେ କୌଣସି ଯାଂଚର ଆବଶ୍ୟକତା ନଥିବା ଦର୍ଶାଇ କୋର୍ଟ ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି ।

ସେପଟେ ରାଫେଲକୁ ନେଇ ରାଜନୈତିକ ଲଢେଇରେ ବିଜେପିର ବିଜୟ ପରେ ବଦଳି ଯାଇଛି ରଣନୀତି । ଯୁଗ୍ମ ସଂସଦୀୟ କମିଟି- ଜେପିସି ଦ୍ୱାରା ତଦନ୍ତ ଦାବିରେ ହଙ୍ଗାମା କରୁଥିବା କଂଗ୍ରେସ ସମେତ ବିରୋଧୀ ପକ୍ଷକୁ ଘେରିବା ଲାଗି ବିଜେପିକୁ ମିଳିଯାଇଛି ମୌକା । ସଂସଦରେ ମଧ୍ୟ ଏହି ଚିତ୍ର ଦେଖିବାକୁ ମିଳିଛି । ରାଫେଲ ଡିଲକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ କରିଆସୁଥିବା ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ଦାବି କରି ଶାସକ ଦଳର ସଭ୍ୟଙ୍କ ନାରାବାଜିରେ କଂପିଛି ସଂସଦର ଉଭୟ ଗୃହ । ଯାହା ଆଗକୁ ଆହୁରି ତୀବ୍ର ହେବା ଅନୁମାନ କରାଯାଉଛି ।