ସୁନ୍ଦରୀ ଯାଇପାରିବନି ନନ୍ଦନକାନନ, ଉଠିଲା ଆପତ୍ତି

ସୁନ୍ଦରୀକୁ ସାତକୋଶିଆରୁ ସ୍ଥାନାନ୍ତରଣ ନେଇ ପ୍ରଶ୍ନ ଉଠାଇଲେ ସେଂଟ୍ରାଲ ଜୁ ଅଥରିଟି

169

କନକ ବ୍ୟୁରୋ : ସୁନ୍ଦରୀ ଆସିବନି ନନ୍ଦନକାନନ । ସୁନ୍ଦରୀକୁ ସାତକୋଶିଆରୁ ସ୍ଥାନାନ୍ତରଣ ନେଇ ପ୍ରଶ୍ନ ଉଠାଇଲେ ସେଂଟ୍ରାଲ ଜୁ ଅଥରିଟି । ଏନେଇ ପିସିସିଏଫ ଓଡିଶାକୁ ଚିଠି ଲେଖିଛନ୍ତି ସେଂଟ୍ରାଲ ଜୁ ଅଥରିଟି । ସାତକୋଶିଆରେ ଲୋକଙ୍କୁ ବାରମ୍ବାର ଆକ୍ରମଣ କରିବାରୁ ସୁନ୍ଦରୀକୁ ନନ୍ଦନକାନନକୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । କିଛି ଦିନ ତଳେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଗଣମାଧ୍ୟମରେ କହିଥିଲେ ସୁନ୍ଦରୀକୁ ଧରାଯିବା ପରେ ନନ୍ଦନକାନନ ଚିଡ଼ିଆଖାନାକୁ ଅଣାଯିବ ।

ନ୍ୟାସନାଲ ଜୁ ଅଥରିଟି ଏହି ବିଷୟରେ ଏକ ଅଭିଯୋଗ ଗ୍ରହଣ କରିଥିଲେ । ଯେଉଁଥିରେ ଅଭିଯୋଗକର୍ତ୍ତା ଅଜୟ ଦୁବେ(ବନ୍ୟଜନ୍ତୁ ସମ୍ପଦ କାର୍ଯ୍ୟକର୍ତ୍ତା) ଏହାକୁ ବେଆଇନ କହିଛନ୍ତି । ସେ ଏହା ଉପରେ ଆପତ୍ତି ଉଠାଇ ଲେଖିଛନ୍ତି କି, ନ୍ୟାସନାଲ ଜୁ ପଲିସି, ୧୯୯୮ର ପୃଷ୍ଠା ୩.୨.୧ ଅନୁସାରେ, ବଂଶବୃଦ୍ଧି ପାଇଁ କୌଣସି ବଣୁଆ ଜନ୍ତୁଙ୍କୁ ଚିଡିଆଖାନା ଅଣାଯିବା ଉଚିତ୍ ନୁହେଁ ।

 

ସୂଚନାଯୋଗ୍ୟ, ବାଘ ବଂଶବୃଦ୍ଧି ପାଇଁ ବାନ୍ଧବଗଡ଼ରୁ ସୁନ୍ଦରୀକୁ ଆଣାଯାଇଥିଲା। ହେଲେ ତା’ର ସ୍ୱଭାବରେ କୌଣସି ପ୍ରକାର ପରିବର୍ତ୍ତନ ଜଣାପଡିନଥିଲା । ତେଣୁ ତା’କୁ ଆଉ ସାତକୋଶିଆ ଭିତରେ ରଖିବାକୁ ଉଚିତ୍ ମଣିନଥିଲେ । ଟ୍ରାଙ୍କୁଲାଇଜ୍ କରାଯିବା ପରେ ସୁନ୍ଦରୀକୁ ନନ୍ଦନକାନନରେ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ମନ୍ତ୍ରୀ ଶ୍ରୀ ରାଉତରାୟଙ୍କ ସୂଚନା ପରେ ନନ୍ଦନକାନନରେ ସୁନ୍ଦରୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆଉ କେତେଜଣ ବିଶେଷଜ୍ଞଙ୍କ କହିବାନୁସାରେ, ଏନଟିସିଏ ନିୟମରେ ପ୍ରତିବନ୍ଧକ ସାଜିପାରେ ବୋଲି କହିଥିଲେ । ଜଙ୍ଗଲୀ ସୁନ୍ଦରୀକୁ ଜଙ୍ଗଲ ପରିବର୍ତ୍ତେ ନନ୍ଦନକାନନର ଖୁଆଡ଼ରେ ରଖିବାକୁ ଅନୁମତି ମିଳିନପାରେ। ପୂର୍ବରୁ ଜଙ୍ଗଲୀ ମହାବଳ ନନ୍ଦନ ଧରା ହେବା ବେଳେ ମଧ୍ୟ ଏଭଳି ସମସ୍ୟା ଉପୁଜିଥିଲା। ପରବର୍ତ୍ତୀ ସମୟରେ ସିଜେଡଏକୁ ରାଜି କରାଯାଇ ନନ୍ଦନ ଓ ବାଘୁଣୀ ମେଘାର ମିଳନ କରାଯାଇଥିଲା। ଏବେ ସାରା ସହ ମିଳନ ମଧ୍ୟ ସଫଳ ହୋଇଛି।