ଇବ୍ ନଦୀ ବନ୍ୟାରେ ବୁଡିଲା ସୁନ୍ଦରଗଡ ରାଣୀବଗିଚା : ପାଣିଘେରରେ ଶହଶହ ଲୋକ

32

କନକ ବ୍ୟୁରୋ : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡରେ ବନ୍ୟା ପରିସ୍ଥିତି । ଉପରମୁଣ୍ଡରେ ୬ଦିନ ଧରି ଲଗାତର ବର୍ଷା ହେବା ଯୋଗୁଁ ଇବ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ସୁନ୍ଦରଗଡ ସହରର ରାଣୀବଗିଚା, ମହାଦେବପଡା ଅଂଚଳରେ ବନ୍ୟା ପାଣି ପଶିଛି । ଏହି ଅଂଚଳରେ ରାସ୍ତାଘାଟରେ ପାଣି ଜମିଥିବା ବେଳେ ଘରେ ମଧ୍ୟ ପାଣି ପଶିଛି ।

ପୁରା ଅଂଚଳ ବନ୍ୟା ପାଣିରେ ବୁଡିକି ରହିଛି । ଚାରିଆଡେ ଖାଲି ପାଣି ଆଉ ପାଣି । ଘର ଦ୍ୱାର ସବୁଆଡେ ପାଣି ପଶି ଯାଇଥିବା ବେଳେ ଲୋକ ଆସବାବପତ୍ର ଧରି ଘର ଛାଡିଛନ୍ତି । ଲୋକେ ସ୍କୁଲ ଘର ଏବଂ ଅନ୍ୟ ସ୍ଥାନରେ ଆଶ୍ରୟ ନେଇଛନ୍ତି । ପିଏଚଡି ପମ୍ପ ହାଉସ ଏବଂ ୱାଟର ଟ୍ରିଟମେଂଟ ପ୍ଲାଂଟ ପାଣି ଘେରରେ ରହିଛି । ଫଳରେ ଖାଇବା ତ ଦୂରର କଥା ପିଇବା ପାଣି ପାଇଁ ମଧ୍ୟ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ସେପଟେ ସବଡେଗା ଅଂଚଳରେ ମଧ୍ୟ ବନ୍ୟା ପାଣି ମାଡି ଯାଇଛି । ଅଂଚଳର ମାଲିଡିହି ଓ ସୁଦର୍ଶନପୁରରେ ଚାଷ ଜମିରେ ପାଣି ମାଡି ଯାଇଥିବା ବେଳେ ମାଲିଡିହି ଗ୍ରାମବାସୀ ଜଳବନ୍ଦି ହୋଇ ରହିଛନ୍ତି ।