ସୁକମାରେ ନକ୍ସଲ-ପୁଲିସ ଗୁଳି ବିନିମୟ ! ୨ ଯବାନ ସହିଦ, ୩ ଆହତ

22

କନକ ବ୍ୟୁରୋ : ମାଲକାନଗିିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ଚିନ୍ତାଗୁମ୍ଫା ଅଞ୍ଚଳରେ ନକ୍ସଲ ଓ ପୁଲିସ ମଧ୍ୟରେ ଗୁଳି ବିନମୟ ଜାରି ରହିଛି । ଏଥିରେ ୨ଜଣ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଅପରପକ୍ଷେ, ପୁଲିସ ଗୁଳିରେ ୧୦ରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ପୁଲିସ ଅନୁମାନ କରୁଛି ।

ସୂଚନା ଅନୁଯାୟୀ ପୁଲିସ, ଏସଟିଏଫ, ଡିଆରଜି ଏବଂ ସିଆରପିଏଫ୍ ଯବାନମାନେ ଚିନ୍ତାଗୁମ୍ଫା ନିକଟ ତୋଣ୍ଡାମାର୍କା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଆଜି ଅପରାହ୍ନରେ ଯବାନଙ୍କ ଉପସ୍ଥିତି ଜାଣିପାରି ନକ୍ସଲ ଗୁଳିମାଡ଼ କରିଥିଲେ । ନକ୍ସଲ ଆମ୍ବୁସ ଲଗାଇ ଗୁଳିମାଡ଼ କରିବାରୁ ୫ ଜଣ ଯବାନ ଆହତ ହୋଇଥିଲେ ।

ଆହତ ଯବାନଙ୍କୁ ବାୟୁସେନା ହେଲିକପ୍ଟର ସାହାଯ୍ୟରେ ନିକଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଗୁରୁତର ଅବସ୍ଥାରେ ଆହତଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ଖବରପାଇ ବାୟୁସେବା ହେଲିକପ୍ଟରରେ ଅଧିକ ଯବାନଙ୍କୁ ଘଟଣାସ୍ଥଳରେ ଛଡ଼ାଯାଇଛି । ପ୍ରାୟ ୧୫୦୦ ଯବାନ ଜଙ୍ଗଲକୁ ଘେରି କମ୍ବିଂ ଅପରେସନ୍ ଚଳାଇଛନ୍ତି ।

ମଝିରେ ମଝିରେ ଗୁଳି ବିନିମୟ ଜାରି ରହିଥିବା ବେଳେ ଆହୁରି ଅଧିକ ଯବାନ ଆହତ ହୋଇଥବା ସୂଚନା ମିଳିଛି । ଅପରପକ୍ଷେ, ପୁଲିସର ଏହି ଅପରେସନ ‘ପ୍ରହାର’ରେ ୧୦ରୁ ଉର୍ଦ୍ଧ୍ୱ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଇଛି । ସର୍ଚ୍ଚ ଅପରେସନ ଜାରି ରହିଥିବା କାରଣରୁ ମୃତାହତ ନକ୍ସଲଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନି ।