ସୋସିଆଲ ମିଡିଆ ଦୂର କଲା ସମସ୍ୟା ! ଆତ୍ମହତ୍ୟା ଧମକର ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ମୁଣ୍ଡରେ ଫଶିଲା ଚେତା

28

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଆତ୍ମହତ୍ୟା କରିବା ପାଇଁ ଧମକ । ଆଜି ଦିନ ତମାମ୍ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଘୁରି ବୁଲୁଥିଲା । ଯେଉଁଥିରେ ଜଣେ ବ୍ୟକ୍ତି କୋହଭରା କଣ୍ଠରେ ନିଜର କ୍ଷୋଭ ପ୍ରକାଶ କରିଥିଲେ । ଆଉ ଜଣେ ବ୍ୟକ୍ତି ଜମି ବିକ୍ରି ନାଁରେ ତାଙ୍କୁ ଠକି ଦେଇଥିଲା । ବ୍ୟକ୍ତି ଜଣକ ଅନ୍ୟ ଉପାୟ ନପାଇ ଏଭଳି ଏକ ଭିଡିଓ କରି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ରାଜଧାନୀରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ସେଥିପାଇଁ ଥାନା ସମ୍ମୁଖରେ ଓଦା କମଳ ସହ ସମସ୍ତ ବନ୍ଦୋବସ୍ତ କରି ସଜାଗ ରହିଥିଲା । ବ୍ୟକ୍ତି ଜଣକର ଏଭଳି ଭିଡିଓ ପୁଲିସକୁ ଦିନ ତମାମ ହରଡ ଘଣାରେ ପକାଇ ଦେଇଥିଲା । ଭିଡିଓରେ ଥିବା ବ୍ୟକ୍ତିଙ୍କୁ ଖୋଜିବାକୁ ଯାଇ ପୁଲିସ ନାକେଦମ୍ ହୋଇ ପଡିଥିଲା । ବହୁତ ସମୟ ଖୋଜା ଖୋଜି ପରେ, ଜାଁଳା ଫାଣ୍ଡି ଓଆଇସି ରବୀନ୍ଦ୍ର ଶୁବୁଦ୍ଧି ନାମକ ଏହି ବ୍ୟକ୍ତିଙ୍କୁ ଠାବ କରି ଥାନାକୁ ଆଣିଥିଲା ।

ଥାନାକୁ ଆଣିବା ପରେ ଜଣାପଡିଲା – ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଛାଡି – ପୁଲିସର ଠିକ୍ ଏହିଭଳି ପଦକ୍ଷେପ ଚାହୁଁଥିଲେ ବ୍ୟକ୍ତି ଜଣକ । ସେଥିପାଇଁ ସେ ଏଭଳି ଏକ ଭିଡିଓ ଛାଡିଥିଲେ । ଆଉ ଏହା ଶୁଣି ବ୍ୟକ୍ତିଙ୍କୁ ଧରି ବୀରଦର୍ପରେ ଥାନାକୁ ଆଣିଥିବା ପୁଲିସ ବାବୁଙ୍କ ମୁହଁ ଶୁଖିଯାଇଥିଲା ।