ମ୍ୟାଲେରିଆ ମୁକ୍ତ ହେବ ଓଡ଼ିଶା ! ଖୁବ ଶୀଘ୍ର ଗଠନ ହେବ ସବକମିଟି

71

କନକ ବ୍ୟୁରୋ : ରାଜ୍ୟରୁ ମ୍ୟାଲେରିଆକୁ ସଂପୂର୍ଣ୍ଣ ବିଲୋପ କରିବା ପାଇଁ ଦୁଇଟି ସବ୍‌କମିଟି ଗଠନ ହେବ । ଏହି କମିଟି ମ୍ୟାଲେରିଆ ବିଲୋପ ପାଇଁ ଖସଡ଼ା ପ୍ରସ୍ତୁତ କରିବା ସହିତ ମାନବ ସମ୍ବଳର ବିନିଯୋଗ ଉପରେ ଗୁରୁତ୍ବ ଦେବ । ଏହାସହ ୨୦୦୨ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧କୋଟି ୧୩ଲକ୍ଷ ଔଷଧୀୟ ମଶାରି ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ । ମ୍ୟାଲେରିଆ ନିରାକରଣ ପାଇଁ ଅନୁଷ୍ଠିତ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ବୈଠକରେ ଏହା ସ୍ଥିର ହୋଇଛି । ଏହାସହ ଟାସ୍କଫୋର୍ସ ବୈଠକ ପ୍ରତିମାସରେ ନିୟମିତ ବସିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ସ୍ବାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଡା.ମେହେର୍ଦା କହିଥିଲେ, ମ୍ୟାଲେରିଆ ନିରାକରଣ ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ଜାରି ରହିବା ଆବଶ୍ୟକ । ଏଥିରେ ଅବହେଳା ହେଲା ମ୍ୟାଲେରିଆ ପୁଣିଥରେ ଲେଉଟିବାର ଆଶଙ୍କା ରହିଛି ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ରାଜ୍ୟରେ ମ୍ୟାଲେରିଆ ହ୍ରାସ ପାଇଥିବାର ଧାରାକୁ ବଜାୟ ରଖିବା ପାଇଁ କାର‌୍ୟ୍ୟ ଖସଡ଼ା ପ୍ରସ୍ତୁତ କରାଯିବ । ଏଥିରେ ଟାଟା ଟ୍ରଷ୍ଟ, ମ୍ୟାଲେରିଆ ନୋ ମୋର ଭଳି ସଂସ୍ଥାମାନେ ବୈଷୟିକ ସହାୟତା ଯୋଗାଇ ଦେବେ । ଯେଉଁଠାରେ ମ୍ୟାଲେରିଆ ସର୍ବାଧିକ ହ୍ରାସ ପାଇଛି ସେଠାରେ ତାହାକୁ ଶୂନକୁ ହ୍ରାସ କରିବା ଓ ଅନ୍ୟ ସ୍ଥାନଗୁଡ଼ିକରେ ଏହା ଯେପରି ଅଧିକ ପରିମାଣରେ ହ୍ରାସ ପାଇବ ତାହା ଉପରେ ଧ୍ୟାନ ଦିଆଯିବ । ୨୦୧୭ ସୁଦ୍ଧା ରାଜ୍ୟରୁ ମ୍ୟାଲେରିଆ ବିଲୋପ ଲକ୍ଷ୍ୟ ନେଇ କାମ କରିବାକୁ ଡା.ମେହେର୍ଦା ପରାମର୍ଶ ଦେଇଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୨୦୩୦ ମସିହାକୁ ସମୟ ଧାର‌୍ୟ୍ୟ କରାଯାଇଥିବା ବେଳେ ୨୦୧୭ ମସିହାରୁ ୩ବର୍ଷ ପାଇଁ ସ୍ଥିତି ଅନୁଧ୍ୟାନ କରି ସାର୍ଟିଫିକେଟ୍ ପ୍ରଦାନ କରାଯିବ ।

 

ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧କୋଟି ୧୩ଲକ୍ଷ ଔଷଧୀୟ ମଶାରି ବାଣ୍ଟିବା ପାଇଁ ଲକ୍ଷ୍ୟ ରଖାଯାଇଛି । ୨୦୧୬ ମସିହାରେ ରାଜ୍ୟରେ ଅନୁରୂପ ପରିମାଣର ଔଷଧୀୟ ମଶାରି ବଣ୍ଟନ କରିବା ରାଜ୍ୟରେ ମ୍ୟାଲେରିଆ ରେକର୍ଡ ପରିମାଣରେ ହ୍ରାସ ପାଇଛି । ଏହି ମଶାରିର ସମୟ ଅବଧି ୩ବର୍ଷ ରହିଛି । କେନ୍ଦ୍ରରୁ ମଶାରି ପାଇବାରେ ବିଳମ୍ବ ହେଲେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ମଶାରି କିଣି ତାହାକୁ ଔଷଧୀୟ ପାଣିରେ ବୁଡ଼ାଇ ଲୋକଙ୍କୁ ଦିଆଯିବ । ଏପରିକି ଯେଉଁମାନଙ୍କ ନିକଟରେ ମଶାରି ରହିଛି ପ୍ରତି ୬ମାସରେ ଥରେ ସେଥିରେ ଔଷଧ ବୋଳିବା ପାଇଁ ସ୍ଥିର ହୋଇଛି । ମ୍ୟାଲେରିଆ ନିରାକରଣ ପାଇଁ ଅଧିକ ମାନବ ସମ୍ବଳର ଆବଶ୍ୟକତା ପଡ଼ୁଥିବାରୁ ବିଭାଗରେ ଥିବା ନିୟମିତ କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଯିବ । ଏଥିପାଇଁ ଗୋଟିଏ ସବ୍‌କମିଟି ଗଠନ ହେବ ।