ସ୍କୁଲରେ ଗୋବର ସଫେଇ ଅଭିଯାନ: କାଲିମେଳାରେ ଛାତ୍ରଛାତ୍ରୀଙ୍କୁ କାମରେ ଲଗାଇଲେ ପ୍ରଧାନ ଶିକ୍ଷକ, ଭିଡିଓ ଭାଇରାଲ ପରେ ସଂପୃକ୍ତ ଶିକ୍ଷକ ନିଲମ୍ବିତ

89

କନକ ବ୍ୟୁରୋ: ଗୋବର ସଫା କରୁଛନ୍ତି ସ୍କୁଲ ପିଲା । ଏଭଳି ଅଭାନୀୟ ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ । କାଲିମେଳା ଏମ୍.ଭି-୧୨୨ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ନିତିଦିନ ସ୍କୁଲ ପରିସରରେ ପଡିଥିବା ଗୋବର ସଫା ଦିନଚାର୍ଯ୍ୟ ଆରମ୍ଭ କରିଥାନ୍ତି । ଆଉ ପିଲାଙ୍କୁ ଏଭଳି କାମରେ ଲଗାଇଥାନ୍ତି ସ୍କୁଲର ପ୍ରଧାନ ଶିକ୍ଷକ । ପିଲାମାନେ କାମ କରୁଥିବା ସମୟର ଏକ ଭିଡିଓ ଜିଲ୍ଲାପ୍ରଶାସନ ନିକଟକୁ ପଠାଇଛନ୍ତି ଗ୍ରାମବାସୀ । ଯାହାକୁ ଭିତି କରି ତୁରନ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ।

ଏ ଚିତ୍ର କୌଣସି ଗୁହାଳର ନୁହେଁ । ମାଲକାନଗିରି କାଲିମେଳା ବ୍ଲକ ଏମ.ଭି-୧୧୨ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହର । ସ୍କୁଲକୁ ପଢିବା ପାଇଁ ଆସିଥିବା ଛାତ୍ରଛାତ୍ରୀ ଗୋବର ପଚପଚ ଶ୍ରେଣୀ ଗୃହକୁ ସଫା କରୁଛନ୍ତି । ଏମିତି ପ୍ରତିଦିନ ସକାଳ୧୦ ଟାରୁ ଦିନ ୧୨ ଟା ଯାଏଁ ଚାଲେ ଗୋବର ସଫେଇ ଅଭିଯାନ । ସ୍କୁଲରେ ପାଚେରୀ ନଥିବା ବେଳେ ଅଧିକାଂଶ ଶ୍ରେଣୀ ଗୃହରେ କବାଟ ନାହିଁ । ଫଳରେ ବୁଲା ଗାଇଗୋରୁ ଓ ଷଣ୍ଢଙ୍କ ପାଇଁ ସ୍କୁଲ ପାଲଟେ ଗୁହାଳ । ତେଣୁ ସ୍କୁଲ ସମୟ ଆରମ୍ଭ ହେବା ମାତ୍ରେ ପିଲାଙ୍କୁ ଗୁହାଳ ସଫେଇ ଅଭିଯାନରେ ଲଗେଇ ଦିଅନ୍ତି ପ୍ରଧାନ ଶିକ୍ଷକ । ପିଲାମାନେ ସ୍କୁଲ ସଫେଇ କାମରେ ଲାଗିଥିବା ବେଳେ କୌଶଳ କ୍ରମେ ଏହାର ଭିଡିଓ କରିଛନ୍ତି ଗ୍ରାମବାସୀ । ଯେଉଁ ଭିଡିଓକୁ ଜିଲ୍ଲାପ୍ରାଶସନ ନିକଟକୁ ପଠାଇଛନ୍ତି ।

ଗ୍ରାମବାସୀ ଓ ଅଭିଭାବକଙ୍କ ବାରଣ ସତ୍ୱେ ପିଲାଙ୍କୁ କାମରେ ଲଗାଇଥାନ୍ତି ସ୍କୁଲର ପ୍ରଧାନ ଶିକ୍ଷକ । ତେଣୁ ଗ୍ରାମବାସୀ ବାଧ୍ୟ ହୋଇ ଏକ ଭିଡିଓ ପ୍ରସ୍ତୁତ କରି ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ପଠାଇଛନ୍ତି । ଯେଉଁ ଭିଡିଓ ଆଧାରରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସଂପୃକ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କୁ ନିଲମ୍ବିତ କରାଯାଇଛି । ଅଭିଭାବକଙ୍କ ଏହି ଭିଡିଓକୁ ସଂପୃକ୍ତ ପ୍ରଧାନ ଶିକ୍ଷକ ଖଣ୍ଡନ କରୁଥିବା ବେଳେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ବିଦ୍ୟାଳୟକୁ ଦଣ୍ଡ ମୁକ୍ତ ଅଂଚଳ ଘୋଷଣା କରିବା ସହ ପିଲାଙ୍କୁ ବିଦ୍ୟାଳୟ କାମରେ ନିୟୋଜିତ ନ କରିବାକୁ କଡା ନିର୍ଦେଶ ରହିଛି । ତଥାପି ସବୁ ନିୟମକୁ ଜଳାଜଂଳି ଦେଇ ପିଲାଙ୍କୁ ସ୍କୁଲ ମଧ୍ୟାହ୍ନ ରୋଷେଇ ଠାରୁ ଆରମ୍ଭ କରି ପାଇଖାନା ସଫା ଯାଏଁ ସବୁ କାମରେ ଲଗାଉଛନ୍ତି ଦୁର୍ଗମ ଅଂଚଳର ଶିକ୍ଷକ ।