ବାଥରୁମରେ ଛୁରୀ ଭୁସି ଛାତ୍ରକୁ ହତ୍ୟା, ସ୍କୁଲରେ ଆତଙ୍କ ! ଗୁରୁଗ୍ରାମ ପରେ ଗୁଜୁରାଟରେ ସ୍କୁଲ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ ।

48

ଗୁଜୁରାଟ ଭଦୋଦରା ଠାରେ ଏକ ସ୍କୁଲ ବାଥରୁମରୁ ଜଣେ ଛାତ୍ରର ମୃତ ଦେହ ମିଳିଛି । କୁହାଯାଉଛି ଯେ, ଏହି ଛାତ୍ର ଜଣଙ୍କୁ ହତ୍ୟା କରାଯାଇଛି । ମଧ୍ୟାନ୍ନ ସମୟରେ ସ୍କୁଲ ପରିସରରେ ଥିବା ବାଥରୁମରୁ ସମ୍ପୃକ୍ତ ଛାତ୍ର ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ କୁହାଯାଉଛି ଯେ, ନବମ ଶ୍ରେଣୀରେ ପଢୁଥିବା ଏହି ୧୪ ବର୍ଷୀୟ ଛାତ୍ରର ଶବ ସ୍କୁଲର ବାଥରୁମରୁ ମିଳିଛି । ଛାତ୍ର ଜଣଙ୍କର ପେଟରେ ଛୁରୀରେ ଆଘାତ କରାଯାଇଥିବା ଦାଗ ରହିଛି । ଘଟଣାର ତଦନ୍ତଭାର ସ୍କୁଲ କର୍ତ୍ତୃପକ୍ଷ ପୋଲିସକୁ ଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ମୃତ ଦେହକୁ ଜବତ କରାଯାଇ ପୋଷ୍ଟ ମର୍ଟମ ପାଇଁ ପଠାଯାଇଛି ।

ସୂଚନା ଅନୁଯାୟୀ, ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ଏଭଳି ଏକ ମାମଲା ଗୁରୁଗ୍ରାମର ଏକ ସ୍କୁଲରେ ଦେଖିବାକୁ ମିଳିଥିଲା । ରେୟାନ ଇଣ୍ଟର ନ୍ୟାସନାଲ ସ୍କୁଲର ବାଥରୁମରୁ ପ୍ରଦ୍ୟୁମ୍ନ ଠାକୁରଙ୍କ ମୃତ ଦେହ ଜବତ ହୋଇଥିଲା । ସମ୍ପୃକ୍ତ ଛାତ୍ରଙ୍କର ତଣ୍ଟି କାଟି ହତ୍ୟା କରାଯାଇଥିବା ଜଣାପଡିଥିଲା । ଏହାର ତଦନ୍ତ କରାଯିବା ପରେ ଜଣାପଡିଥିଲା ଯେ ସ୍କୁଲର ସୁରକ୍ଷା ବ୍ୟବସ୍ଥା ଠିକ୍ ନଥିଲା । ତେବେ ଏହି ଘଟଣାରେ ପୋଲିସ ସ୍କୁଲ ବସର କଣ୍ଡକ୍ଟରଙ୍କୁ ଦୋଷୀ କରିଥିଲେ । ତେବେ ବାରମ୍ବାର ଏଭଳି ସ୍କୁଲ ଗୁଡିକରେ ଛାତ୍ରମାନଙ୍କର ମୃତ୍ୟୁକୁ ନେଇ ଏବେ ସ୍କୁଲ ଗୁଡିକର ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।