ପ୍ରକୃତିର ତାଣ୍ଡବ ନେଲା ୧୧୪ ଜୀବନ : ଉତ୍ତରପ୍ରଦେଶରେ ୭୩, ରାଜସ୍ଥାନରେ ୩୬ଜଣଙ୍କ ମୃତ୍ୟୁ । ୩ ଶହରୁ ଅଧିକ ଆହତ, ୨ହଜାରରୁ ଅଧିକ ଭାଙ୍ଗିଲା ଘର

54

କନକ ବ୍ୟୁରୋ : ଆଗାମୀ ୪୮ ଘଂଟା ଭିତରେ ପୁଣି ଥରେ ଝଡବର୍ଷା ଫେରିପାରେ । ଏଭଳି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବିଶେଷ କରି ଉତ୍ତର ଭାରତରେ ଏହାର ପ୍ରଭାବ ଅନୁଭୂତ ହୋଇପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ବୁଧବାର ହୋଇଥିବା ଝଡ ବର୍ଷାରେ ଏପର୍ଯ୍ୟନ୍ତ ୧୧୪ରୁ ଉର୍ଦ୍ଧ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । କେବଳ ଉତ୍ତରପ୍ରଦେଶରେ ୭୩ଜଣଙ୍କର ମୃତ୍ୟୁ ହୋଇଛି ।

ଆଗ୍ରାରେ ସର୍ବାଧିକ ୪୩ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାଜସ୍ଥାନରେ ଧୂଳିଝଡ ଓ ବାଆ ବତାସରେ ୩୬ ଜଣଙ୍କ ଜୀବନ ଯାଇଥିବା ବେଳେ ଶହେରୁ ଅଧିକ ଆହତ ହୋଇଛନ୍ତି । ରାଜସ୍ଥାନର ଅଲୱର, ଭରତପୁର ଓ ଧୋଲପୁର ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବସୁନ୍ଧାର ରାଜେ ସରକାର ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଅନୁକଂପାମୂଳକ ସହାୟତା ସହ ଗୁରୁତର ଆହତଙ୍କୁ ୨ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୬୦ ହଜାର ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି ।

ଝଡତୋଫାନାନ ଯାଗୁଁ ବିଭିନ୍ନ ସ୍ଥାନରେ ପ୍ରବଳ କ୍ଷୟୟତି ହୋଇଛି । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ରାଜସ୍ଥାନ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ପଂଜାବ, ହରିୟାଣା ଏବଂ ହିମାଚଳ ପ୍ରଦେଶରେ ହୋଇଥିବା ଭୀଷଣ ତୋଫାନ ଦ୍ୱାରା ଜନଜୀବନ ବାଧାପ୍ରାପ୍ତ ହୋଇଛି ।