ଆଜି ବସୁଛି ଜିଏସଟି ପରିଷଦର ୨୭ତମ ବୈଠକ । ଚିନି ଉପରେ ଲାଗିପାରେ ସେସ । ଆଖୁ ଚାଷୀଙ୍କ ଉପରେ ଚିନିକଳ ଗୁଡିକର ବାକି ୨୦ ହଜାର କୋଟି

65

କନକ ବ୍ୟୁରୋ: ଜିଏସଟି ପରିଷଦର ୨୭ତମ ବୈଠକ ଆଜି ଭିଡିଓ କନଫରେନସିଂ ଜରିଆରେ ହେବ । ମିଳିଥିବା ସୂଚନା ଅନୁସାରେ ଅତ୍ୟାବଶ୍ୟକ ସାମଗ୍ରୀକୁ ନେଇ ଆଜିର ବୈଠକରେ ଏକ ଇଙ୍ଗ ନିଷ୍ପତି ହୋଇପାରେ । ବିଶେଷ କରି ଚିନି ଉପରେ ୫ ପ୍ରତିଶତ ସେସ ଲଗାଇବାକୁ ପରିଷଦ ନିଷ୍ପତି କରିପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଆଖୁ ଚାଷୀଙ୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଦେଶର ଆଖୁ ଚାଷୀଙ୍କୁୁ ସରକାର ସିଧାସଳଖ ୧୫ଶହ ୪୦ କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି । ଯେଉଁ ଆଖୁଚାଷୀମାନେ ଚିନିକଳ ଗୁଡିକରୁ ଉପଯୁକ୍ତ ମୂଲ୍ୟ ପାଉ ନାହାନ୍ତି ସେମାନଙ୍କ ବ୍ୟାଙ୍କ ଖାତାକୁ ସରକାର କ୍ୱିଂଟାଲ ପିଛା ୫ଟଙ୍କା ୫ ପଇସା ଆର୍ଥିକ ସହାୟତା ପ୍ରଦାନ କରିବେ ।

ଚିନିକଳ ଗୁଡିକ ଉପରେ ଆଖୁ ଚାଷୀଙ୍କର ପ୍ରାୟ ୨୦ ହଦାର କୋଟି ଟଙ୍କା ବକେୟା ରହିଛି । ଚିନି ଦରରେ ବଡଧରଣ ହ୍ରାସ ଯୋଗୁଁ ମିଲ ମାଲିକମାନେ ବକେୟା ରାଶି ପରିଶୋଧ କରିପାରୁ ନାହାନ୍ତି । ତେଣୁ ଏହାର କିଛିକାଂଶ ଭରଣା କରିବାକୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ହେଲେ ଏଥିପାଇଁ ଯେଉଁ ଅତିରିକ୍ତ ଖର୍ଚ୍ଚ ବୋଝ ପଡିବ, ତାକୁ ଭରଣା କରିବାକୁ ଚିନି ଉପରେ ସେସ ଲଗାଯାଇପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଜିଏସଟି ରିଟର୍ଣ୍ଣର ଦୁଇଟି ମଡେଲ ଉପରେ ଆଲୋଚନା ହୋଇଥିଲା। ମନ୍ତ୍ରୀଗୋଷ୍ଠୀ ଏହାର ଆହୁରି ସରଳୀକରଣ କରିବା ଆବଶ୍ୟକ ବୋଲି ମତ ଦେଇଥିବାରୁ ତୃତୀୟ ମଡେଲ ଉପସ୍ଥାପନ ଆଶା କରାଯାଉଛି । ପରିଷଦ ନୂଆ ଜିଏସଟି ରିଟର୍ଣ୍ଣ ଫର୍ମାଟକୁ ମଞ୍ଜୁରି ଦେବା ପରେ ହିଁ ଯାଇ ଆଇନରେ ସଂଶୋଧନ ଲାଗି ପଦକ୍ଷେପ ନିଆଯିବ। ଏତଦବ୍ୟତୀତ ଜିଏସଟି ପାଇଁ ଆଇଟି ଭିତ୍ତିଭୂମି ସେବା ଯୋଗାଇ ଦେଉଥିବା କମ୍ପାନି ଜିଏସଟି ନେଟଓ୍ଵାର୍କ (ଜିଏସଟିଏନ୍)ର ସଂଖ୍ୟାଗରିଷ୍ଠ ଅଂଶଧନ କିମ୍ବା ୧୦୦ ପ୍ରତିଶତ ଅଂଶଧନ ସରକାରଙ୍କ ନିକଟରେ ରଖିବାର ସମ୍ଭାବନା ସମ୍ପର୍କରେ ଅନୁଧ୍ୟାନ କରିବାକୁ ଅର୍ଥମନ୍ତ୍ରୀ ଶ୍ରୀ ଜେଟ୍ଲି ଅର୍ଥ ସଚିବ ହସମୁଖ ଆଧିଆଙ୍କୁ ନିର୍ଦେଶ ଦେଇଥିଲେ।