ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା ! ପଟେଲଙ୍କ ପ୍ରତିମୂର୍ତ୍ତିର ପୁରା କାହାଣୀ ।

598

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ । ଉଚ୍ଚତା ୧୮୨ ମିଟର ବା ୫୯୭ ଫୁଟ୍ । ଆମେରିକାର ‘ଷ୍ଟାଚ୍ୟୁ ଅଫ ଲିବର୍ଟି’ର ଦୁଇଗୁଣା ।

ଷ୍ଟାଚ୍ୟୁ ଅଫ୍ ୟୁନିଟି- ୧୮୨ ମିଟର

ଚୀନର ସ୍ପ୍ରିଙ୍ଗ ଟେମ୍ପୁଲ ବୁଦ୍ଧ- ୧୫୩ ମିଟର

ଜାପାନର ଉସୁକି ଦାୟବୁସ୍ତୁ- ୧୨୦ ମିଟର

ଆମେରିକାର ଷ୍ଟାଚ୍ୟୁ ଅଫ ଲିବର୍ଟି- ୯୩ ମିଟର

ବ୍ରିଟିସ ସରକାର ୧୯୪୭ରେ ଆମ ଦେଶକୁ ସ୍ୱାଧୀନତା ଦେବା ପରେ ପରେ ବିଭିନ୍ନ ପ୍ରଦେଶରେ ରାଜାମାନେ ନିଜକୁ ସ୍ୱାଧୀନ ଦେଶ ଘୋଷଣା କରିଦେଲେ । ଆଉ ୫୬୨ ଖଣ୍ଡରେ ବିଭାଜିତ ଭାରତକୁ ଏକାଠି କରି ଅଖଣ୍ଡ ଭାରତ ଗଠନ କରିବା ଥିଲା ସବୁଠାରୁ ବଡ ଚ୍ୟାଲେଞ୍ଜ । ସ୍ୱାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଉଦ୍ୟମରେ ସମ୍ଭବ ହେଲା ଏହି ଜଟିଳ ପ୍ରକ୍ରିୟା । ଯେଉଁଥିପାଇଁ ୧୯୪୭ରେ ଟାଇମ ମାଗାଜିନ୍ ତାଙ୍କୁ ଦି ବସ୍ ବୋଲି ବର୍ଣ୍ଣନା କରିଥିଲା । ଅଖଣ୍ଡ ଭାରତର ଏହି ନିର୍ମାତା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବିଶ୍ୱର ସବୁଠାରୁ ବଡ ଲୌହ ପ୍ରତିକୃତି ଉନ୍ମୋଚନ ହେବାକୁ ଯାଉଛି । ଅକ୍ଟୋବର ୩୧ ବୁଧବାର ଏହାକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗୁଜୁରାଟ ରାଜପିପଲା ନିକଟ ସାଧୁ ବେତ୍ ଦ୍ୱୀପରେ ନର୍ମଦା ନଦୀରେ ପ୍ରତିଷ୍ଠା ହୋଇଛି ଏହି ଲୌହ ପ୍ରତିକୃତି । ବିନ୍ଧ୍ୟ ଓ ସତରୁପା ପର୍ବତମାଳାର ମଧ୍ୟବର୍ତ୍ତୀ ଅଂଚଳ ସୁଲ୍ପନେଶ୍ୱର ୱାଇଲ୍ଡ ଲାଇଫ ସାଂଚୁରୀରେ ସମ୍ମାନର ସହ ପ୍ରତିଷ୍ଠା କରାଯାଇଛି ଦେଶର ଲୌହ ମାନବଙ୍କ ଲୌହ ପ୍ରତିକୃତି । ୨୦୧୦ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ହିଁ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଘୋଷଣା କରିଥିଲେ ମୋଦି । ପ୍ରଥମେ ଗୁଜରାଟ ସରକାର ଓ ବିଜେପି ମିଶି ଏହାକୁ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ୨୦୧୪ରେ ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ଓ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଇଥିଲା । ଯଦିଓ ୨୦୧୩ରୁ ଷ୍ଟାଚ୍ୟୁ ଅଫ୍ ୟୁନିଟି ନାଁରେ ରାଜନୀତିର ରୁଟି ସେକିବା ଆରମ୍ଭ କରିଦେଇଥିଲେ ମୋଦି । ଚର୍ଚ୍ଚା ହେଉଛି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି ସର୍ଦ୍ଦାର ପଟେଲଙ୍କ ଦାୟାଦ ହିସାବରେ ରାଜନୈତିକ ଫାଇଦା ଉଠାଇବାକୁ ଚାହୁଁଛନ୍ତି ମୋଦି ଓ ବିଜେପି ।

ଷ୍ଟାଚ୍ୟୁ ଅଫ୍ ୟୁନିଟି :

– ୫ ହଜାର ୭ ଶହ ମେଟ୍ରିକ୍ ଟନ୍ ବା ୫୭ ଲକ୍ଷ କିଲୋ ଷ୍ଟ୍ରକଚରାଲ ଷ୍ଟିଲ

– ବ୍ୟବହାର ହୋଇଛି ୧୮ହଜାର ୫ଶହ ମେଟ୍ରିକଟନ୍ ଲୁହା ଛଡ

– ପ୍ରତିମୂର୍ତ୍ତିର ତଳ ଭାଗରେ ଲାଗିଛି ୧୮ ହଜାର ୫ ଶହ ମେଟ୍ରିକ୍ ଟନ୍ ଲୁହା

– ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ବ୍ୟବହାର ହୋଇଛି ୬ ହଜାର ୫ଶହ ମେଟ୍ରିକ୍ ଟନ୍ ଲୁହା

– ୧ ହଜାର ୭ଶହ ଟନ୍ ତମ୍ବା, ୧ ଲକ୍ଷ ୮୦ ହଜାର ଟନ୍ କଂକ୍ରିଟ୍

– ସମୁଦାୟ ୨ କୋଟି ୫୦ ଲକ୍ଷ କିଲୋଗ୍ରାମ ସିମେଂଟ୍ ନିର୍ମାଣ ପାଇଁ ବ୍ୟବହୃତ

– ୬.୫ ତୀବ୍ରତାର ଭୂମିକମ୍ପକୁ ସହ୍ୟ କରିପାରିବ ପଟେଲଙ୍କ ପ୍ରତିମୂର୍ତି

– ଘଂଟା ପ୍ରତି ୧୮୦ କିଲୋମିଟର ବେଗରେ ପବନ ବହିଲେ ବି କିଛି ହେବନାହିଁ

– ପ୍ରାୟ ୬ ଲକ୍ଷ ଗାଁରୁ ପୁରୁଣା କୃଷି ଉପକରଣରୁ ଲୁହା ସଂଗୃହିତ ହୋଇଛି

– ସମୁଦାୟ ୧୩୫ ମେଟ୍ରିକଟନ୍ ଲୁହା କେବଳ ଦାନ ଆକାରରେ ମିଳିଛି

– ପ୍ରତିମାର ୧୫୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢିପାରିବେ ପର୍ଯ୍ୟଟକ

– ଉପରିଭାଗରେ ନିର୍ମାଣ ହୋଇଥିବା ଗ୍ୟାଲେରିକୁ ଯାଇପାରିବେ ୨ଶହ ଲୋକ

– ଦୀର୍ଘ ୧୨ କଲୋମିଟର ଦୂରରୁ ଦେଖାଯିବ ପଟେଲଙ୍କ ଏହି ବିରାଟ ପ୍ରତିମୂର୍ତ୍ତି

ବିଶ୍ୱର ଅନ୍ୟତମ ଆଶ୍ଚର୍ଯ୍ୟ ଭାବରେ ସ୍ଥାନ ପାଇବାକୁ ଯାଉଥିବା ଏହି ପ୍ରତିମୂର୍ତ୍ତି ବିଜେପିର ଭୋଟବ୍ୟାଙ୍କ ବଢାଇବାରେ କେତେଦୂର ସହାୟକ ହେବ ତାହା ସବୁଠାରୁ ବଡ ପ୍ରଶ୍ନ ହୋଇଛି । କାରଣ ସରକାରୀ ଟଙ୍କାରେ ଏଭଳି ସ୍ମାରକୀ ନିର୍ମାଣକୁ ନେଇ ବି ପ୍ରଶ୍ନ ଉଠୁଛି । ସଂପୂର୍ଣ୍ଣ ପ୍ରକଳ୍ପ ଲାଗି ଖର୍ଚ୍ଚ ହୋଇଛି ୨ ହଜାର ୯ ଶହ ୭୯ କୋଟି ଟଙ୍କା । କୁହାଯାଉଛି ୨୦୧୪ ପୂର୍ବରୁ ରନ୍ ଫର ୟୁନିଟି ନାଁରେ ନିର୍ବାଚନୀ କ୍ୟାମ୍ପେନ ଚଳାଇଥିଲେ ମୋଦି ଓ ବିଜେପି । ଏବେ ୨୦୧୯ ସାଧାରଣ ନିର୍ବାଚନ ପାଖେଆ ଆସୁଥିବାରୁ ସର୍ଦ୍ଦାର ପଟେଲଙ୍କ ଏହି ବିରାଟ ସ୍ମାରକୀକୁ ଉନ୍ମୋଚନ କରି ରାଜନୈତିକ ସଫଳତା ପାଇବାକୁ ଆଶା ରଖିଛନ୍ତି । ହେଲେ ରାଜନୀତି ବିଶେଷଜ୍ଞଙ୍କ ମତରେ ଏହା ଗୁଜରାଟ ଲୋକସଭା ଆସନ ପାଇଁ ବିଜେପିକୁ ଫାଇଦା ଆଣିଦେଇପାରେ କିନ୍ତୁ ସାରା ଭାରତରେ ଏହାର କୌଣସି ପ୍ରଭାବ ରହିବ ନାହିଁ ।