ବ୍ୟାଙ୍କ କର୍ମଚାରୀଙ୍କ ଦଶହରା ଛୁଟି ବାତିଲ । ବାତ୍ୟା ପ୍ରଭାବିତ ୩ ଜିଲ୍ଲାରେ ଖୋଲା ରହିବ ବ୍ୟାଙ୍କ୍, ଜାଣନ୍ତୁ କେଉଁ କେଉଁ ଦିନର ଛୁଟି ବାତିଲ କଲେ ସରକାର

50

କନକ ବ୍ୟୁରୋ : ତିତଲି ବାତ୍ୟା ପରେ ଆସିଥିବା ବନ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ୟାଙ୍କ କର୍ମଚାରୀଙ୍କ ଦଶହରା ଛୁଟି ବାତିଲ କରିଛନ୍ତି । ବାତ୍ୟା ପ୍ରଭାବିତ ତିନି ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡାରେ ବ୍ୟାଙ୍କ୍ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଛନ୍ତି ସରକାର । ୧୭ ତାରିଖ (ମହାଷ୍ଟମୀ) ଓ ୧୯ ତାରିଖ (ବିଜୟାଦଶମୀ) ଦିନ ଥିବା ବ୍ୟାଙ୍କ୍ କର୍ମଚାରୀଙ୍କ ସରକାରୀ ଛୁଟିକୁ ବାତିଲ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅଥାର୍ତ ଏହି ଦିନ ଗୁଡିକରେ ବ୍ୟାଙ୍କ୍ ଗୁଡିକ ଖୋଲା ରହିବ । ବନ୍ୟା ପ୍ରଭାବିତ ଲୋକେ ଯେପରି ବ୍ୟାଙ୍କିଙ୍ଗ ସେବା ପାଇବାରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ବ୍ୟାଙ୍କ ଗୁଡିକୁ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କେବଳ ଏତିକି ନୁହେଁ ଏହି ତିନି ଜିଲ୍ଲାରେ ୧୭ ଓ ୧୯ରେ ଅନ୍ୟ ବ୍ୟାଙ୍କିଙ୍ଗ ଅନୁଷ୍ଠାନ ଗୁଡିକ ଖୋଲା ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ପୂର୍ବରୁ ତିତଲି ବାତ୍ୟା ପାଇଁ କିଛି ସରକାରୀ ବିଭାଗର ଦୁର୍ଗାପୂଜା ଛୁଟି ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ଓ ପରବର୍ତୀ ବନ୍ୟାର ସ୍ଥିତିରେ ସମୀକ୍ଷା ପାଇଁ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ସଚିବାଳୟ କର୍ମଚାରୀ ଓ ବିଭାଗୀୟ ମୁଖ୍ୟଙ୍କ ଛୁଟି ବାତିଲ କରାଯାଇଛି । ଏହାଛଡା ଆସନ୍ତା ୨୪ ତାରିଖ ଯାଏଁ କେନ୍ଦ୍ରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଜିଲ୍ଲାର ଜିଲ୍ଲାପାଳଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର ।