ଆରମ୍ଭ ହେଲା ଆଦିବାସୀ ମେଳା

45

କନକ ବ୍ୟୁରୋ :  ମହକୁଛି ଆଦିବାସୀ ଦେଶୀ ଖାଦ୍ୟର ବାସ୍ନା। ଝାଟିମାଟି କୁଡ଼ିଆ ସାଙ୍ଗକୁ ଆଦିବାସୀ ଚଳଣି, ପରମ୍ପରା ଓ ଗୃହ ଉପକରଣ ସହରିଆଙ୍କୁ ଆକର୍ଷିତ କରୁଛି ନିଜ ଆଡ଼କୁ। ସଂଧ୍ୟା ହେଲେ ଆଦିବାସୀ ନୃତ୍ୟ ଓ ଗୀତରେ ଦୁଲୁକୁଛି ପ୍ରଦର୍ଶନୀ ପଡ଼ିଆ। ପୁଣି ଆଦିବାସୀ ହସ୍ତଶିଳ୍ପର ନିଆରା ପସରାକୁ ଦେଖିବାକୁ ଗ୍ରାହକଙ୍କ ଭିଡ଼ ଛୁଟିଛିି । ଏହିଭଳିି ଏକ ଆଦିବାସୀମୟ ପରିବେଶ ସୃଷ୍ଟି ହୋଇଛି ରାଜଧାନୀରେ। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ‘ଆଦିବାସୀ ମେଳା’ ଦର୍ଶକଙ୍କୁ ନିଜ ମୁହାଁ କରିଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଆଦିବାସୀ ମେଳା ରାଜଧାନୀର ଏକ ଲୋକପ୍ରିୟ ମେଳା। ଏହା ଦ୍ୱାରା ଜନଜାତି ସମ୍ପ୍ରଦାୟଙ୍କ ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା ପାଇଁ ଏକ ବଡ଼ ବଜାର ସୃଷ୍ଟି ହେଉଛି। ଜନଜାତିଙ୍କ ଉନ୍ନତି ପାଇଁ ହେଉଥିବା ବିଭିନ୍ନ ଯୋଜନା ବି ସଫଳ ହେଉଛି। ଏବେ ବିଭିନ୍ନ କ୍ଷେତ୍ରରେ ସେମାନେ ସଫଳତା ବି ପାଇଲେଣି। ଏହାସହ ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ରାଜ୍ୟ ସରକାର ୯ଟି ‘ଆଦିବାସୀ ଉନ୍ନୟନ ପରିଷଦ’ ଗଠନ କରିଛନ୍ତି। ଜନଜାତିଙ୍କ କଳା ସଂସ୍କୃତିର ବିକାଶ ତଥା ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉଦ୍‌ଘାଟନୀ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମନ୍ତ୍ରୀ ରମେଶ ମାଝୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ଏବଂ ଏସ୍‌ସିଏସ୍‌ଟିଆର୍‌ଟିଆଇର କମିସନର ତଥା ନିର୍ଦେଶକ ଅଖିଳ ବିହାରୀ ଓତା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ‘ବନଜା’ ଓ ‘ଆଦିବାସୀ’ ୨ଟି ପୁସ୍ତକ ଉନ୍ମୋଚିତ ହୋଇଛି। ବିଭିନ୍ନ ବିଦ୍ୟାରେ ପାରଦର୍ଶିତା ଲାଭ କରିଥିବା ୨୦ଜଣ ପ୍ରତିଭାବାନ୍‌ ଜନଜାତି ବ୍ୟକ୍ତିଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ବର୍ଷ ମେଳାକୁ ୬ଟି ବିଭାଗରେ ବିଭକ୍ତ କରାଯାଇଛି। ଆଦିବାସୀ ଗ୍ରାମ, ଆଦିବାସୀ ହାଟ, ଆଦିବାସୀ କଳାସାମଗ୍ରୀ, ସରକାରୀ ଷ୍ଟଲ୍‌, ଆଦିବାସୀ ଖାଦ୍ୟ ବଜାର ଓ ଆଦିବାସୀ ନୃତ୍ୟପ୍ରାଙ୍ଗଣ ଆଦି ଦର୍ଶକଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି।

ଚଳିତ ବର୍ଷ ୧୪୫ଟି ଷ୍ଟଲ୍‌ ଖୋଲିଥିବା ବେଳେ ୨୧ଟି ଆଇଟିଡିଏ ଓ ୩ଟି ମାଇକ୍ରୋ ପ୍ରୋଜେକ୍ଟ ଦ୍ୱାରା ବିଭିନ୍ନ ଜନଜାତିଙ୍କର ୨୪ଟି ପାରମ୍ପରିକ ଘର ଆକର୍ଷଣ ସାଜିଛି। ଆଦିବାସୀ ହାଟରେ ଥିବା ୩୧ଟି ପିଣ୍ଡିରେ ଜଙ୍ଗଲଜାତ ଦ୍ରବ୍ୟର ବିକ୍ରିବଟା ସହରୀ ଲୋକଙ୍କୁ ନିଆରା ଅନୁଭବ ଦେଉଛି। ସେହିପରି ଟିଡିସିସି, ଟ୍ରାଇଫେଡ୍‌, ମହିଳା ବିକାଶ ନିଗମ, ଓଡ଼ିଶା ବନ ଉନ୍ନୟନ ନିଗମ ଭଳି ଗୋଷ୍ଠୀମାନଙ୍କ ଦ୍ୱାରା ଜଙ୍ଗଲଜାତ ଦ୍ରବ୍ୟର ବିକ୍ରିବଟା ପାଇଁ ୩୪ଟି ଷ୍ଟଲ୍‌ ଖୋଲିଛି।। ବିଗତ ବହୁ ବର୍ଷ ଧରି ଆଦିବାସୀ ମେଳା ୟୁନିଟ୍‌-୧ସ୍ଥିତ ଆଦିବାସୀ ପଡ଼ିଆଠାରେ ଅନୁଷ୍ଠିତ ହୋଉଥିଲା। ଟ୍ରାଫିକ୍‌ ସମସ୍ୟାକୁ ନଜରରେ ରଖି ଚଳିତ ବର୍ଷ ମେଳାକୁ ପ୍ରଦର୍ଶନୀ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ଏହି ମେଳା ଆସନ୍ତା ଫେବୃଆରି ୯ ପର୍ଯ୍ୟନ୍ତ ଚାଲିବ।