୧୦ ଟଙ୍କିଆ ଶାଢୀ ପାଇଁ ମଲରେ ଦଳାଚକଟା ପରିସ୍ଥିତି ! ଏତେ କମ ଟଙ୍କାରେ ଶାଢୀ ମିଳୁଥିବାରୁ ମହିଳାଙ୍କର ଜମିଛି ଭିଡ

ଏତେ କମ ଟଙ୍କାରେ ଶାଢୀ ମିଳୁଥିବାରୁ ମହିଳାଙ୍କର ଜମିଛି ଭିଡ

324
କନକ ବ୍ୟୁରୋ ; ୧୦ ଟଙ୍କାରେ ଖଣ୍ଡେ ଶାଢ଼ି କିଣିବାକୁ ବିପୁଳ ସଂଖ୍ୟକ ମହିଳା ତେଲେଙ୍ଗାନାର ସିଦ୍ଦିପେଟ୍ ଠାରେ ଥିବା ଏକ ସପିଙ୍ଗ୍ ମଲରେ ପ୍ରବେଶ କରିବାରୁ ସେଠାରେ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା। ଏମସିଆର ସପିଙ୍ଗ୍ ମଲ୍ ମାତ୍ର ୧୦ ଟଙ୍କାରେ ଖଣ୍ଡେ ଶାଢ଼ି ବିକୁଛି ବୋଲି ଖବର ପ୍ରସାରିତ ହୋଇ ଯିବା ପରେ ବହୁ ସଂଖ୍ୟକ ମହିଳା ଓ ଝିଅ ମାଡ଼ି ଆସିଥିଲେ। କୁହାଯାଉଛି ଏକକାଳୀନ ପ୍ରାୟ ୪୦୦ ମହିଳା ସେ ଅଣଓସାରିଆ ପ୍ରବେଶ ପଥ ଥିବା ମଲରେ ପ୍ରବେଶ କରିବାରୁ ବଡ଼ ଗୋଳମାଳିଆ ଓ ଦଳଚକଟା ଭଳି ପରିସ୍ଥିତି ସୃଷ୍ଟି ହେବାରୁ ୪ ଜଣ ମହିଳା ଆହତ ହୋଇଥିଲେ।  ଏକ ସମୟରେ ଏତେ ସଂଖ୍ୟକ ଗ୍ରାହକ ଭିଡ଼ କରିବେ ବୋଲି ମଲ୍ବାଲାଙ୍କର ଧାରଣା ନ ଥିଲା।
ସପିଙ୍ଗ୍ ମଲରେ ପ୍ରବେଶ କରିବାକୁ ଲୋକେ ତା’ର ମୁଖ୍ୟ ସଟରକୁ ଭାଙ୍ଗି ଦେଇଥିବା ପ୍ରକାଶ। ୫ ତୋଳାର ସୁନା ଚେନ୍, ନଗଦ ୬୦୦୦ ଟଙ୍କା ଓ ଗୋଟିଏ ଡେବିଟ୍ କାର୍ଡ ହରାଇଥିବା କଥା ଭିଡ଼ରେ ପଶିଥିବା ଜଣେ ମହିଳା କହିଛନ୍ତି। ଅଣଓସାରିଆ ର‌୍ୟାମ୍ପ୍ ଦେଇ ଯିବା ବେଳେ ଜଣେ ମହିଳା ପଡ଼ିଯିବାରୁ ଦଳାଚକଟା ଆରମ୍ଭ ହୋଇଥିବା କଥା ପୁଲିସ କହୁଛି। ପଡ଼ି ଯାଇଥିବା ମହିଳାଙ୍କ ଉପରେ ଆଉ ତିନି ଜଣ ମହିଳା ପଡ଼ିଗଲେ। ଫଳରେ ଭୀଷଣ କୋଳାହଳ ଓ ଦଳାଚକଟା ଆରମ୍ଭ ହୋଇଥିଲା। ଏଥିରେ ସମୁଦାୟ ୧୫ ଜଣ ମହିଳା ଆହତ ହୋଇଥିବା କଥା ଅନ୍ୟ ଏକ ରିପୋର୍ଟ କହୁଛି।