ଆହୁରି ଗୋଟିଏ ରାତି ! ଆଜି ଭାରତ ଆସିବନି ଶ୍ରୀଦେବୀଙ୍କ ମର ଶରୀର, ଜାଣନ୍ତୁ କଣ ପାଇଁ ହେଉଛି ବିଳମ୍ବ

43

କନକ ବ୍ୟୁରୋ : ପରପାରିରେ ବଲିଉଡର ଚାନ୍ଦିନୀ ଶ୍ରୀଦେବୀ । ଗତକାଲି ଦୁବାଇରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଖବର ଆସିବା ପରେ ଶ୍ରୀଦେବୀଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ଘର ଆଗରେ ହଜାର ହଜାର ସମର୍ଥକଙ୍କ ଭିଡ଼ । କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଲା ଦୁବାଇରୁ କେତେବେଳେ ଭାରତ ଫେରିବ ଶ୍ରୀଦେବୀଙ୍କ ମୃତଦେହ । ହେଲେ ମିଳିଥିବା ତାଜା ସୂଚନା ଅନୁସାରେ ଆଉ ଗୋଟିଏ ରାତି ଦୁବାଇରେ ରହିପାରେ ଶ୍ରୀଦେବୀଙ୍କ ମର ଶରୀର ।

ଦୁବାଇର ଏକ ପ୍ରମୁଖ ଗଣମାଧ୍ୟମ ‘ଖଲିଜ ଟାଇମ୍ସ’ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ଶ୍ରୀଦେବୀଙ୍କ ପାର୍ଥିବ ଶରୀର ମୁମ୍ବାଇ ଆସିବା ସମ୍ଭାବନା କମ୍ । କାରଣ ଶବ ବ୍ୟବଚ୍ଛେଦ ସରିଥିଲେ ସୁଦ୍ଧା, ଏସଂପର୍କୀତ ରିପୋର୍ଟ ଆସିନାହିଁ । ସେହିପରି ଭାରତୀୟ ସମୟ ରାତି ୯ଟା ସୁଦ୍ଧା ପରିବାର ସଦସ୍ୟଙ୍କୁ ମୃତଦେହ ହସ୍ତାନ୍ତର ହୋଇନାହିଁ । ଏହାବାଦ ଅନ୍ୟାନ୍ୟ ଆଇନଗତ ପ୍ରକ୍ରିୟା ଶେଷ କରିବାକୁ ବିଳମ୍ବ ହୋଇପାରେ ବୋଲି ଏହି ଗଣମାଧ୍ୟମ ପ୍ରକାଶ କରିଛି ।

ମୃତ୍ୟୁର କାରଣ ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଶବକୁ ସଂରକ୍ଷିତ କରିବା ପାଇଁ ପ୍ରକ୍ରିୟା ସମୟ ସାପେକ୍ଷ । ସେହିପରି ମୃତଦେହକୁ ଘରୋଇ ଜେଟରେ ପଠାଇବା ନେଇ ମଧ୍ୟ ଅନ୍ୟାନ୍ୟ ଆଇନଗତ ଦିଗ ରହିଛି । ଏସବୁ ଶେଷ ହେବା ଭିତରେ ଶ୍ରୀଦେବୀଙ୍କ ମର ଶରୀର ଆହୁରି ଗୋଟିଏ ରାତି ଦୁବାଇରେ ରହିବା ସମ୍ଭାବନା ବଢିଯାଇଛି । ତେଣୁ ଆସନ୍ତାକାଲି ଶ୍ରୀ’ଙ୍କ ପାର୍ଥିବ ଶରୀର ମୁମ୍ବାଇ ଅଭିମୁଖେ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ‘ଖଲିଜ ଟାଇମ୍ସ’ ପ୍ରକାଶ କରିଛି ।