ଇଡେନ ଗାର୍ଡେନରୁ ଖୁବଶୀଘ୍ର ବାହାରିପାରେ ପାକିସ୍ତାନୀ ଖେଳାଳୀଙ୍କ ଫଟୋ !

ପୁଲୱାମା ଆକ୍ରମଣ ପରେ ସାରା ଦେଶରେ ଆକ୍ରୋଶର ସ୍ୱର ଦେଖାଯାଉଛି

144

କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ପରେ ସାରା ଦେଶରେ ଆକ୍ରୋଶର ସ୍ୱର ଦେଖାଯାଉଛି । ପାକିସ୍ତାନକୁ ଉଚିତ ଜବାବ ଦେବା ପାଇ ଅନେକ ଦାବି କରୁଛନ୍ତି । କେବଳ ଦାବି କରୁଛନ୍ତି କହିଲେ ହେବ ନାହିଁ, ବରଂ କେନ୍ଦ୍ର ସରକାର ଉପରେ ଚାପ ମଧ୍ୟ ପକାଉଛନ୍ତି । ପାକିସ୍ତାନକୁ ଏହାରି ମଧ୍ୟରେ ଭାରତ ପକ୍ଷରୁ ହେଉଥିବା ବିଭିନ୍ନ ସାମଗ୍ରୀର ରପ୍ତାନୀ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି । କେବଳ ବାଣିଜ୍ୟିକ କ୍ଷେତ୍ରରେ ନୁହେଁ ବରଂ ବଲିଉଡ ଓ କ୍ରୀଡା କ୍ଷେତ୍ରରେ ମଧ୍ୟ ପ୍ରତିବନ୍ଧକ ଲଗାଇବା ପାଇଁ ଭାରତ ଅଣ୍ଟା ଭିଡିଛି ।

ମିଳିଥିବା ସୂଚନା ଅନୁସାରେ, ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ତଥା ପଶ୍ଚିମବଙ୍ଗ କ୍ରିକେଟ ସଂଘର ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ, କଲିକତାକ ଇଡେନ ଗାର୍ଡନରେ ଥିବା ପାକିସ୍ତାନ ଖେଳାଳୀଙ୍କ ଫଟୋ ଖୁବଶୀଘ୍ର ହଟାଯିବା ଉପରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ । ତେବେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଷ୍ଟାଡିୟମରୁ ସେମାନଙ୍କ ଫଟୋ ବାହାର କରିବା ପାଇଁ ଦାବି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଆଲୋଚନା ହେବାପରେ ନିଷ୍ପତ୍ତି ନିଆଯିବ ବୋଲି ଗାଙ୍ଗୁଲି କହିଛନ୍ତି ।

ତେବେ ପଞ୍ଜାବ, ରାଜସ୍ଥାନ,ବେଙ୍ଗାଲୁରୁ ଓ ମୁମ୍ବାଇ କ୍ରିକେଟ ସଂଘ ପାକିସ୍ତାନୀ ଖେଳାଳୀଙ୍କ ଫଟୋ ବାହାର କରିଦେଇଛନ୍ତି । ଏହା ପୂର୍ବରୁ ଗାଙ୍ଗୁଲି କହିଥିଲେ ଯେ, ଏହି ଆକ୍ରମଣ ପରେ ପାକିସ୍ତାନ ସହ ଭାରତ କ୍ରିକେଟ ଖେଳିବା ଉଚିତ ନୁହେଁ ବୋଲି । ତେବେ କେବେ ପାକିସ୍ତାନ ଖେଳାଳୀଙ୍କ ଫଟୋ ବାହାର କରାଯିବ ସେ ସମ୍ପର୍କରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିପାରିନାହିଁ ।