ସସପେନ୍ସ ବଢ଼ାଉଛି ପିପିଲି ପଲିଟିକ୍ସ ! ବଦଳିଯିବ କି ବିଜେଡି ପ୍ରାର୍ଥୀ ? ବିଜେପି-କଂଗ୍ରେସ ଆଶାୟୀଙ୍କୁ ନେଇ ଦ୍ୱନ୍ଦରେ ଦଳ ।

ସେପଟେ କଂଗ୍ରେସ ପିପିଲରେ କଂଗ୍ରେସ ବିଜେଡିର ପ୍ରମୂଖ ପ୍ରତିଦ୍ୱନ୍ଦୀ ରହିଥଲେ ସୁଦ୍ଧା ଦଳୀୟ ଟିକେଟ୍ କାହାକୁ ମିଳିବ ତାହା ବର୍ତ୍ତମାନ ଦ୍ୱନ୍ଦରେ ରହିଛି ।

386

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି । ଆଉ ଏହାରି ମଧ୍ୟରେ ସସପେନ୍ସ ବଢ଼ାଉଛି ପୁରୀ ଲୋକସଭା କ୍ଷେତ୍ର । କାରଣ ଲଗାତାର ୬ଥର ବିଧାୟକ ପ୍ରଦୀପ ମହାରଥୀଙ୍କ ପାଇଁ ଚଳିତ ନିର୍ବାଚନ କିଛି ନୂଆ ମୋଡ଼ ନେଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ବିଜେଡି ପ୍ରାର୍ଥୀ ବଦଳାଇବ କି ? ଲଗାତାର ନିର୍ବାଚନ ହାରୁଥିବା କେଂଗ୍ରସ ଏଥର ରଣନୀତି ପରିବର୍ତନ କରିବ ? ବିଜେପିର ପ୍ଲାନ୍ (ବି) କ’ଣ ? ଏସବୁ ପ୍ରଶ୍ନ ଉପରେ ତୃଣମୂଳସ୍ତରରେ ଶୁଣିବାକୁ ଆଲୋଚନା ଚାଲିଛି ।

maharathyଗତ ୩୫ ବର୍ଷର ପିପିଲି ବିଧାନସଭା ଇତିହାସକୁ ତର୍ଜମା କଲେ ଏଠାରେ ଭୋଟର କଂଗ୍ରେସକୁ ୬ ଥର ପ୍ରତ୍ୟାଖାନ କରିଛନ୍ତି। ୧୯୯୫ରେ ମାତ୍ର ୫ ବର୍ଷ ପାଇଁ କଂଗ୍ରେସ ଏହି ଆସନ ଦଖଲ କରିଥିଲା । ବହୁ ବାଦ ବିବାଦ ସତ୍ତ୍ବେ ଭୋଟର ମହାରଥୀକୁ ଲଗାତର ବିଜୟ ମୁକୁଟ ପିନ୍ଧାଇ ଆସୁଛନ୍ତି । ମହାରଥୀ ୧୦ ବର୍ଷ ଜନତା ଦଳରୁ ଓ ୨୦ବର୍ଷ ଅର୍ଥାତ ୨୦୦ରୁ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇ ଅପ୍ରତିଦ୍ବନ୍ଦ୍ବୀ ରହିଛନ୍ତି । ୨୦୧୨ରେ ପିପିଲି ଗଣଦୁଷ୍କର୍ମ ଘଟଣାକୁ ନେଇ ମହାରଥୀ ଅଡୁଆରେ ପଡିଥିଲେ । ମନ୍ତ୍ରୀ ପଦ ଯାଇଥିଲା । ପୁନର୍ବାର ୨୦୧୪ରେ ସେ ବିଜୟୀ ହୋଇଥିଲେ। ୨୦୧୮ରେ ସମାନ ପ୍ରସଙ୍ଗକୁ ନେଇ ଅଡୁଆରେ ମହାରଥୀ । ଏହି ମାମଲା ରାୟ ପ୍ରକାଶ ପରେ ତାଙ୍କ ମନ୍ତବ୍ୟ ପୁଣି ଥରେ ମନ୍ତ୍ରୀ ପଦ ଖାଇଛି । ତେବେ ଏହି ଆସନ ଜଣେ ମହିଳାଙ୍କୁ ଦିଆଯିବ ବୋଲି କହୁଥିବା ବେଳେ ତାଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କ ନାମକୁ ନେଇ ଆଲୋଚନା ହେଉଛି। ସେହିଭଳି ତାଙ୍କ ପୁଅର ନାମକୁ ନେଇ ମଧ୍ୟ ଗୋଟିଏ ଗୋଷ୍ଠୀ ଆେଲାଚନା କରୁଛନ୍ତି।

ସେପଟେ କଂଗ୍ରେସ ପିପିଲରେ କଂଗ୍ରେସ ବିଜେଡିର ପ୍ରମୂଖ ପ୍ରତିଦ୍ୱନ୍ଦୀ ରହିଥଲେ ସୁଦ୍ଧା ଦଳୀୟ ଟିକେଟ୍ କାହାକୁ ମିଳିବ ତାହା ବର୍ତ୍ତମାନ ଦ୍ୱନ୍ଦରେ ରହିଛି । କାରଣ ପିପିଲି କଂଗ୍ରେସ ମଣ୍ଡଳ ସଭାପତି ଅଜିତ ମଙ୍ଗରାଜଙ୍କୁ ଟିକେଟ୍ ମିଳିବ ବୋଲି ବେଶ୍ ଆଶାୟୀ ଅଛନ୍ତି । ଅନ୍ୟପଟେ ପ୍ରଦୀପ ମହାରଥୀଙ୍କୁ କଡ଼ା ଟକ୍କର କେବଳ କଂଗ୍ରେସର ପିପିଲି ନେତା ଯୁଧିଷ୍ଠିର ସାମନ୍ତରାୟ ଦେଇପାରିବେ ବୋଲି ରାଜନୀତି ମହଲରେ ଶୁଣିବାକୁ ମିଳୁଛି । କିନ୍ତୁ ଯୁଧିଷ୍ଠିର ସାମନ୍ତରାୟ ବାରମ୍ବାର ଜେଲ ଯାଇ ଫେରିବା ଘଟଣା ପିପିଲି କଂଗ୍ରେସ ପାଇଁ ପ୍ରଭାବ ପକାଇପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେବେ କଂଗ୍ରେସ ଏଠାରେ ଜଣେ ନୂଆ ମୁହଁ କଥା ଚିନ୍ତା କରୁଥିବା ନେଇ ମଧ୍ୟ ଆଲୋଚନା ହେଉଛି । ଏହିଭଳି ପରିସ୍ଥିତିରେ କଂଗ୍ରେସରୁ ଯୁବ ନେତା ତଥା ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର, ଅଜିତ ମଙ୍ଗରାଜ, ଜ୍ଞାନ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ନାମ ଆଶାୟୀ ପ୍ରାର୍ଥୀ ତାଲିକାରେ ରହିଛି।

ଅନ୍ୟପଟେ ବିଜେଡି ଗଡ଼କୁ ଧସେଇ ପସିବା ପାଇଁ ବିଜେପି କ୍ୟାମ୍ପରେ ରଣନୀତି ପ୍ରସ୍ତୁତ ହୋଇଛି । ପିପିଲି ବିଜେପି ନେତା ଆଶ୍ରିତ ପଟ୍ଟନାୟକ ଓ ବିକାଶ ପଟ୍ଟନାୟକ ଉଭୟ ବିଜେଡି ଓ କଂଗ୍ରେସକୁ କଡ଼ା ଟକ୍କର ଦେବାକୁ ସଜବାଜ ହେଉଛନ୍ତି । ଆଶ୍ରିତ ପଟ୍ଟନାୟକ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ କଂଗ୍ରେସ ସମର୍ଥିତ ପିପିଲି ଚେୟାମ୍ୟାନ୍ ଥିବା ସହ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ପିପିଲି କଂଗ୍ରେସର ଜିଲ୍ଲାପରିଷଦ ପ୍ରାର୍ଥୀ ଥିଲେ ଆଶ୍ରିତ । କିନ୍ତୁ ଗତ ଜିଲ୍ଲାପରିଷଦ ନିର୍ବାଚନରେ ଆଶ୍ରିତଙ୍କୁ ଟିକେଟ୍ ମିଳିଲାନି । ତେଣୁ ସେ ସ୍ୱାଧିନ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ ଏବଂ କଂଗ୍ରେସ ଦୁଇଫାଳ ହୋଇଥିଲା । ଯାହାଫଳରେ ଯୁଧିଷ୍ଠିର ପରାଜୟ ହୋଇଥିଲେ । ତେବେ ଗତଥର ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକ ୧୮ ହଜାର ଭୋଟ ପାଇଥିବାରୁ ତାଙ୍କୁ ବିଜେପି ପ୍ରଥମ ପସନ୍ଦ ଭାବେ ନେଇପାରେ। ଏହାବ୍ୟତୀତ ପ୍ରଫୁଲ୍ଲ ଗଜେନ୍ଦ୍ର, ବିକାଶ ପଟ୍ଟନାୟକଙ୍କ ନାମ ଚର୍ଚ୍ଚାରେ ରହିଛି ।

ଏବେ ଆଶ୍ରିତ ପିପିଲି ବିଜେପି ମଙ୍ଗ ଧରିଛନ୍ତି । କିନ୍ତୁ ତାଙ୍କ ବାଟଓଗାଳୁଛନ୍ତି ଆଉ ଜଣେ ବିଜେପି ଆଶାୟୀ ପ୍ରାର୍ଥୀ ବିକାଶ ପଟ୍ଟନାୟକ । ଯାହଙ୍କ ଜେଜେ ବାପା ରାମଚନ୍ଦ୍ର ପଟ୍ଟନାୟକ ଦୁଇ ଦୁଇ ଥର ପିପିଲି ବିଧାୟକ ରହି ଆସିଛନ୍ତି । ତେଣୁ ଯଦି ରାଜନୀତି ସମୀକ୍ଷକଙ୍କ ଅଙ୍କକୁ ତର୍ଜମା କରାଯାଏ ଏବେ ପିପିଲିରେ ଉଭୟ କଂଗ୍ରେସ ଓ ବିଜେପିର ଦୁଇ ଦୁଇ ଜଣ ଆଶାୟୀ ପ୍ରାର୍ଥୀ ବାହାରିଲେଣି ଯାହା ଶାସକ ବିଜେଡି ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଫାଇଦା ଦେଇପାରେ । କିନ୍ତୁ ନିକଟରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମହାରଥୀଙ୍କ ବିରୋଧରେ ଉଭୟ ବିରୋଧୀ ପିପିଲି ଗଣଦୁଷ୍କର୍ମ ପ୍ରସଙ୍ଗ ଉଠାଇବାକୁ ରଣନୀତି କରୁଥିବାବେଳେ ବିଜେଡି ପ୍ରାର୍ଥୀ ବଦଳାଇବ କି ? ଏପରି ପରିସ୍ଥିତିରେ ୨୦୧୯ ନିର୍ବାଚନକୁ ନେଇ ସବୁ ମହଲରେ ଉତ୍କଣ୍ଠା ଲାଗି ରହିଛି।