ସି-ପ୍ଲେନ୍ ସେବା ପାଇଁ ସ୍ପାଇସ ଜେଟର ଅଫର୍ ! ରାଜ୍ୟରେ ୩ଟି ରୁଟରେ ସେବା ଯୋଗାଇଦେବାକୁ ଅଫର ଦେଲା ସ୍ପାଇସ ଜେଟ, ଜାଣନ୍ତୁ କେଉଁ କେଉଁ ରୁଟରେ ଚାଲିବ ସି-ପ୍ଲେନ

45

କନକ ବ୍ୟୁରୋ : ଓଡ଼ିଶାରେ ସି-ପ୍ଲେନ ସେବା ଆରମ୍ଭ କରିବା ପାଇଁ ସ୍ପାଇସ୍ ଜେଟ୍ ଅଫର ଦେଇଛି । ଆଉ ସ୍ପାଇସ୍ ଜେଟର ଏହି ଅଫର ସହ ସି-ପ୍ଲେନ ସେବା ପାଇଁ ଆଉ ପାଦେ ଆଗକୁ ବଢ଼ିଲା ଓଡିଶା । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ସ୍ପାଇସ୍ ଜେଟ ପକ୍ଷରୁ ଚିଠି ଲେଖାଯାଇଛି । ରାଜ୍ୟର ୩ଟି ରୁଟରେ ସି-ପ୍ଲେନ ସେବା ଯୋଗାଇଦେବାକୁ ଅଫର ଦେଇଛି ସ୍ପାଇସ ଜେଟ । ପ୍ରଥମ ରୁଟଟି ଭୁବନେଶ୍ୱରରୁ ପୁରୀ ଭାୟା ଚିଲିକା ରୁଟ୍ ପାଇଁ ପ୍ରସ୍ତାବ ଥିବା ବେଳେ ଦ୍ୱିତୀୟ ରୁଟଟି ଭୁବନେଶ୍ୱରରୁ ଚାନ୍ଦିପୁର ଭାୟା ଭିତରକନିକା ପାଇଁ ପ୍ରସ୍ତାବ ରହିଛି । ୩ୟ ରୁଟଟି ଭୁବନେଶ୍ୱରରୁ ହୀରାକୁଦ ଡ଼୍ୟାମ (ସମ୍ବଲପୁର)କୁ ସେବା ଯୋଗାଇବା ପାଇଁ ପ୍ରସ୍ତାବ ଦେଇଛି ସ୍ପାଇସ ଜେଟ ।

ଚିଲିକାରେ ସି-ଏରୋଡ଼୍ରେମ ପାଇଁ ଯୋଜନା କରିଛି ଏଏଆଇ । ଆଉ ଏଥିପାଇଁ ପ୍ରାରମ୍ଭିକ ସର୍ଭେ ଶେଷ ହୋଇଛି । କେନ୍ଦ୍ରୀୟ ଟିମ ପୂର୍ବରୁ ଚିଲ୍ଲିକା ପରିଦର୍ଶନ କରି ସାରିଛନ୍ତି । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀ, ସ୍ପାଇସ୍ ଜେଟ୍, ଭୁବନେଶ୍ୱର ପାଣିପାଗ କେନ୍ଦ୍ର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଜଳସମ୍ପଦ ବିଭାଗର ଅଧିକାରୀଙ୍କୁ ନେଇ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ୍ ଚିଲିକାକୁ ବିଭିନ୍ନ ଦିଗରୁ ସର୍ଭେ କରିଛନ୍ତି। ଗତ ଜୁନ୍ ୧୪ ଓ ୧୫ତାରିଖରେ ଭାରତୀୟ ବିମାବନ୍ଦବନ୍ଦର କର୍ତ୍ତୃପକ୍ଷଙ୍କ ମହାପ୍ରବନ୍ଧକ (ଆର୍କିଟେକ୍ଟ) ସଙ୍ଗୀତା ମହାୟଙ୍କ ନେତୃତ୍ୱରେ ଏହି ଟିମ୍ ଚିଲିକାରେ ବିମାନବନ୍ଦର ପାଇଁ ଫିଜିବିଲିଟି ଷ୍ଟଡି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୧୦କୋଟି ଟଙ୍କା ବ୍ୟୟରେ ଏହି ବିମାନବନ୍ଦର ନିର୍ମାଣ ହେବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କ ସୂଚନା ଅନୁଯାୟୀ, ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଏକ ସ୍ୱତନ୍ତ୍ର ଟିମ୍ ଆସି ଚିଲିକାରେ ବିମାନବନ୍ଦର ପାଇଁ ଟେକନିକାଲ୍ ଷ୍ଟଡି କରି ଫେରିଛନ୍ତି। ସେମାନେ ସାତପଡ଼ା ଏବଂ ବାଲୁଗାଁ ପାର୍ଶ୍ୱରୁ ଚିଲିକାର ସର୍ଭେ କରିଛନ୍ତି। କିପରି ବିମାନ ଅବତରଣ କରିବ, କେଉଁ ଦିଗରେ ବିମାନବନ୍ଦର କଲେ ଅଧିକ ସମସ୍ୟା ରହିବନି, କେଉଁଠୁ ଅଧିକ ଯାତ୍ରୀ ଏହାର ସୁବିଧା ନେଇ ପାରିବେ ସେନେଇ ସର୍ଭେ କରିଛନ୍ତି।

ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଦେଶରେ ଏହିଭଳି ପାଣିରେ ବିମାନବନ୍ଦର ଥିବାବେଳେ ଆମ ଦେଶରେ ଏହା ଆରମ୍ଭ ହେବାକୁ ଯାଉଛି। ଚିଲିକାରେ ପ୍ରସ୍ତାବିତ ‘ଓ୍ଵାଟର ଏରୋଡ୍ରମ୍’ ପାଇଁ ଫିଜିବିଲିଟି ଷ୍ଟଡି ସମୟରେ ଜାଣିବାକୁ ମିଳିଛି ଯେ, ସାତପଡ଼ା ପାର୍ଶ୍ୱରେ ବହୁତ ଚିଙ୍ଗୁଡ଼ି ଘେରି ରହିଛି, ଏହି ପାର୍ଶ୍ୱରେ ଦଳ ଅଧିକ ରହିବା ସହ ପାଣି ବି କମ୍ ରହୁଛି। ସାତପଡ଼ାରୁ ସି-ପ୍ଲେନ୍/ଆମ୍ଫିବିଆନ୍ ଉଡ଼ାଣ କଲେ ଆବଶ୍ୟକୀୟ ଯାତ୍ରୀ ହେବାର ସମ୍ଭାବନା କମ୍ ଥିବାରୁ ବାଲୁଗାଁ ପାର୍ଶ୍ୱରେ ଏହି ବିମାନବନ୍ଦର କରିବାକୁ ଯୋଜନା ହେଉଛି। ବାଲୁଗାଁ ପାର୍ଶ୍ୱରେ ଅଧିକ ପାଣି ରହୁଥିବାବେଳେ ଅପେକ୍ଷାକୃତ କମ୍ ଦଳ ରହିଛି। ଗମନାଗମନ ଦୃଷ୍ଟିରୁ ଏହି ପାର୍ଶ୍ୱଟି ଆଗରେ ରହିଛି। କିନ୍ତୁ ଏଏଆଇ ଟିମ୍ ସର୍ଭେ ରିପୋର୍ଟ ପ୍ରଦାନ କରିବା ପରେ ନିଷ୍ପତ୍ତି ନିଆଯିବ।

ଅପରପକ୍ଷେ ପାଣି ଭିତରେ ବିମାନବନ୍ଦର ହେଲେ ଏଥିରେ ଯୁଦ୍ଧ ବିମାନ ଅବତରଣ କରିବା ସହ ଗୋଟିଏ ଇଞ୍ଜିନ ବିଶିଷ୍ଟ ବିମାନ ଅବତରଣ କରିବ। ଏଠାରେ ପ୍ରାୟ ୫୦୦ ଫୁଟର ରନେଓ୍ଵ ନିର୍ମାଣ କରାଯିବ। ପରବର୍ତ୍ତୀ ସମୟରେ ଏଠାରୁ ‘ଉଡ଼ାଣ’ ଯୋଜନାରେ ବିମାନ ସେବା ଆରମ୍ଭ ହେବ। ଏବେ ସ୍ପାଇସ୍ ଜେଟ୍ ବିମାନ କମ୍ପାନି ବିମାନ ସେବା ଆରମ୍ଭ କରିବାକୁ ଆଗ୍ରହୀ ହୋଇଛି। ସାରା ଦେଶରେ ୧୬ଟି ଏହିପରି ପାଣି ଭିତରେ ବିମାନବନ୍ଦର ନିର୍ମାଣ କରିବାକୁ ଯୋଜନା ହୋଇଥିବାବେଳେ ଏଥିପାଇଁ ସ୍ପାଇସ୍ ଜେଟ୍ ପ୍ରାୟ ୧୦୦ଟି ଆମ୍ଫିବିଆନ୍ କିଣିବାକୁ ଘୋଷଣା କରିଛି।