ଦ୍ୱୈତନଗରୀରେ ଟ୍ରାଫିକ୍ ଆଇନ କଡାକଡି । ସହର ଭିତରେ ଘଂଟାପ୍ରତି ୫୦ କିମିରୁ ଅଧିକ ବେଗରେ ଚଳାଇ ହେବନି ଗାଡି

ବିଭିନ୍ନ ଛକରେ ଧରପଗଡ, ଆଦାୟ ହେଉଛି ଲକ୍ଷ ଲକ୍ଷ ଟଙ୍କାର ଫାଇନ୍

368

କନକ ବ୍ୟୁରୋ: ଦ୍ୱୈତନଗରୀରେ ଟ୍ରାଫିକ୍ ଆଇନ କଡାକଡି କଲା କମିଶନରେଟ୍ ପୋଲିସ୍ । କମିଶନରେଟ୍ ପୋଲିସ ଅଧିନରେ ଯାଉଥିବା ଅଂଚଳରେ ଘଂଟାପ୍ରତି ୫୦ କିମିରୁ ଅଧିକ ବେଗରେ ଗାଡି ଚଳାଇଲେ ଦେବାକୁ ପଡିବ ଜରିମାନା । ଏନେଇ ଆଡଭାଇଜରୀ ଜାରି କରାଯାଇଛି । କମିଶନରରେଟ ପୋଲିସ ଅଧିନରେ ଯାଉଥିବା ଅଂଚଳ ଭିତରେ ବାଇକ୍ ଚାଳକ ଘଂଟାପ୍ରତି ୫୦ ପ୍ରତି କମିରୁ ଅଧିକ ବେଗରେ ଗାଡି ନଚଳେଇବାକୁ ନର୍ଦ୍ଦେଶାବଳୀ ଜାରି କରାଯାଇଛି । ତେବେ ଜାତୀୟ ରାଜପଥରେ ପଳାସୁଣିରୁ ବାଲିକୁଦା ପର୍ଯ୍ୟନ୍ତ ଘଂଟାପ୍ରତି ୭୦ କିଲୋମିଟର ବେଗରେ ଗାଡି ଯାତାୟତ କରିପାରିବେ ବୋଲି ଏଥିରେ କୁହାଯାଇଛି । ଏହାଠାରୁ ଅଧିକ ବେଗରେ ଗାଡି ଚଳାଇଲେ ଜରିମାନା ଆଦାୟ ହେବ ବୋଲି କମିଶନରେଟ ପୋଲିସ୍ ପକ୍ଷରୁ କୁହାଯାଇଛି ।

 

image courtesy – www.thehindu.com

ଅନ୍ୟପଟେ, ଟ୍ରାଫିକ୍ କଟକଣାକୁ କଡାକଡି କରିବା ପରେ ରବିବାର ଭୁବନେଶ୍ୱର ଆରଟିଓ -୨ରୁ ୪୭ ଜଣ ନିୟମ ଉଲଘଂନକାରୀ ଧରାପଡିଛନ୍ତି । ସେମାନଙ୍କଠାରୁ ଜରିମାନା ବାବଦକୁ ୩ଲକ୍ଷ ୩୫ ହଜାର ଟଙ୍କାର ଚାଲାଣ କଟାଯାଇଥିବା ସୂଚନା ମିଳିଛି । ସେହିପରି ଆରଟିଓ-୧ରେ ୩୮ ଜଣ ନିୟମ ଉଲଂଘନକାରୀଙ୍କଠାରୁ ୧ଲକ୍ଷ ୩୩ ହଜାର ଟଙ୍କା ଆଦାୟ ହୋଇଛି । କେନ୍ଦୁଝରରେ ବିନା ହେଲମେଟରେ ୬୦ ଜଣରୁ ଅଧିକ ଧରାପଡିଛନ୍ତି । ୧୦ ଜଣ ମଦୁଆ ଗାଡି ଚାଳକ ଗିରଫ ହୋଇଥିବା ବେଳେ ଏକ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଆଦାୟ ହୋଇଛି । ସଂଧ୍ୟାରୁ ଯାଂଚକୁ ଆହୁରି ଜୋରଦାର କରାଯାଇଛି ।

ଭଦ୍ରକରେ ୧୯ ଜଣଙ୍କ ଠାରୁ ୪୨ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି । ମୋବାଇଲରେ କଥା ହେଉଥିବା, ସିଟ୍ ବେଲ୍ଟ ବାନ୍ଧି ନଥିବା ଓ ବାଇକରେ ୨ରୁ ଅଧିକ ବସିଥିବା ଲୋକଙ୍କ ଠାରୁ ଏହି ରାଶି ଆଦାୟ ହୋଇଛି । ବାଲେଶ୍ୱରରେ ୬୫ ଜଣ ଟ୍ରାଫିକ ନିୟମ ଉଲଙ୍ଘନ କରି ଧରାପଡିଛନ୍ତି । ସେମାନଙ୍କଠାରୁ ଲକ୍ଷେ ଟଙ୍କାରୁ ଅଧିକ ଜରିମାନା ଆଦାୟ ହୋଇଥିବାବେଳେ ୪ଜଣଙ୍କୁ ଗିରଫ କରିଛି ପୋଲିସ୍ । ସେହିପରି ଭଦ୍ରକ ଜିଲ୍ଲାରେ ଟ୍ରାଫିକ ନିୟମ ଖିଲାପକାରୀଙ୍କ ଠାରୁ ୬୫ ହଜାର ଟଙ୍କା ଆଦାୟ ହୋଇଥିବା ବେଳେ ୨ ଜଣ ମଦୁଆ ଡ୍ରାଇଭର ଗିରଫ ହୋଇଛନ୍ତି । ନୟାଗଡରେ ୧୨ ହଜାର ଟଙ୍କା ଜରିମାନା ଆଦାୟ ହେବା ସହ ୫ଜଣ ମଦ୍ୟପ ଚାଳକଙ୍କୁ ଗିରଫ କରିଛି ପୋଲିସ୍ ।