ସରକାର ଗଠନ ପରେ ଏବେ ରାଜ୍ୟସଭା ଉପରେ ଆଖି । ଖାଲିପଡିଛି ୪ ସିଟ୍ । ପରାଜିତ ନେତାଙ୍କ ଭିତରେ ଆଶା ଓ ଆଶଙ୍କା, କିଏ ପାଇବ ରାଜ୍ୟସଭା ଟିକେଟ୍ ?

537

କନକ ବ୍ୟୁରୋ : ସାଧାରଣ ନିର୍ବାଚନରେ ସରକାର ଗଠନର ପ୍ରକ୍ରିୟା ଶେଷ ହେବା ପରେ ବର୍ତମାନ ରାଜ୍ୟସଭା ରାଜନୀତିକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ବିଜେଡିର ଚାରି ଚାରି ଜଣ ରାଜ୍ୟସଭା ସାଂସଦ ବିଧାନସଭା ନିର୍ବାଚନ ଲଢି ବାଜିମାତ କରିବା ପରେ ବର୍ତମାନ ସେମାନଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା ସେନେଇ ଚାଲିଛି ଅଙ୍କକଷା । ସେପଟେ ସାଧାରଣ ନିର୍ବାଚନରେ ଟିକେଟରୁ ବଂଚିତ ହୋଇଥିବା କିଛି ପୁରୁଖା ନେତାଙ୍କୁ ନବୀନ ରାଜ୍ୟସଭା ପଠାଇବାର ପ୍ରତିଶ୍ରୁତି ଦେଇଥିବାରୁ ବିଜେଡି ନେତାଙ୍କ ଭିତରେ ଆରମ୍ଭ ହୋଇଗଲାଣି ରାଜ୍ୟସଭା ଲବି ।

ଓଡିଶାର ବିଧାନସଭା ଓ ଲୋକସଭା ନିର୍ବାଚନରେ ଟିକେଟରୁ ବଂଚିତ ହୋଇଥିବା କିଛି ପୁରୁ୍ଖା ନେତାଙ୍କୁ ରାଜ୍ୟସଭା ପଠାଇବାର ପ୍ରତିଶ୍ରୁତି ଦେଇଥିଲେ ନବୀନ । ଆଉ ନିର୍ବାଚନ ସରିବା ପରେ ନେତାଙ୍କ ଭିତରେ ଆରମ୍ଭ ହୋଇଯାଇଛି ରାଜ୍ୟସଭା ନେଇ ଅଙ୍କକଷା । ଏହାରି ଭିତରେ ନବୀନଙ୍କ ପ୍ରତିଶ୍ରୁତିକୁ ନେଇ ଆଶା ବାନ୍ଧିଲେଣି ନେତା ।

ବିଜେଡିର ଚାରି ଚାରିଜଣ ରାଜ୍ୟସଭା ସାଂସଦ ୨୦୧୯ ବିଧାନସଭା ନିର୍ବାଚନ ଲଢି ବାଜିମାତ କରିଛନ୍ତି । ସୈାମ୍ୟରଞ୍ଜନ ପଟ୍ଟନାୟକ, ଅନୁଭବ ମହାନ୍ତି, ଅଚ୍ୟୁତ ସାମନ୍ତ ଓ ପ୍ରତାପ ଦେବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେମାନେ ବିଧାୟକ ନିର୍ବାଚିତ ହୋଇଛନ୍ତି । ବର୍ତମାନ ଏସବୁ ରାଜ୍ୟସଭା ଆସନ ଖାଲି ହେବା ଏକ ପ୍ରକାର ନିଶ୍ଚିତ । ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକାଳ ୫ବର୍ଷ ପାଖାପାଖି ବାକି ରହିଛି । ପ୍ରତାପ ଦେବଙ୍କ କାର୍ଯ୍ୟକାଳ ମଧ୍ୟ ୩ ବର୍ଷରୁ ଅଧିକ ବାକି ରହିଛି । ତେବେ ଅନୁଭବଙ୍କ ସାଂସଦ ଅବଧି ମାତ୍ର ୧୦ ମାସ ବାକି ରହିଛି । ଏସବୁ ଭିତରେ ବିଧାନସଭାର ଗଣିତକୁ ହିସାବ କଲେ ଗୃହରେ କେବଳ ବିଜେଡି ପ୍ରାର୍ଥୀ ହିଁ ରାଜ୍ୟସଭା ନିର୍ବାଚନରେ ବିଜୟୀ ହେବାର ସମ୍ଭାବନା ଅଧିକ । ତେଣୁ ଦଳୀୟ ନେତାଙ୍କ ଭିତରେ ରାଜ୍ୟସଭାକୁ ନେଇ ଯେତିକି ଉତ୍କଣ୍ଠା ସେତିକି ଆଶଙ୍କା ।

୨୦୧୯ରେ ବିଜେଡିର କିଛି ହେଭିୱେଟ୍ ନେତାଙ୍କର ଚଳିତ ନିର୍ବାଚନରେ ପରାଜୟ ଘଟିଛି । ବାଲେଶ୍ୱର ଲୋକସଭାରୁ ରବିନ୍ଦ୍ର ଜେନା, ବ୍ରହ୍ମଗିରି ବିଧାନସଭାରୁ ସଂଜୟ ଦାସବର୍ମା, ରାଜ୍ୟସଭା ରେସରେ ଥିବା ଚର୍ଚ୍ଚା ହେଉଛି । ସେହିପରି ଦୁଇ ପୂର୍ବତନ ବ୍ୟୁରୋକ୍ରାଟ୍ ଅରୂପ ପଟ୍ଟନାୟକ ଓ ଅମର ପଟ୍ଟନାୟକ ମଧ୍ୟ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ହେଉଛି । ପୂର୍ବରୁ ପୁରୁଖା ନେତାଙ୍କ ସହ ଯୁବ ଚେହେରାଙ୍କୁ ବି ସୁଯୋଗ ଦେଇଛନ୍ତି ନବୀନ । । ସେପଟେ ନିର୍ବାଚନରେ ଟିକେଟ୍ ପାଇନଥିବା ବିଜେଡିର କିଛି ଅସନ୍ତୁଷ୍ଟ ନେତା ମଧ୍ୟ ରାଜ୍ୟସଭା ଉପରେ ନଜର ରଖିଛନ୍ତି ।