ସେଂଚୁରିଆନରେ ଶତକ ପରେ ୱେଡିଂ ରିଙ୍ଗକୁ କିସ୍ କଲେ କ୍ୟାପଟେନ କୋହଲି ! ଟ୍ୱିଟରରେ ଫ୍ୟାନଙ୍କ ପ୍ରଶଂସା

40

ସେଂଚୁରିଆନ ଟେଷ୍ଟରେ ଦେଢଶହ ରନ୍ ସ୍କୋର କରିବା ପରେ ନିଜ ୱେଡିଂ ରିଂକୁ କିସ୍ କଲେ କ୍ୟାପଟେନ କୋହଲି । ୮୯ତମ ଓଭରରେ ମନି ମର୍କେଲଙ୍କ ବଲରୁ ଦେଢଶହ ରନ ପୁରା କରିଥିଲେ କୋହଲି । ୱେଡିଂ ରିଂକୁ ନିଜ ଗଳାରେ ଝୁଲାଇଥିବାବେଳେ ପଡିଆ ମଝିରେ ଏହାକୁ କିସ୍ କରି ଜୀବନସାଥୀ ଅନୁଷ୍କା ଶର୍ମାଙ୍କ ପ୍ରତି ତାଙ୍କ ଭଲପାଇବାକୁ ପ୍ରଦର୍ଶନ କରିଥିଲେ କୋହଲି । ଯାହାକୁ ଟ୍ୱିଟରରେ ଖୁବ ପ୍ରଂଶସା କରିଛନ୍ତି ଦୁହିଙ୍କର ଅଗଣିତ ଫ୍ୟାନ ।

ଇଟାଲିରେ ଗତ ଡିସେମ୍ବରରେ ନିଜ ଅନେକ ଦିନର ସାଥୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି ବିରାଟ କୋହଲି । ଏବଂ ବିବାହ ପରେ ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ । ଯେଉଁଥିରେ ସେ ଏକ ଦମଦାର ପାଳି ଖେଳି ଟିମ୍ ଇଣ୍ଡିଆକୁ ସଂକଟରୁ ଉଦ୍ଧାର କରିଛନ୍ତି । ଦକ୍ଷିଣ ଆଫ୍ରିକା ବିରୋଧରେ ସେଂଚୁରିଆନରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ୧୫୩ ରନ ସଂଗ୍ରହ କରିଛନ୍ତି । ଏହା ତାଙ୍କର ୨୧ତମ ଟେଷ୍ଟ ଶତକ । ଦଳ ୩୦୬ ରନ କରିବାକୁ ସକ୍ଷମ ହୋଇଛି ।

କିନ୍ତୁ ଦକ୍ଷିଣ ଆଫ୍ରିକାଠାରୁ ୨୮ ରନ ପଛରେ ରହିଛି ଭାରତ । ଏଥିସହ ଡନ୍ ବ୍ରାଡମ୍ୟାନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି କ୍ୟାପଟେନ କୋହଲି । ଅଧିନାୟକ ଭାବେ ଅଷ୍ଟମଥର ପାଇଁ ଦେଢଶହ ରନ ପୁରା କରିବାର ବିରଳ ରେକର୍ଡ କରିଛନ୍ତି କ୍ୟାପଟେନ କୋହଲି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ୭ଥର ଦେଢଶହ ରନ୍ ପୁରା କରିଛନ୍ତି ।