ତୃତୀୟ ମହଲାରେ ବୈଷ୍ଣବ, ନବୀନ ନନ୍ଦ । ସମାଲୋଚନା ପରେ ଡାକରା

15

କନକ ବ୍ୟୁରୋ : ଅଦିନରେ ଆସିଲା ତୃତୀୟ ମହଲାରୁ ଡକରା । ସୋମବାର ବୈଷ୍ଣବ ପରିଡା ଓ ନବୀନ ନନ୍ଦଙ୍କୁ ଡକାଇ ଆଲୋଚନା କରିଛନ୍ତି ସୁପ୍ରିମୋ ନବୀନ ପଟନାୟକ । କିଛି ଦିନ ପୂର୍ବରୁ ଦଳ ଓ ତୃତୀୟ ମହଲାକୁ ନେଇ ସମାଲୋଚନା କରିବା ପରେ ଗତକାଲି ନବୀନଙ୍କ ଏହି ଡାକରା ଆଲୋଚନା ପାଇଁ ଖୋରାକ ଯୋଗାଇଛି । ନବୀନଙ୍କ ସହ ଆଲୋଚନା ପରେ ଉଭୟ ନେତା ୟୁ ଟର୍ଣ୍ଣ ମାରିଛନ୍ତି । ବୈଷ୍ଣବ କହିଛନ୍ତି, ଭାଷା ଆୟୋଗ ନେଇ ନବୀନ ତାଙ୍କ ସହ ଆଲୋଚନା କରିଛନ୍ତି । ସେ କାହାକୁ ବିରୋଧ କରୁନାହାଁନ୍ତି ବୋଲି କହିଛନ୍ତି । ସେପଟେ ନବୀନ ନନ୍ଦ କହିଛନ୍ତି, ସେ ମଧ୍ୟ କେବେ ସୁପ୍ରିମୋଙ୍କୁ ବିରୋଧ କରିନାହାଁନ୍ତି । ସେ ଦଳରେ ଅଛନ୍ତି ଓ ରହିବେ ବୋଲି କହିଛନ୍ତି ।

ଦୁଇ ଦିନ ତଳେ ତୃତୀୟ ମହଲାର କାର୍ୟ୍ୟଶୈଳୀକୁ ନେଇ ଏକ ଘରୋଇ ଚ୍ୟାନେଲରେ ମୁହଁ ଖୋଲିଥିଲେ ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା ଓ ପୂର୍ବତନ ବିଧାୟକ ନବୀନ ନନ୍ଦ। ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜାରି ରହିଥିଲା ବେଳେ ଗତକାଲି ଉଭୟ ନେତାଙ୍କୁ ହଠାତ ସଚିବାଳୟରେ ଦେଖିବାକୁ ମିଳିଥିଲା। ସେମାନେ ଅପରାହ୍ନରେ ସଚିବାଳୟ ଆସି ସିଧା ତୃତୀୟ ମହଲାକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଅଲଗା ଅଲଗା ଭେଟିଥିଲେ। ତୃତୀୟ ମହଲାକୁ ସମାଲୋଚନା କରିବାର କିଛି ଘଣ୍ଟା ପରେ ଉଭୟ ନେତା ପୁଣି ତୃତୀୟ ମହଲା ଯିବା ଘଟଣା ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଇଛି।

ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ କି ଆଲୋଚନା କଲେ, ସେ ନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ମିଳି ନାହିଁ। ତେବେ ଶ୍ରୀ ପରିଡ଼ା କହିଛନ୍ତି, ଭାଷା ଆୟୋଗ ଗଠନ ନେଇ ଆଲୋଚନା କଲି। ଭାଷା ସଂକ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲି। ସେହିପରି ଶ୍ରୀ ନନ୍ଦ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ଦଳୀୟ ବ୍ୟାପାର ଆଲୋଚନା ହେଲା। ୨୦୧୯ରେ ଦଳୀୟ ଟିକେଟ୍ ପାଇବା ନେଇ ମୁଁ ଆଶାବାଦୀ। ଟିକେଟ୍ ନ ମିଳିଲେ ବି ସ୍ୱାଧୀନ ଭାବେ ଲଢ଼ିବି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.