ପାହାଡ଼ କାଟି ରାସ୍ତା ନିର୍ମାଣ କଲେ ଆଦିବାସୀ । ଆଉ ଏକ ଦଶରଥ ମାଂଝୀ ଭଳି କାହାଣୀ

48

ସିନେମା ‘ମାଂଝି’ ବିଷୟରେ ଆପଣଙ୍କୁ ମନେଥିବ ନିଶ୍ଟୟ । ଯେଉଁଥିରେ ଦଶରଥ ମାଂଝୀ ନାମକ ଜଣେ ବ୍ୟକ୍ତି ନିଜ ଗାଁକୁ ରାସ୍ତା ନଥିବାର ଦେଖି ନିଜେ ଏକାକୀ ବଡ ପାହାଡ଼ ଭାଙ୍ଗି ତା ମଧ୍ୟରେ ନିର୍ମାଣ କରିଥିଲେ ରାସ୍ତା । ମାତ୍ର ଆଜି ଆମେ ଯେଉଁ ଘଟଣା ସଂପର୍କରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ତାହା କୌଣସି ସିନେମା କାହାଣୀ ନୁହେଁ, ବାସ୍ତବ ଚିତ୍ର ଅଟେ । ଏକ ଏଭଳି ଗାଁ ଯେଉଁଠି ସରକାରଙ୍କର ସମସ୍ତ ଯୋଜନା ପାଲଟିଥିଲା ସାତସପନ । ଯାହାର ସବୁଠାରୁ ବଡ ସମସ୍ୟା ରହିଥିଲା ଯାତାୟତ ସମସ୍ୟା ।

କାରଣ ଏହିଁ ଗାଁର ଲୋକମାନେ ସହରକୁ ଯିବା ତ ଦୂରର କଥା ପାଖ ବସ୍ତିକୁ ବି ଯିବାପାଇଁ ହେଲେ ସେମାନଙ୍କୁ ସହିବାକୁ ପଡୁଥିଲା ଅନେକ ବାଧାବିଘ୍ନ । କିନ୍ତୁ ଆଜି ସେମାନଙ୍କର ଏହି ସମସ୍ୟା ଏକପ୍ରକାରେ ଦୂର ହୋଇଛି କାରଣ ଏମାନଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ଦୃଢ ଇଚ୍ଛା ଶକ୍ତି ଓ ସଂଘବଦ୍ଧ ମନୋଭାବ କାରଣରୁ ତାହା ସମ୍ଭବ ହୋଇପାରିଛି ।

ସୂଚନା ମୁତାବକ, ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲା ଚନ୍ଦେରୀ ବ୍ଲକର ନିଦାନପୁର ଗାଁରେ ବାସ କରନ୍ତି ପାଖାପାଖି ୨୦୦ରୁ ଅଧିକ ଆଦିବାସୀ ପରିବାର । ଏହି ଗାଁର ଯେଉଁଆଡକୁ ଚାହିଁଲେ ଖାଲି ପାହାଡ ହିଁ ପାହାଡ଼ ନଜର ଆସିଥାଏ । ଖାଲି ସେତିକି ନୁହେଁ ଗୋଟିଏ ବସ୍ତିରୁ ଆଉ ଏକ ବସ୍ତି ମଧ୍ୟରେ ଦୂରତା ରହିଛି ଅଧିକ । ଗାଁଲୋକଙ୍କର ଏକମାତ୍ର ଭରସା ଥିଲା ଏହି ଆବୁଡା ଖାବୁଡା ରାସ୍ତା । ବର୍ଷାଦିନେ ଏମାନଙ୍କ ପାଇଁ ଯାତାୟତ ସମସ୍ୟା ଆହୁରି ବଢିଯାଇଥାଏ । ମାତ୍ର ଏମାନଙ୍କ ଏହି ସମସ୍ୟା ଉପରେ କେବେ ହେଲେ ସରକାରଙ୍କର କୃପାଦୃଷ୍ଟି ପଡିନଥିଲା । ଦିନେ ଗାଁଲୋକେ ଏକଜୁଟ ହୋଇ ରାସ୍ତା ତିଆରି କରିବାକୁ ନିଷ୍ପତି ନେଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ମାତ୍ର ଅଳ୍ପ କେଇଟା ଦିନ ଭିତରେ ଗାଁଲୋକ ମିଶି ବିରାଟକାୟ ପାହାଡକୁ ଭାଙ୍ଗି ନିର୍ମାଣ କରିଦେଇଥିଲେ ରାସ୍ତା ।

ସ୍ଥାନୀୟ ବାସିନ୍ଦା ହଲ୍କିବାଇ ନାମକ ଜଣେ ୩୫ ବର୍ଷିୟା ମହିଳା ପାହାଡ ମଧ୍ୟରେ ତିଆରି ହୋଇଥିବା ରାସ୍ତାକୁ ଇଙ୍ଗିତ କରି କୁହନ୍ତି, ‘ଯେତେବେଳେ ଏହି ରାସ୍ତା ତିଆରି ହୋଇ ନଥିଲା, ପାହାଡ଼ ଉପରେ ଚଢିବା ବହୁତ ମୁସ୍କିଲ୍ ଥିଲା । ଅଧିକାଂଶ ସମୟରେ ତ ଏମିତି ବି ହୋଇଥାଏ କି ଲୋକେ ଏଠାରେ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାନ୍ତି । ତେବେ ଏହି ସୁନସାନ୍ ବସ୍ତି ଉପରେ ଯେ କେବେ ସରକାରଙ୍କର ନଜର ପଡିବ ତାହା ଆମେ କେବେ ଆଶା ରଖିନଥିଲୁ ଆଉ ଯେଉଁଥିପାଇଁ ଆମେ ସମସ୍ତେ ଏକାଠି ହୋଇ ଗୋଟିଏ ସପ୍ତାହ ଭିତରେ ଲାଗିପଡି ରାସ୍ତା ତିଆରି କରିଦେଲୁ’ ।

ସେ ପୁଣି ମଧ୍ୟ କୁହନ୍ତି କି, ‘ଏହି ପାହାଡ ଉପରେ ବିରାଟକାୟ ପଥର ଥିଲା , ଯାହାକି ରାସ୍ତା ତିଆରି ପାଇଁ କୌଣସି କଠିନତାରୁ କମ୍ ନଥିଲା । କିନ୍ତୁ ଯେତେବେଳେ ଆମେ ସମସ୍ତେ ଏକାଠି ହୋଇ ରାସ୍ତା ନିର୍ମାଣ ପାଇଁ ନିଷ୍ପତି ନେଲୁ ସେତେବେଳେ ଏହି କଷ୍ଟ କାମକୁ ଆମେ ମିଳିମିଶି ମାତ୍ ଦେଇଥିଲୁ । ଆଜି ରାସ୍ତା ତିଆରି ହୋଇଯାଇଛି । ଆଉ ଏଥିସହିତ ମଧ୍ୟ ଆମେ ଆମର ହକ୍ ପାଇଥିଲୁ ଅର୍ଥାତ୍ ଏହି ରାସ୍ତା ନିର୍ମାଣ ହେବା ପରେ ଆମ ମୁଖିଆ ଆମକୁ ଆବାସିୟ ଆବାସ୍ ମଧ୍ୟ ଦେଇଛନ୍ତି’ । ଖାଲି ହଲ୍କିବାଇ ନୁହେଁ ତାଙ୍କ ଭଳି ମଧ୍ୟ ଶତାଧିକ ମହିଳା ଓ ପୁରୁଷମାନେ ମିଶି ସେହି ବଡ ବଡ ପଥରକୁ ଭାଙ୍ଗି ରାସ୍ତା ନିର୍ମାଣ କରିଥିଲେ ।

ସେହିପରି ଅନ୍ୟଜଣେ ବାସ୍ତିନ୍ଦା ନିଜ ଗୋଡରେ ଲାଗିଥିବା ଆଘାତକୁ ଦେଖାଇ କହିଛନ୍ତି କି, ‘ଥରେ କାଠ ପାଇଁ ଜଙ୍ଗଲକୁ ଯାଉଥିବାବେଳେ ସେଠାରେ ମୁଁ ଖସି ପଡିଥିଲା ଯାହାଦ୍ୱାରା ମୁଁ ଗଭୀର ଭାବେ ଆହତ ହୋଇଥିଲି ,ଆବୁଡା ଖାବୁଡା ରାସ୍ତାରେ ଚାଲିବା ବହୁତ କଷ୍ଟ ଥିଲା । ପ୍ରତିଦିନ କେହି ନା କେହି ଏଭଳି ଅନେକ ଦୁର୍ଘଟଣାର ଶିକାର ହୋଇଥାନ୍ତି । ରାସ୍ତା ନିର୍ମାଣ ପାଇଁ ଜଣଙ୍କ ନିକଟରେ ସେତିକି ସାହସ ନଥିଲା କିନ୍ତୁ ଯେତେବେଳେ ସମସ୍ତେ ମିଶି ଏହି କାମ କରିଥିଲେ ତେବେ ମାତ୍ର କେଇଟା ଦିନ ଭିତରେ ରାସ୍ତା ତିଆରି ହୋଇ ହୋଇଗଲା ,ଏବେ ଆମମାନଙ୍କର ସମସ୍ୟା ମଧ୍ୟ କିଛିଟା ମାତ୍ରାରେ ଶେଷ ହୋଇଛି’ ।