ପଂଜାବର ପାଗଳା ପୁଲିସ : ପେଟରୁ ବାହାରିଲା ୪୦ଟି ଛୁରି , ଡାକ୍ତର ତାଜୁବ୍

57

source-http://timesofindia.indiatimes.com/

ଏକ ଅଜବ ଘଟଣାରେ ଡାକ୍ତରଙ୍କ ଦଳ ଅସ୍ତ୍ରୋପଚାର କରି ଜଣେ ବ୍ୟକ୍ତିର ପେଟରୁ ୪୦ଟି ଛୁରି ବାହାର କରିଛନ୍ତି। ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିବା ଡାକ୍ତର ଜତିନ୍ଦର ମାଲହୋତ୍ରା କହିଛନ୍ତି ୪୨ ବର୍ଷୀୟ ପୁଲିସ କନଷ୍ଟେବଳଙ୍କୁ ପେଟରେ ଯନ୍ତ୍ରଣା ଓ ଦୁର୍ବଳତା ଯୋଗୁଁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କନଷ୍ଟେବଳଙ୍କ ପେଟର ଅଲଟ୍ରାସାଉଣ୍ଡ କରାଯିବା ସହିତ ଏଣ୍ଡୋସ୍କୋପି କରାଯାଇଥିଲା। ଏଥିରୁ ପେଟରେ ଛୁରି ଭଳି ସାମଗ୍ରୀ ରହିଥିବା ଜଣାପଡିଥିଲା। ଏହାପରେ କନଷ୍ଟେବଳଙ୍କ ପେଟର ସିଟିସ୍କାନ କରାଯାଇଥିଲା। ଏଥିରୁ ତାଙ୍କ ପେଟରେ ଅନେକ ଛୁରି ରହିଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ଡାକ୍ତରମାନେ କନଷ୍ଟେବଳଙ୍କୁ ଏନେଇ ପ୍ରଶ୍ନ କରିବାରୁ ସେ କିଛିଦିନ ହେବ ମାନସିକ ସମସ୍ୟାରେ ପୀଡିତ ଥିବା ଦର୍ଶାଇଥିଲେ।

ଏଥିଯୋଗୁଁ ବିଗତ ଦୁଇ ମାସରେ ସେ ବିଭିନ୍ନ ଆକୃତିର ୪୦ଟି ଛୁରି ଗିଳି ଦେଇଥିବା କହିଥିଲେ। ଶେଷରେ ଅସ୍ତ୍ରୋପଚାର ଲାଗି ଡାକ୍ତରଙ୍କ ଏକ ଦଳ ଗଠନ କରାଯାଇଥିଲା ଓ କନଷ୍ଟେବଳଙ୍କ ପେଟରୁ ୪୦ଟି ଛୁରି ବାହାର କରାଯାଇଥିଲା। ଅସ୍ତ୍ରୋପଚାର କରିଥିବା ଜଣେ ଡାକ୍ତର କହିଛନ୍ତି କିଛି ଛୁରି ଖୋଲା ଥିବାବେଳେ ଆଉ କିଛି ଛୁରି ଅଧା ଖୋଲା ଥିଲା। କିଛି ଛୁରି କଳଙ୍କି ଲାଗି ଭାଙ୍ଗି ଯାଇଥିଲା। ସେ ଦର୍ଶାଇଛନ୍ତି ତାଙ୍କ ଡାକ୍ତରୀ କ୍ୟାରିୟରରେ ଏହା ଏକ ବିସ୍ମୟକର ଘଟଣା।