ଚଳିତବର୍ଷରୁ ରାଜ୍ୟରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଓଜେଇଇ ! ଖାଲି ପଡ଼ିଥିବା ସିଟ୍ ପାଇଁ ହେବ ଏଣ୍ଟ୍ରାନ୍ସ

40

କନକ ବ୍ୟୁରୋ : ଚଳିତବର୍ଷରୁ ପ୍ରତିବର୍ଷ ରାଜ୍ୟରେ ଦ୍ୱିତୀୟ ବା ସ୍ୱତନ୍ତ୍ର ଓଜେଇଇ ହେବ । ଜେଇଇ ମେନ୍‌ ର‍୍ୟାଙ୍କ ଅନୁଯାୟୀ ନାମ ଲେଖା ଶେଷ ହେବା ପରେ ଖାଲି ପଡ଼ିଥିବା ସିଟ୍‌ ପାଇଁ ଏହି ଏଣ୍ଟ୍ରାନ୍ସ ହେବ । ଏଥିରେ ବି.ଟେକ୍‌ ପ୍ରଥମ ବର୍ଷ, ଲ୍ୟାଟେରାଲ ଏଣ୍ଟ୍ରି ବି.ଟେକ୍‌, ଏମ୍‌ବିଏ, ଏମ୍‌ସିଏ ଆଦି ପାଠ୍ୟକ୍ରମରେ ନାମ ଲେଖାଇ ହେବ । ଏହି ଏଣ୍ଟ୍ରାନ୍ସ ପ୍ରତିବର୍ଷ ଜୁନ୍‌ କିମ୍ବା ଜୁଲାଇ ମାସରେ ହେବ । ଏହାକୁ ଓଜେଇଇ କର୍ତ୍ତୃପକ୍ଷ ପରିଚାଳନା କରିବେ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

ବୈଷୟିକ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶା ହାଇକୋର୍ଟଙ୍କ ରାୟ ଏବଂ ଓଡ଼ିଶା ବୃତ୍ତିଗତ ଶିକ୍ଷା ଅନୁଷ୍ଠାନ (ନାମ ଲେଖା ଏବଂ ଫି’ ଧାର୍ଯ୍ୟ ନିୟମ)ର ଧାରା ୩(୧) ଅନୁଯାୟୀ, ପ୍ରତିବର୍ଷ ରାଜ୍ୟରେ ଦ୍ୱିତୀୟ ବା ସ୍ୱତନ୍ତ୍ର ଓ-ଜେଇଇ ହେବ । ଏହାଦ୍ୱାରା ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଧ୍ୟୁସିତ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ପ୍ରତିବର୍ଷ ଦ୍ୱିତୀୟ ଓ-ଜେଇଇ ନେଇ ହାଇକୋର୍ଟ ବିଳମ୍ବରେ ନିର୍ଦ୍ଦେଶ ଦେଉଥିବା ବେଳେ ଏଣ୍ଟ୍ରାନ୍ସ, ର‍୍ୟାଙ୍କ ପ୍ରକାଶ ଏବଂ ନାମଲେଖା ଶେଷ ହେଲାବେଳକୁ ଅକ୍ଟୋବର ମାସ ହୋଇଯାଉଛି । ତେଣୁ ଇଞ୍ଜିନିୟରିଂ, ଏମ୍‌ବିଏ, ଏମ୍‌ସିଏ କଲେଜରେ ଖାଲି ପଡ଼ୁଥିବା ସିଟ୍‌କୁ ନଜରରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଏଣ୍ଟ୍ରାନ୍ସରେ ଯେପରି ଅଧିକ ଛାତ୍ରଛାତ୍ରୀ ସାମିଲ୍‌ ହେବେ ସେଥିପାଇଁ ୩୦ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯିବ । ଏଣ୍ଟ୍ରାନ୍ସ କେବେ ହେବ, ରେଜଲ୍ଟ କେବେ ପ୍ରକାଶ ପାଇବ, କାଉନସିଲିଂ କିପରି ହେବ, ପାଠପଢ଼ା କେବେ ଆରମ୍ଭ ହେବ ସେନେଇ ଖୁବ୍‌ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବାକୁ ଓ-ଜେଇଇ କମିଟିକୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଦେଶର ସମସ୍ତ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ପ୍ରତି ବର୍ଷ ସର୍ବଭାରତୀୟ ସ୍ତରରେ ଜେଇଇ-ମେନ୍‌ ହେଉଛି । ଜେଇଇ-ମେନ୍‌ ର‍୍ୟାଙ୍କ ଅନୁଯାୟୀ ଇଞ୍ଜିନିୟରିଂ କଲେଜରେ ନାମ ଲେଖା ହେଉଛି ।  କିନ୍ତୁ ଆମ ରାଜ୍ୟରେ ଇଞ୍ଜିନିୟରିଂ କଲେଜରେ ଅଧାରୁ ଅଧିକ ସିଟ୍‌ ଖାଲି ପଡ଼ୁଥିବାରୁ ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଉଛି । ଏହାପରେ ରାଜ୍ୟରେ ଦ୍ୱିତୀୟ ଓ-ଜେଇଇ ହେଉଛି । ରାଜ୍ୟ ସରକାରଙ୍କ ଉପରୋକ୍ତ ନିଷ୍ପତ୍ତି ଦ୍ୱାରା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘକୁ ପ୍ରତିବର୍ଷ ଦ୍ୱିତୀୟ ବା ସ୍ୱତନ୍ତ୍ର ଓଜେଇଇ ପାଇଁ ଆଉ ହାଇକୋର୍ଟକୁ ଯିବାକୁ ପଡ଼ିବନି ।