ପିସି ମାଗିଲେ ଫୋନ୍ କର, ଘଂଟି ବଜାଅ : ଦୁର୍ନୀତି ରୋକିବାକୁ ଓଡିଶାର ଆନ୍ଧ୍ର ଫର୍ମୁଲା

96

କନକ ବ୍ୟୁରୋ : ବହୁତ ହୋଇଗଲା ପିସି । ବ୍ଲକ ସ୍ତରରେ ବହୁତ ସହିଲେ ସାଧାରଣ ଲୋକ । ହିତାଧିକାରୀ ନିଜ ହକ୍ ପାଇବାକୁ ବଂଚିତ ହେଲେ । ସବୁ କ୍ଷେତ୍ରରେ ଲୋକଙ୍କୁ ବ୍ୟତିବ୍ୟସ୍ତ କରୁଥିଲା ଲାଂଚ । ଆଉ ଏବେ ଏହାକୁ ରୋକିବାକୁ ନୂଆ ପଦକ୍ଷେପ ଘୋଷଣା କରିଛି ଭିଜିଲାନ୍ସ । ବିଭାଗ ଦେଇଛି ତତ୍ପରତା । ପିସି ନେଇ ଖୋଳତାଡ ଜାରି ରଖିଥିବା ଏହି ତଦନ୍ତକାରୀ ସଂସ୍ଥା ଜାରି କରିଛି ଫୋନ୍ ନମ୍ବର । ପିସି ମାଗିଲେ ଘଂଟି ବଜାଅ ଅଭିଯାନ । ଅର୍ଥାତ୍ ଫୋନକର ଆଉ ଦୁର୍ନୀତିର କର ପର୍ଦ୍ଦାଫାଶ ।

ଭିଜିଲାନସ ନିର୍ଦ୍ଦେଶକ ଆର.ପି ଶର୍ମା ସୂଚନା ଦେଇ କହିଛନ୍ତି, ପିସି କିଏ ମାଗୁଥିଲେ ଲୋକେ ଫୋନ କରି ଭିଜିଲାନସକୁ ଜଣାଇପାରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନାରେ ଲାଂଚ ମାଗୁଥିଲେ ଭିଜିଲାନ୍ସକୁ ଜଣାଇବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଜାରି ହୋଇଥିବା ନମ୍ବର ଗୁଡିକ ହେଲା : ୦୬୭୧-୨୩୦୫୯୮୮, ୨୩୦୫୬୮୨ ଏବଂ ୦୬୭୪- ୨୩୯୭୭୪୮, ୨୨୮୨୩୦୦ । ସେହିଭଳି ଚାଲିଥିବା ତଦନ୍ତ ଉପରେ ସୂଚନା ଦେଇ କହିଛନ୍ତି, ପିସି ନେଇ ମୋଟ ୩୭ଟି ମାମଲା ରୁଜୁ ହୋଇଛି । ଏଥିରେ ୯ ଜଣ ଗିରଫ ହୋଇଛନ୍ତି । ୭୬ଟି ଅଭିଯୋଗ ଉପରେ ଚଦନ୍ତ ଚାଲିଛି । ୪୮ଟି ଅଭିଯୋଗର ତନଖି କରାଯାଉଛି ।

ପିସି କାରବାର ବନ୍ଦ କରିବା ପାଇଁ ଆନ୍ଧ୍ର ସରକାର ନେଇଥିବା ପଦକ୍ଷେପର ଅନୁକରଣ କରିଛନ୍ତି ନବୀନ ସରକାର । ଜାରି ହୋଇଥିଲା ଟୋଲ ଫ୍ରି’ ନମ୍ବର – ୧୧୦୦ । ଲାଂଚ ରୋକିବାକୁ ଆନ୍ଧ୍ରପ୍ରଦେଶ ଆରମ୍ଭ କରିଥିଲା ବଡ଼ ଲଢ଼େଇ । ୧୧୦୦ ନମ୍ବରରେ ଫୋନ କରି ଲାଂଚ ସଂପର୍କରେ ଜଣାଇଲେ, ଲାଂଚ ନେଇଥିବା ସରକାରୀ ବାବୁ ସାଂଗେ ସାଂଗେ ଫେରାଉଛନ୍ତି ଟଙ୍କା । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଏହି ପଦକ୍ଷେପ ମ୍ୟାଜିକ ଭଳି କାର୍ଯ୍ୟ କରୁଛି ଆନ୍ଧ୍ରରେ । ରୋଜ୍ୟରେ ଏହି ଟୋଲ ଫ୍ରୀ ନମ୍ବର କିଭଳି କାମ କରୁଛି ତାକୁ ଅପେକ୍ଷା ।

ପିସି ବାବଦରେ ପ୍ରଥମେ କନକ ନ୍ୟୁଜ ଖବର ପ୍ରସାରଣ କରିବା ପରେ ସରକାରୀ ସ୍ତରରେ ଆରମ୍ଭ ହୋଇଥିଲା ଧରପଗଡ । ଏହାପରେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ସମ୍ମିଳନୀରେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ, ତୃଣମୂଳ ସ୍ତରରେ ପିସି କାରବାର ବନ୍ଦ କରିବାକୁ । ବାବୁମାନଙ୍କୁ ନବୀନଙ୍କ କରିଥିଲେ କଡା ତାଗିଦ । ବ୍ଲକସ୍ତରରେ ପିସି ବା ପର୍ସେଂଟେଜ କାରବାର ବନ୍ଦ କର । ବ୍ଲକସ୍ତରରେ ପିସି କାରବାର ଚାଲିଥିବା ପ୍ରଥମେ କନକ ନ୍ୟୁଜରେ ସ୍ୱୀକାର କରିଥିଲେ ଖୋଦ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ । ମନ୍ତ୍ରୀ କହିଥିଲେ, ବ୍ଲକ ସ୍ତରରେ ୧୩ ପ୍ରତିଶତ ପିସି କାରବାର ଚାଲିଛି ଏବଂ ଏହାକୁ ରୋକିବା ଲାଗି ସେ ପଦକ୍ଷେପ ନେଉଛନ୍ତି ।

ଆଉ ଏହାପରେ ଭିଜିଲାନ୍ସ ଆରମ୍ଭ କରିଥିଲା ତଦନ୍ତ । ଖୋଜିଥିଲା ଫାଇଲ, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ । ବ୍ଲକସ୍ତରରେ ଛାନିଆ ପଶିବା ସହ ରଫାଦଫା କରିବାକୁ ଆରମ୍ଭ ହୋଇଥିଲା ଉଦ୍ୟମ । ରାଜନୀତି ବି ଜୋର ଧରିଥିଲା । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଥିଲେ, ଦୁର୍ନୀତିରେ ଆକଂଠ ବୁଡିଛନ୍ତି ରାଜ୍ୟ ସରକାର । ଜବାବରେ ବିଜେଡି କହିଥିଲା, ଜୁଏଲ ବାବୁଙ୍କର ଅଭିଜ୍ଞତା ଥିବ, ହୁଏତ ସେ ପିସି କାରବାର ବାବଦରେ ବେଶ ଜାଣିଥିବେ ।

ଆଉ ଏହାରି ଭିତରେ ମୁଖ୍ୟ ଶାସନ ସଚିବଙ୍କ ଜିଲ୍ଲାପାଳ ମାନଙ୍କୁ ପିସି ରୋକିବାକୁ ଲେଖିଥିଲେ ଚିଠି । ଯେଉଁଥିରେ ଲେଖାଯାଇଥିଲା, କିଛି ଦୁର୍ନୀତିଖୋର ଅମଲା ଓ ନେତାଙ୍କ ଯୋଗୁଁ ସରକାରଙ୍କ ଛବି ଖରାପ ହେଉଛି । ଗତ ତିନିଟି ଆର୍ଥିକ ବର୍ଷରେ ୧୧ ଲକ୍ଷ ୫୦ ହଜାର ଲୋକଙ୍କୁ ପକ୍କାଘର ଯୋଗାଇ ଦେଇଛନ୍ତି ସରକାର । ହେଲେ କେତେକ ଦୁର୍ନୀତିଗ୍ରସ୍ତଙ୍କ ପାଇଁ ଗ୍ରାମାଂଚଳରେ ସମସ୍ତଙ୍କୁ ପକ୍କାଘର ଯୋଜନା ବାଧାପ୍ରାପ୍ତ ହେଉଛି । ଆବଶ୍ୟକ ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏପରିକି ଅପରାଧିକ ମାମଲା ପାଇଁ ଏଫଆଇର କରିବାକୁ ମଧ୍ୟ କୁହାଯାଇଥିଲା ।

ଏବେ ନଜର ପକାନ୍ତୁ କିଭଳି ହୁଏ ପିସି କାରବାର ଏବଂ କାହାର ଭାଗ କେତେ?
– କନିଷ୍ଠ ଯନ୍ତ୍ରୀ ୦୩ ପ୍ରତିଶତ
– ସହକାରୀ ଯନ୍ତ୍ରୀ ୦୪ ପ୍ରତିଶତ
– ବିଡିଓ ୦୪ ପ୍ରତିଶତ
– ଅନ୍ୟାନ୍ୟ ବାଟରେ ୦୨ ପ୍ରତିଶତ

ବ୍ଲକରେ ଚାଲେ ୧୩ ପ୍ରତିଶତ ପିସି କାରବାର । ହେଲେ କିଛି ସ୍ଥାନରେ ଏହା ୨୦ ପ୍ରତିଶତ ମଧ୍ୟ ଅତିକ୍ରମ କରିଯାଏ । ବ୍ଲକ୍ ସ୍ତରରେ ଗୋଟିଏ କାମ ପାଇଁ ଯଦି କୋଟିଏ ଟଙ୍କା ଆସେ ତାହେଲେ ପିସି ବାବଦରେ କନିଷ୍ଠ ଯନ୍ତ୍ରୀଙ୍କ ଭାଗରେ ୩ ଲକ୍ଷ, ସହକାରୀ ଯନ୍ତ୍ରୀ ପଆନ୍ତି ୪ଲକ୍ଷ, ବିଡିଓ ୪ଲକ୍ଷ ଓ ଅନ୍ୟାନ୍ୟ ବାଟରେ ଯାଏ ୨ ଲକ୍ଷ ଟଙ୍କା । ମୋଟ୍ ଉପରେ ୧୩ ଲକ୍ଷ ଟଙ୍କା ପିସି ଆକାରରେ ଯାଏ ।

ତେବେ ନିର୍ବାଚନ ଆଗରୁ ଗୋଟିଏ ମାଷ୍ଟର ଷ୍ଟ୍ରୋକ୍ ମାରି ତୃଣମୂଳସ୍ତରରୁ ଦୁର୍ନୀତି ହଟାଇବାକୁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ହିତାଧିକାରୀଙ୍କୁ ନିଜ ହକରୁ ବଂଚିତ କରାଉଥିବା ଏହି ରାକେଟ କେତେ ଶୀଘ୍ର ପର୍ଦ୍ଦାଫାଶ ହେଉଛି ତା ଉପରେ ନଜର । ତେବେ ବଡ କଥା ହେଉଛି, ସବୁଠି ପିସି କାରବାରରେ ଅଧିକାରୀ ନଥାନ୍ତି, କିଛି ସ୍ଥାନରେ ବିଧାୟକ ଓ ମନ୍ତ୍ରୀଙ୍କ ଇଶାରାରେ କାରବାର ଚାଲିଥାଏ । ଆଉ ପ୍ରଶ୍ନ ଉଠିବ, ଦୁର୍ନୀତିର ଚେର ଯୁଆଡେ ଯୁଆଡେ ଲମ୍ବିଛି, ସେଯାଏଁ ଭିଜିଲାନ୍ସର ହାତ ପହଂଚିପାରିବତ?