ପ୍ରେମୀ ଯୁଗଳଙ୍କୁ ଗୋଡାଇ ପିଟିଲେ ଦୁର୍ବୃତ୍ତ! ଉତ୍ତରପ୍ରଦେଶ ମହାରାଜଗଞ୍ଜର ଘଟଣା, ଭାଇରାଲ ହେଲା ଭିଡିଓ

33

କନକ ବ୍ୟୁରୋ : ପ୍ରେମୀ ଯୁଗଳଙ୍କୁ ଗୋଡାଇ ପିଟିଲେ ଦୁର୍ବୃତ୍ତ । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମହାରାଜଗଞ୍ଜରେ । ପ୍ରେମୀ ଯୁଗଳଙ୍କୁ ଏକାଠି ଧରିବା ପରେ ସେମାନଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ନିର୍ଯ୍ୟାତନା । ଏବେ ଭିଡ଼ିଓଟି ସାମନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୋରାଲ ପୋଲିସିଂ ନାଁରେ ପ୍ରେମୀ ଯୁଗଳଙ୍କୁ ପିଟିଛନ୍ତି କିଛି ଅସାମାଜିକ ଯୁବକ । ଝିଅଟି ଯୁବକମାନଙ୍କୁ ହାତ ଯୋଡି ନେହୁରା ହେଉଛି ।

କିନ୍ତୁ ଯୁବକ ମାନେ କିଛି ମାନିବାକୁ ନାରାଜ । ଜୋର କରି ଝିଅଟିର ବେକକୁ ନୁଆଁଇ ମାଡ ମାରିଛନ୍ତି । ଏପରିକି ଝିଅଟିକୁ ଶୋଇବାକୁ କହି ଜଣେ ଯୁବକ ତାଙ୍କ ପଛପଟକୁ ବାଡିରେ ପିଟି ଚାଲିଥିବା ଦେଖିବାକୁ ମିଳିଛି । ଏହା ପରେ ପ୍ରେମୀ ଯୁଗଳଙ୍କୁ ନେଇ ଯୁବକମାନେ ଅଶ୍ଳୀଳ ଭିଡିଓ ମଧ୍ୟ ରେକର୍ଡିଂ କରିଥିବା ଅଭିଯୋଗ ହୋଇଛି । ଏ ନେଇ ମହାରାଜଗଞ୍ଜ କୋହ୍ଲୁଇ ଥାନାରେ ଯୁବତୀ ଜଣକ ଅଭିଯୋଗ ମଧ୍ୟ କରିଛନ୍ତି । ଘଟଣାରେ ଜଣଙ୍କୁ ଗିରଫ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀ ।