ଟ୍ରେନରେ ଭିକ୍ଷା ମାଗି ସ୍ଥାପନ କଲେ ଇଂରାଜୀ ମାଧ୍ୟମ ସ୍କୁଲ୍ ! ଜାଣନ୍ତୁ ,ପିଲାଙ୍କ ପାଇଁ ଚିନ୍ତା କରୁଥିବା ଜଣେ ପ୍ରଫେସରଙ୍କ ସଂଘର୍ଷ କାହାଣୀ

99

ଏ ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି । ସେମାନଙ୍କର ଆଚାର ବିଚାର ଓ କାର୍ଯ୍ୟରେ ପାର୍ଥକ୍ୟତା ଦେଖିିବାକୁ ମିଳେ । କେହି ନିଜ ପାଇଁ ଓ ନିଜ ପରିବାର ପାଇଁ ଚିନ୍ତା କରୁଥିବା ବେଳେ । ଆଉ କିଛି ଲୋକ ଅଛନ୍ତି ଯିଏ ଅନ୍ୟ ପାଇଁ ଅହରହ ଚିନ୍ତା ଓ ଚେଷ୍ଟା କରିଥାନ୍ତି । ନା ସେମାନଙ୍କର କୌଣସି ନାମ ଯଶ ପାଇଁ ଇଚ୍ଛା ଥାଏ ନା କୌଣସି ଅଭିଳାଷ । କେବଳ ପରୋପକାର ପାଇଁ ସେମାନେ ଜୀବନକୁ ସର୍ମପଣ କରିଦେଇଥାନ୍ତି । ହେଲେ ସେମାନଙ୍କର କାର୍ଯ୍ୟ ଓ ଚିନ୍ତା ଧାରା ବୃଥା ଯାଏନି । ନିଜ ଉଦ୍ୟମରେ ଅଟଳ ରହି ସେମାନେ ଦୁନିଆରେ କିଛି ଭିନ୍ନ କରିଦେଖେଇଥାନ୍ତି । ପାଲଟିଯାନ୍ତି ଅନ୍ୟମାନଙ୍କ ପାଇଁ ଆଦର୍ଶ ।

ଆଜି ସେହିଭଳି ଜଣେ ଆଦର୍ଶ ବ୍ୟକ୍ତିତ୍ୱ ହେଲେ ମୁମ୍ବାଇର ସନ୍ଦୀପ ଦେଶାଇ । ମୁମ୍ବାଇର ଜଣେ ପରିଚିତ ବ୍ୟକ୍ତିତ୍ୱ । ଆଉ ବୃତ୍ତିରେ ଜଣେ ଥିଲେ ପ୍ରଫେସର । ମୁମ୍ବାଇ ଲୋକାଲ ଟ୍ରେନରେ ଜଣେ ପରିଚିତ ଚେହେରା ପାଲଟିଛନ୍ତି ୫୨ ବର୍ଷୀୟ ସନ୍ଦୀପ ଦେଶାଇ । ପ୍ରତିଦିନ ଟ୍ରେନର ଯାତ୍ରୀମାନଙ୍କ ନିକଟରୁ ଭିକ୍ଷା ମାଗୁଛନ୍ତି ସେ । ନିଶ୍ଚୟ ଏହା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର କଥା ହେବ । ସେ ଭିକ୍ଷା ନିଜର ଅଭାବୀ ଅବସ୍ଥା ପାଇଁ ମାଗୁନାହାଁନ୍ତି । ଗ୍ରାମାଂଚଳର ପିଲାମାନଙ୍କୁ ଇଂରାଜୀ ମାଧ୍ୟମିକ ଶିକ୍ଷା ପ୍ରଦାନ କରିବା ପାଇଁ ମାଗୁଛନ୍ତି । ଶିକ୍ଷା ଦାନ, ଶ୍ରେଷ୍ଠ ଦାନ ଲେଖାଥିବା ଏକ କାଚବାକ୍ସ ଧରି ପ୍ରାୟ ଦୁଇ ବର୍ଷ ହେବ ସେ ଏହି ପ୍ରୟାସରେ ଲାଗିଛନ୍ତି ।

ବର୍ତ୍ତମାନ ସମୟରେ ଇଂରାଜୀ ଭାଷାର ଚାହିଦାକୁ ଦେଖି ବାପା-ମା ମାନେ ନିଜ ପିଲାମାନଙ୍କୁ ଇଂରାଜୀ ମାଧ୍ୟମିକ ସ୍କୁଲରେ ପଢାଇବାକୁ ଉଚିତ ମଣୁଛନ୍ତି । କିନ୍ତୁ ଏହି ସୁବିଧା ପାଇପାରୁନାହାଁନ୍ତି ଗ୍ରାମାଂଚଳର ଅଭାବୀ ପିଲାମାନେ । କାରଣ ସେମାନଙ୍କ ଗାଁରେ ନାହିଁ ଇଂରାଜୀ ମିଡିୟମ ସ୍କୁଲର ସୁବିଧା । ଆଉ ସହରକୁ ଯାଇ ପଢିବା ପାଇଁ ସେମାନଙ୍କ ପାଖରେ ସମ୍ବଳ ମଧ୍ୟ ନାହିଁ । ଏହି ସମସ୍ୟାର ସମାଧାନ ପାଇଁ ପ୍ରଫେସର ସନ୍ଦୀପ ଦେଶାଇ ଉଠାଇଛନ୍ତି ପଦକ୍ଷେପ । ଗ୍ରାମାଂଚଳର ପିଲାମାନଙ୍କୁ ଇଂରାଜୀ ଶିକ୍ଷା ପ୍ରଦାନ ପାଇଁ ସେଠାରେ ସ୍କୁଲ ପ୍ରତିଷ୍ଠା ପାଇଁ ଆପଣେଇଛନ୍ତି ଏହି ପ୍ରୟାସ ।

ପେଶାରେ ଜଣେ ମେରାଇନ୍ ଇଂଜିନୟର ଥିଲେ ସନ୍ଦୀପ । ଚାକିରିରୁ ଅବସର ପରେ ଗୋରେଗାଓଁରେ ଏକ କଲେଜରେ ଯୋଗଦେଲେ ଜଣେ ଅଧ୍ୟାପକ ଭାବେ । ସେହି ସମୟରେ ସେ ଆରମ୍ଭ କରିଥିଲେ ଶ୍ଲୋକ ମିଶନାରୀଜ୍ ନାମରେ ଏକ ଟ୍ରଷ୍ଟ । ଏହି ଟ୍ରଷ୍ଟ ଅଧିନରେ ଗୋରେଗାଓଁରେ ଅଭାବୀ ପରିବାରର ପିଲାମନାଙ୍କ ପାଇଁ ଏକ ସ୍କୁଲ ଖୋଲିଥିଲେ । ଏହି ସ୍କୁଲରେ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ପଢାଯାଉଥିଲା । ସମୟକ୍ରମେ ସ୍କୁଲରେ ବିଦ୍ୟାର୍ଥୀଙ୍କ ସଂଖ୍ୟା ବଢୁଥିଲା । ମାତ୍ର ୨୦୦୯ରେ କୌଣସି କାରଣବଶତଃ ସ୍କୁଲଟି ବନ୍ଦ ହୋଇଯାଇଥିଲା । ପିଲାମାନଙ୍କୁ ଅନ୍ୟ କୌଣସି ଘରୋଇ ସ୍କୁଲରେ ଆଡମିଶନ ମଧ୍ୟ ମିଳିନଥିଲା ।

ଏସବୁ ପରେ ସନ୍ଦୀପ ସ୍ଥିର କଲେ ଗ୍ରାମାଂଚଳରେ ଇଂରାଜୀ ମାଧ୍ୟମିକ ସ୍କୁଲ ନିର୍ମାଣ କରିବା ପାଇଁ । ଆଉ ଏଥିପାଇଁ ଆର୍ଥିକ ସହଯୋଗ ପାଇଁ ସୋସିଆଲ ମିଡିଆର ସହଯୋଗ ନେଇଥିଲେ । ହେଲେ କିଛି ସାହାଯ୍ୟ ମିଳିନଥିଲା । ଆଉ ଏହାପରେ ସେ ସ୍ଥିର କଲେ ଭିନ୍ନ ଉପାୟ ଆପଣେଇବେ । ସ୍କୁଲ ପାଇଁ ଅର୍ଥ ସଂଗ୍ରହ କରିବେ । ମୁମ୍ବାଇ ଲୋକଲ୍ ଟ୍ରେନରେ ଅର୍ଥ ଭିକ୍ଷା କରିବାକୁ ବାହାରିଲେ । କାରଣ ଏହି ଟ୍ରେନରେ ପ୍ରବଳ ଜନସମାଗମ ହୋଇଥାଏ । ପ୍ରାରମ୍ଭରେ କିଛି ଲୋକ ତାଙ୍କୁ ଅର୍ଥ ଦେବାରେ କୁଣ୍ଠିିତ ହୋଇଥିଲେ । ଆଉ କିଛି ଲୋକ ଉତ୍ସାହିତ ହୋଇ ଅର୍ଥ ଦାନ କରିଥିଲେ ।

ଶେଷରେ ସନ୍ଦୀପ ଦେଶାଇ ଭିକ୍ଷାବୃତ୍ତିରୁ ସଂଗ୍ରହ ଅର୍ଥରେ ମହାରାଷ୍ଟ୍ରର ଏକ ମରୁଡି ପ୍ରବଣ ଅଂଚଳ ୟଭତମାଲ୍ ଠାରେ ତିଆରି କରିଥିଲେ ଏକ ଇଂରାଜୀ ମାଧ୍ୟମିକ ସ୍କୁଲ୍ । ଏଠାରେ ପଢାଇବା ପାଇଁ ସହରର ବିଭିନ୍ନ ସ୍କୁଲର ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଦୁର୍ଗମ ଗାଁକୁ ଯାଇ ପଢାଇବାକୁ କେହି ରାଜି ହୋଇନଥିଲେ । ସେଥିପାଇଁ ସନ୍ଦୀପ ସ୍ଥାନୀୟ ଶିକ୍ଷକଙ୍କୁ ତାଲିମ୍ ଦେଇ ସ୍କୁଲରେ ନିଯୁକ୍ତି ଦେଇଥିଲେ । ଧିରେ ଧିରେ ସ୍କୁଲରେ ଛାତ୍ରଙ୍କ ସଂଖ୍ୟା ବଢିଥିଲା ଏବେ ମହାରାଷ୍ଟ୍ର ସହ ରାଜସ୍ଥାନ ଓ ବିହାରର ନିପଟ ଗାଁ ହୋଇଛି ସନ୍ଦୀପଙ୍କର ସ୍କୁଲ । ଆଉ ଆଗକୁ ମଧ୍ୟ ଏହି ସ୍କୁଲ ଗୁଡିକର ଉନ୍ନତି ପାଇଁ ଏଭଳି ଭିକ୍ଷାବୃତ୍ତି ଜାରି ରଖିବେ ବୋଲି କହିଛନ୍ତି ।