ହେଲୋ ଭୁବନେଶ୍ୱର , ହାଏ କଟକ ! ଦୂରତା କମିଲା, ଆହୁରି ପାଖେଇଲା ଟ୍ୱିନସିଟି

254

ଆହୁରି ନିକଟତର ହେଲା କଟକ-ଭୁବନେଶ୍ୱର । ଦୂରତା କମିଲା । ଉଦଘାଟିତ ହେଲା ରାଜ୍ୟର ଦୀର୍ଘତମ ସେତୁ । କାଠଯୋଡ଼ି ଉପରେ ନିର୍ମିତ ଏହି ପୋଲ ଏବେ ଟ୍ୱିନସିଟିକୁ ଆହୁରି ନିକଟତର କରିଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନାମିତ ଏହି ସେତୁ କଟକ–ଭୁବନେଶ୍ୱର ମଧ୍ୟରେ ୧୨ କିମି ଦୂରତା କମାଇଛି । ୨୦୧୧ରୁ ଆରମ୍ଭ ହୋଇଥିଲା ଏହି ସେତୁର କାମ, ଯାହା ଆଜି ଲୋକାର୍ପିତ ହୋଇଛି ।

କଟକ ଭୁବନେଶ୍ୱର ଭିତରେ ପ୍ରତିଦିନ ଯା’ଆସ କରୁଥିବା ଲୋକ ଆଜିର ଦିନରେ ୨୦ ବର୍ଷ ତଳର ଯୋଗାଯୋଗ କଥା ପଚାରିଲେ, ସେମାନଙ୍କ ଅଭିଜ୍ଞତା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ପାଖାପାଖି ୪୫ ମିନିଟରୁ ଗୋଟିଏ ଘଂଟା ଘଂଟା ଲାଗିଯାଉଥିଲା କଟକରୁ ଭୁବନେଶ୍ୱର ଅସିବାକୁ । ଉଭୟ ସହରକୁ ଯୋଡୁଥିଲା ଗୋଟିଏ ରାସ୍ତା । ଜାମ୍ ଲାଗିଗଲେ କଥା ସରିଲା । କେତେବେଳେ ଘରେ ପହଂଚିବେ ତାର କିଛି ନିର୍ଦ୍ଦିଷ୍ଟ ସମୟ ନଥିଲା । ସେହିଭଳି ବାରଙ୍ଗ ପଟ ରାସ୍ତା କଥା ନ’କହିବା ଭଲ । ସେହି ଅଣ ଓସାରିଆ ରାସ୍ତାକୁ କ୍ୱଚିତ ଲୋକ ବ୍ୟବହାର କରୁଥିଲେ ।

ଗତ ୨୦ ବର୍ଷ ଭିତରେ ଆସିଛି ଅନେକ ପରିବର୍ତ୍ତନ । ଆଜିର ଦିନରେ ଭୁବନେଶ୍ୱରରୁ କଟକ ପହଂଚିବାକୁ ଲାଗୁଛି ଖୁବ କମ ସମୟ । ଚକାଚକ ରାସ୍ତା ଆଉ ଓଭରବ୍ରିଜ ଫଳରେ ସମୟ କମିଛି । ସେହିଭଳି ବାରଙ୍ଗ ପଟ ରାସ୍ତା ମଧ୍ୟ ଫିନଫିନ୍ । ଚନ୍ଦ୍ରଶେଖରପୁରରୁ ବିଡାନାସୀ ପହଂଚିବାକୁ ୩୦ କିମି ରାସ୍ତା ନୁହେଁ ବରଂ ୨୧ କିମି ରାସ୍ତା ଅତିକ୍ରମ କରିବାକୁ ପଡୁଛି । ଫଳରେ ଦୁଇ ସହର ମଧ୍ୟରେ କାରବାର ଠାରୁ ଆରମ୍ଭ କରି ସାମାଜିକ ଓ ସାଂସ୍କୃତିକ କ୍ଷେତ୍ର ପର୍ଯ୍ୟନ୍ତ ବିଭିନ୍ନ ଦିଗରେ ଲୋକଙ୍କୁ ନାନା ସୁବିଧା ମାନ ମିଳିଛି ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାଁରେ ନାମିତ ହୋଇଥିବା ସେତୁର ଲମ୍ବା ୩ କିମି । ଏହା ୩ ଲେନ୍ ବିଶିଷ୍ଟ ରାସ୍ତା । ୧୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ସେତୁ । ଯାତ୍ରା ହୋଇଛି ସୁଗମ । ନନ୍ଦନକାନନ, ବାରଙ୍ଗ ଓ ବାଙ୍କୀର ରାସ୍ତା କଟକବାସୀଙ୍କ ସହ ପାଖାପାଖି ଅଂଚଳକୁ ନିକଟତର କରିପାରିଛି ।