ଏଚ-୧ବି ଭିସା ଆବେଦକଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ଭାରତ ! ୨.୪୭ ଲକ୍ଷ ଲୋକ କରିଛନ୍ତି ଆବେଦନ

31

ଆମେରିକାରୁ ଏଚ-୧ବି ଭିସା ପାଇଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ମାସରେ ୨ଲକ୍ଷ ୪୭ହଜାର ଆବେଦନ ହୋଇଛି । ସେଥି ମଧ୍ୟରୁ ଭାରତୀୟମାନେ ଅଧିକ ସଂଖ୍ୟାରେ ଭିସା ପାଇଁ ଆବେଦନ କରିଥିବା ଜଣାପଡ଼ିଛି । ୨୦୧୬ ଅକ୍ଟୋବର ୧ରୁ ଜୁନ ୩୦ ମଧ୍ୟରେ ୭୪ ପ୍ରତିଶତ ଆବେଦନ ହୋଇଛି । ଆମେରିକାରରେ ଅକ୍ଟୋବର ୧ରୁ ଆର୍ଥିକ ବର୍ଷ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଶେଷ ହୋଇଥାଏ ।

ଆର୍ଥିକ ବର୍ଷ ୨୦୧୫-୧୬ରେ ୩ଲକ୍ଷ ଲୋକ ଆମେରିକା ଏଚ-୧ବି ଭିସା ପାଇଁ ଆବେଦନ କରିଥିଲେ । ଚୀନରୁ ଜୁନ ୩୦ ପର୍ଯ୍ୟନ୍ତ ୩୬,୩୬୨ ଜଣ ଆବେଦନକାରୀ ଭିସା ପାଇଁ ଆବେଦନ କରିଛନ୍ତି । ଦଶ ବର୍ଷ ମଧ୍ୟରେ ଚାଇନା ପାଇଁ ଏହା ହେଉଛି ସର୍ବାଧିକ । ଆର୍ଥିକ ବର୍ଷ ୨୦୧୫-୧୬ରେ ଚୀନରୁ ୩୫,୭୨୦ଜଣ ଏଚ-୧ବି ଭିସା ପାଇଁ ଆବେଦନ କରିଥିଲେ । କାନାଡାରୁ ୨୦୧୭ ଜୁନ ୩୦ ମଧ୍ୟରେ ୩୫୫୧ଜଣ ଏଚ-୧ବି ଭିସା ପାଇଁ ଆବେଦନ କରିଛନ୍ତି ।

ଗତ ଜୁନ ୩୦ ମଧ୍ୟରେ ଏଚ-୧ବି ଭିସା ପାଇଁ ଆମେରିକା ୩.୩୬ଲକ୍ଷ ଆବେଦନ ଗ୍ରହଣ କରିଥିଲା । ସେଥିରୁ ୧.୯୭ ଲକ୍ଷ ଆବେଦନକୁ ଅନୁମୋଦନ ମିଳିଛି । ୟୁଏସ ସିଟିଜନସିପ ଏଣ୍ଡ ଇମିଗ୍ରେସନ ସର୍ଭିସ ଏହି ତଥ୍ୟ ଜାରି କରିଛି ।

୨୦୦୬ ଅକ୍ଟୋବର ୧ରୁ ୨୦୧୭ ଜୁନ ୩୦ ମଧ୍ୟରେ ଭାରତରୁ ୨୧.୮୩ଲକ୍ଷ ଲୋକ ଏଚ-୧ବି ଭିସା ପାଇଁ ଆବେଦନ କରିଥିବା ବେଳେ, ଚୀନରୁ ୨.୯୬ଲୋକ ଆବେଦନ କରିଥିଲେ । ସେହିପରି ଫିଲିପାଇନ୍ସରୁ ୮୫,୯୧୮, କାନାଡାରୁ ୬୮,୨୨୮ ଜଣ ଆବେଦନ କରିଥିଲେ ।

ସୌଜନ୍ୟ: ଟାଇମ୍ସ ଅଫ୍ ଇଣ୍ଡିଆ