ଯେଉଁ ମା’ ଯୋଗ୍ୟ କଲା, ସେହି ମା’କୁ ସାହାର ଦେବା ବଦଳରେ ବେସାହାର କରିଦେଲା ପୁଅ . . .ପଢନ୍ତୁ ଜଣେ ଅସହାୟ ମାଆର କରୁଣ କାହାଣୀ

32

କୁହାଯାଏ ଦୁନିଆର ସବୁଠୁ ସୁନ୍ଦର ଶଦ୍ଦ ହେଉଛି ମା’ । ମା’ ନାହିଁ ଯାହାର ସାହା ନାହିଁ ତାହାର । ମା’ ର ଭୂମିକା ଅତୁଳନୀୟ । ଏହି ମାତୃ ଦିବସ ଅବସରରେ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ମା’ ବିଷୟରେ ଜଣାଇବୁ, ଯାହାକୁ ଜାଣିବା ପରେ ଆପଣଙ୍କୁ ଯେତିକି କଷ୍ଟ ଦେବ ସେତିକି ମଧ୍ୟ ଚକିତ କରିଦେବ ଆଉ ଆପଣଙ୍କ ମନରେ ନିଶ୍ଚୟ ଏହି ପ୍ରଶ୍ନ ଉଙ୍କି ମାରିବ କି, ସତରେ କଣ ଏଭଳି ଅବିବେକି ମଣିଷ ଏହି ଦୁନିଆରେ ଥାଇପାରନ୍ତି?

“ବହୁକଷ୍ଟ ସହି ପୁଅକୁ ପାଠ ପଢାଇଥିଲି । ପୁଅକୁ ଯୋଗ୍ୟର କଲି । ଆଜି ସେ ନିଜର ଏକ ବିଜନେସ ଚଳାଉଛି । ଭଲ ଦି ପଇସା ବି ରୋଜଗାର କରୁଛି ।” ଏକଥା କହି ମହିପାଲପୁର ଦିଲ୍ଲୀନିବାସୀ ୭୨ ବର୍ଷିୟ ନିର୍ମଳାଙ୍କ ଆଖି ଲୁହ ଛଳ ଛଳ ହୋଇଯାଉଥାଏ । ଏହି ମହିଳା ଜଣକ ଦୀର୍ଘ ୨ ବର୍ଷ ହେଲେ ଦିଲ୍ଲୀର ଏକ ବୃଦ୍ଧାଶ୍ରମରେ ରହୁଛନ୍ତି ।

ନିର୍ମଳାଙ୍କ କହିବା ଅନୁସାରେ, ନିଜ ପୁଅକୁ ମଣିଷ କରିବା ପାଇଁ ସେ ଘର ଘର ବୁଲି ବାସନ ମାଜୁଥିଲେ । ନିଜେ ନଖାଇ ପୁଅକୁ ଦେଉଥିଲେ । ପୁଅର ସବୁ ଇଚ୍ଛାକୁ ପୁରଣ କରିଥିଲେ । ହେଲେ ସେ କେବେ ଭାବି ନଥିଲେ କି ତାଙ୍କର ଲାଳନ ପାଳନ, ସ୍ନେହ , ଶ୍ରଦ୍ଧାର ଫଳ ତାଙ୍କ ପୁଅ ତାଙ୍କୁ ଏଭଳି ଦେବ ବୋଲି । ସେ କହିଥିଲେ କି, ଗୋଟେ ଦିନ ତାଙ୍କ ପୁଅ ମଦ ପିଇ ତାଙ୍କୁ ବହୁତ ମାଡ ମାରିଥିଲା ଆଉ ଅନ୍ଧାର କିଟ୍ କିଟ୍ ରାତିରେ ତାଙ୍କୁ ଘରୁ ବାହାର କରିଦେଇଥିଲା । ତେବେ ୨ ବର୍ଷ ବିତିଗଲାଣି ,ତାଙ୍କୁ ଏହି ବୃଦ୍ଧାଶ୍ରମରେ ରହିବାର । ହେଲେ ଏହି ୨ ବର୍ଷ ଭିତରେ ଥରଟିଏ ହେଲେବି ତାଙ୍କୁ ପୁଅ ତାଙ୍କୁ କେବେ ତାଙ୍କୁ ଦେଖିବାକୁ ଆସିନାହିଁ କି ଘରକୁ ଫେରାଇ ନେବାକୁ ବି ଆସିଲା ନାହିଁ ବୋଲି କହି ନିର୍ମଳା କାନ୍ଦି ପକାଇଥିଲେ ।

ଆଜି ସେ ପୁଅର ଗୋଟିଏ ଝଲକ ଦେଖିବାକୁ ଅନାଇ ବସିଛନ୍ତି । ତାଙ୍କ ମନରେ ଏବେବି ଗୋଟିଏ ଆଶା ରହିଛି କି , ଦିନେ ନା ଦିନେ ତାଙ୍କ ପୁଅ ଆସିବ ଆଉ ତାଙ୍କୁ ଏହି ଆଶ୍ରମରୁ ଘରକୁ ନେଇଯିବ ବୋଲି । ଦୁଃଖଦ କଥା ହେଲା କି , ଯେତେବେଳେ ପୁଲିସ ନିର୍ମାଳାଙ୍କୁ ଜଣେ ଅସହାୟ ବୃଦ୍ଧା ଭାବି ବୃଦ୍ଧାଶ୍ରମ ଆଣିଥିଲେ , ସେତେବେଳେ ସେ ତାଙ୍କ ପୁଅ ବିଷୟରେ ପୁଲିସଙ୍କୁ ସୂଚନା ଦେଇଥିଲେ । ଆଉ ଯେତେବେଳେ ପୁଲିସ ତାଙ୍କ ପୁଅ ସହ ସଂପର୍କ କରିଥିଲେ ସେତେବେଳେ ତାଙ୍କ ପୁଅ ତାଙ୍କୁ ଚିହ୍ନିନାହାନ୍ତି ବୋଲି ରୋକଠୋକ୍ ମନାକରିଦେଇଥିଲେ ।