ରହସ୍ୟ ଉପରୁ ପରଦା ହଟିବ : ୧୫ ଦିନରେ ଜଣାପଡ଼ିବ କେତେ ନୋଟ୍ ଫେରିନି

67

ଗତବର୍ଷ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ଘୋଷଣା କରିବା ପରେ ଅନେକ ନୋଟ୍ ଅଚଳ ହୋଇଥିଲା । ସେଥି ମଧ୍ୟରୁ ବହୁତ ନୋଟ୍ ବ୍ୟାଙ୍କ ପାଖକୁ ଫେରି ଆସିଥିବା ବେଳେ ଅନେକ ନୋଟ୍ ଫେରିନାହିଁ । କେତେ ପରିମାଣର ନୋଟ୍ ବ୍ୟାଙ୍କ ପାଖକୁ ଫେରିନାହିଁ ତାହାର କୌଣସି ଉତ୍ତର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏ ପର୍ଯ୍ୟନ୍ତ ଦେଉନାହିଁ । କିନ୍ତୁ ଆଗାମୀ ଦୁଇ ସପ୍ତାହ ଭିତରେ ଆରବିଆଇ ଏହି ତଥ୍ୟ ସାର୍ବଜନୀନ କରିବାକୁ ବାଧ୍ୟ ।

ଜୁନ୍ ୩୦ରେ ଶେଷ ହେବାକୁ ଥିବା ବର୍ଷ ପାଇଁ ଆରବିଆଇ ଏହାର ବାଲାନସ ସିଟ୍ ପ୍ରସ୍ତୁତ କରୁଛି । ବ୍ୟାଙ୍କ ପାଖକୁ ଫେରିନଥିବା ଅଚଳ ନୋଟର ତଥ୍ୟ ବିନା ବାଲାନ୍ସ ସିଟ୍ ଅସମ୍ପୂର୍ଣ୍ଣ ରହିବ । ସେଥିପାଇଁ ଆରବିଆଇ ଏହି ରହସ୍ୟ ଉପରୁ ପରଦା ହଟାଇବାକୁ ବାଧ୍ୟ ହେବ । ବର୍ତ୍ତମାନ ସୁଦ୍ଧା ସରକାର ଏବଂ ଆରବିଆଇ ଫେରିନଥିବା ଅଚଳ ନୋଟ୍ ବିଷୟରେ ମୁହଁ ବନ୍ଦ ରଖିଛନ୍ତି । କେତେ ପରିମାଣର ନୋଟକୁ ଲୋକମାନେ ବ୍ୟାଙ୍କରେ ଜମା କରିନାହାନ୍ତି କିମ୍ବା ବଦଳାଇ ନାହାନ୍ତି ତାହାର କୌଣସି ସଠିକ୍ ତଥ୍ୟ ଏ ପର୍ଯ୍ୟନ୍ତ ମିଳିନାହିଁ ।

ଆରବିଆଇର ଆକାଉଂଟିଂ ନୀତି ଅନୁଯାୟୀ ପ୍ରଚଳନରେ ଥିବା ନୋଟଗୁଡ଼ିକ ହେଉଛି ଆରବିଆଇର ‘ଲାଇବିଲିଟି’। ବଣ୍ଡ୍ ଏବଂ ବିଦେଶୀ ମୁଦ୍ରାଗୁଡ଼ିକ ହେଉଛି ଆରବିଆଇର ସମ୍ପତ୍ତି ବା ଆସେଟ୍ । ବାଲାନ୍ସ ସିଟର ଦୁଇଟି ପାର୍ଶ୍ୱ ରହିଛି । ଗୋଟିଏ ପାର୍ଶ୍ୱରେ ଲାଇବିଲିଟି ଏବଂ ଅନ୍ୟ ପାର୍ଶ୍ୱରେ ଆସେଟକୁ ପ୍ରଦର୍ଶନ କରାଯାଏ । ଫେରିନଥିବା ଅଚଳ ନୋଟର ତଥ୍ୟକୁ ଆରବିଆଇ ଲାଇବିଲିଟି ଭାବେ ପ୍ରଦର୍ଶନ କରିବ । ବାଲାନ୍ସ ସିଟ୍ ସମ୍ପୂର୍ଣ୍ଣ ନହେଲେ ଆରବିଆଇ ସରକାରଙ୍କୁ ଲାଭାଂଶ କିମ୍ବା ବଳକା ପ୍ରଦାନ କରିପାରିବ ନାହିଁ ।

କେତେ ପରିମାଣର ନୋଟ୍ ବ୍ୟାଙ୍କକୁ ଫେରିନାହିଁ ? ଏହି ପ୍ରଶ୍ନର ଉତ୍ତର ଉପରେ ବିମୁଦ୍ରାକରଣର ସଫଳତା ନିର୍ଭର କରୁଛି । ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରୁଛନ୍ତି ଯେ ବିମୁଦ୍ରାକରଣ ପରେ ଅଚଳ ହୋଇଥିବା ପାଖାପାଖି ସବୁ ନୋଟ୍ ବିଭିନ୍ନ ଉପାୟରେ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରି ଆସିଛି । ତେଣୁ କଳା ଅର୍ଥନୀତି ହଟାଇବା ଲକ୍ଷ୍ୟ ନେଇ ସରକାର ବିମୁଦ୍ରାକରଣ ନାମରେ ଯେଉଁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ବିଫଳ ହୋଇଛି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରୁଛନ୍ତି । ବ୍ୟାଙ୍କକୁ ଫେରିନଥିବା ଅଚଳ ନୋଟର ପରିମାଣ ଜାଣିବା ପାଇଁ ବିରୋଧୀ ଦଳ ଏବଂ ଗଣମାଧ୍ୟମ ପକ୍ଷରୁ ବାରମ୍ବାର ପ୍ରଶ୍ନ କରାଯାଉଥିଲେ ମଧ୍ୟ ସରକାର ଏବଂ ଆରବିଆଇ ଚୁପ୍ ରହିବା ଏହି ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି ।

କେତେ ପରିମାଣର ଅଚଳ ନୋଟ୍ ଫେରିନାହିଁ, ତାହା ଗଣିବା ସହଜ ନୁହେଁ । ସେଥିପାଇଁ ଆରବିଆଇ ପକ୍ଷରୁ ଚଳିତ ମାସରେ ଏହାର ଅଡିଟରଙ୍କ ସହିତ ଏକ ବୈଠକରେ ଆଲୋଚନା କରାଯିବ । ସେହି ବୈଠକରେ ଫେରିନଥିବା ଅଚଳ ନୋଟର ପରିମାଣ ଧାର୍ଯ୍ୟ କରାଯିବାର ସମ୍ଭାବନା ରହିଛି । ବିମୁଦ୍ରାକରଣ ଘୋଷଣା କରିବା ସମୟରେ ଦେଶରେ ୧୭.୫ ଲକ୍ଷ କୋଟି ଟଙ୍କା ପ୍ରଚଳନରେ ଥିଲା । ବିମୁଦ୍ରାକରଣ ଯୋଗୁଁ ୮୬% ନୋଟ୍ ଅଚଳ ହୋଇପଡ଼ିଥିଲା ।