୨୦୧୯ରେ ମୋଦିଙ୍କୁ ରୋକିବାକୁ ସୋନିଆଙ୍କ ଦୃଢୋକ୍ତି ! ବିଜେପିକୁ ଚ୍ୟାଲେଂଜ ଦେଲେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି

24

କନକ ବ୍ୟୁରୋ : ୨୦୧୯ରେ ମୋଦିଙ୍କୁ ଆଉ ସରକାରରେ ଆସିବାକୁ ଦିଆଯିବ ନାହିଁ । ଏପରି ଦୃଢୋକ୍ତି ପ୍ରକାଶ କରିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି । ନରେନ୍ଦ୍ର ମୋଦି ଉତେଜନା ମୂଳକ ଭାଷଣ ଦେଇ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ଏପଟେ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ମଧ୍ୟ ସେ ଆକ୍ରମଣ କରିଛନ୍ତି ବୋଲି ସୋନିଆ ନିଜ ବକ୍ତବ୍ୟରେ କହିଛନ୍ତି ।

ଏବେ ଦେଶର ଗଣତନ୍ତ୍ର ବିପଦରେ ପଡିଯାଇଛି ବୋଲି କହିଛନ୍ତି ସୋନିଆ । ୨୦୧୯ରେ ବିଜେପି କୌଣସି ମତେ ଶାସନଙ୍କୁ ଫେରିବ ନାହିଁ । କ୍ରମାଗତ ୧୦ ବର୍ଷ ଶାସନ କରିବାକୁ ହେଲେ ସେମାନଙ୍କୁ କଂଗ୍ରେସର ମୁକାବିଲା କରିବାକୁ ହେବ ବୋଲି ଜୋର ଦେଇ କହିଛନ୍ତି ସୋନିଆ ଗାନ୍ଧି । ଅଚ୍ଛେଦିନର ଅବସ୍ଥା ଇଣ୍ଡିଆ ସାଇନିଂ ପରି ହିଁ ହେବ ବୋଲି ସେ ସମାଲୋଚନା କରିଛନ୍ତି । ତେବେ ଗତ ନିର୍ବାଚନରେ ମୋଦିଙ୍କ ମାର୍କେଟିଂ ଆଗରେ କଂଗ୍ରେସ ଚକ୍ମା ଖାଇଯାଇଥିବା ସ୍ୱୀକାର କରିଛନ୍ତି ସୋନିଆ ।

ସେପଟେ ବିଦେଶରୁ ପୁଣିଥରେ ରାହୁଲଙ୍କ ବିଜେପିକୁ ଟାର୍ଗେଟ୍ । ସିଙ୍ଗାପୁରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାହୁଲ ବିଜେପି ବିରୁଦ୍ଧରେ ବିଭାଜନ ରାଜନୀତିର ଅଭିଯୋଗ କରିଛନ୍ତି । ଲୋକଙ୍କୁ ବାଂଟିବାର ଚେଷ୍ଟା ସହ ବିଜେପି ସଂଖ୍ୟାଲଘୁ ବିରୋଧୀ ରାଜନୀତି କରୁଥିବା ସେ କହିଛନ୍ତି । ଦେଶରେ ଏବେ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାକୁ ଚାଲେଂଜ୍ କରାଯାଉଥିବା ସେ କହିଛନ୍ତି । ସିଙ୍ଗାପୁରର ପ୍ରତିଷ୍ଠିତ ଲି କୁୟାନ୍ ସ୍କୁଲର ଏକ ସ୍ୱତନ୍ତ୍ର ଆଲୋଚନାଚକ୍ରରେ ରାହୁଲ ବିଜେପି ଉପରେ ବର୍ଷିଛନ୍ତି । ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ମଧ୍ୟ ଅପରିପକ୍ୱ ବୟାନବାଜି କରୁଥିବା ବିଜେପି କହିଛି ।