ବାପା ଠାରୁ ଟଙ୍କା ପାଇଁ ଅପହରଣ ନାଟକ: ନିଜ ଅପହରଣର ଚକ୍ରବ୍ୟୁହ ରଚିଲା ପୁଅ, ପର୍ଦ୍ଦାଫାଶ କଲା ପୋଲିସ

965

ନାଟକର ନାଁ ଅପହରଣ । ବାପା ଠାରୁ ଟଙ୍କା ଆଦାୟ କରିବା ପାଇଁ ପୁଅ ରଚିଲା ଅପହରଣର ନାଟକ । ଥରେ ୪୦ ହଜାର ଏବଂ ଆଉ ଥରେ ୨୫ ହଜାର ଟଙ୍କା ଦାବି କଲା ଆଉ ଲୁଟି ବି ନେଲା । ଏପରି ଏକ ଘଟଣା ସାମନାକୁ ଆସିଛି ଅନୁଗୁଳରୁ । ପୁଅ ତା ସାଙ୍ଗ ମାନଙ୍କ ସହ ମିଶି ନିଜର ଅପହରଣ ନାଟକ ରଚନା କରି ବାପା ଠାରୁ ଟଙ୍କା ଲୁଟିବା ଘଟଣା ଏବେ ଚାଂଚଲ୍ୟ ଖେଳାଇ ଦେଇଛି । ତେବେ ଥାନାରେ ବାପାର ଏତଲା ପରେ ପୋଲିସ ପୁଅ ଓ ତାର ସାଙ୍ଗମାନଙ୍କୁ ଗିରଫ କରିଛି ।

ପଂଚାନନ ଘୋଷ ନାମକ ଜଣେ ବ୍ୟକ୍ତି ଥାନାରେ କରିଥିବା ଅଭିଯୋଗ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟଚକିତ ହୋଇଯିବେ । ପୁଅ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବାପା । ଅପହରଣର ନାଟକ କରି ବାପା ଠାରୁ ଟଙ୍କା ଲୁଟୁଥିଲା ପୁଅ । ହେଲେ କଣ ଥିଲା ଏହି ଅପହରଣର ନାଟକ ?

ଅଭିଯୋଗ ଅନୁସାରେ, ପୁଅ ଗୌରବ ଘୋଷ ପାଖକୁ ତାଳଚେର ନିବାସୀ ପୋପୁ ଠାରୁ ଆସିଲା ଫୋନ କଲ । ୪୦ ହଜାର ବକେୟା ଟଙ୍କା ଫେରାଇବାକୁ ଆସିଥିଲା ଫୋନ । ଫୋନ ପାଇବା କ୍ଷଣି ୪୦ ହଜାର ଟଙ୍କା ଦେବା ପାଇଁ ବାହାରି ପଡିଲେ ଗୌରବ । ହେଲେ ଗୌରବ ଆଉ ଫେରିନଥିଲେ । ସନ୍ଧ୍ୟାରେ ବାପା ପଂଚାନନଙ୍କ ପାଖକୁ ଶକ୍ତି ନାମକ ଜଣେ ବ୍ୟକ୍ତି ଠାରୁ ଆସିଲା ଆଉ ଏକ ଫୋନ କଲ । ଯେଉଁଥିରେ ୨୫ ହଜାର ଟଙ୍କା ଦେବାକୁ କୁହାଗଲା । ନହେଲେ ପୁଅ ଆଉ ଫେରିବନି ବୋଲି ଚେତାବନୀ ମଧ୍ୟ ଦିଆଗଲା । ନିଜ ପୁଅ ପ୍ରତି ବିପଦ ଥିବା ଜାଣି ପଂଚାନନ ୨୫ ହଜାର ଟଙ୍କା ନେଇ ପିଟିସି ହାଇସ୍କୁଲ ଛକରେ ପହଂଚିଥିଲେ । ସେଠାରେ ପହଂଚିବା ପରେ ୪ଜଣ ଯୁବକ ତାଙ୍କୁ ମାଡ ମାରି ୨୫ ହଜାର ଟଙ୍କା ଛଡାଇ ନେଲେ ।

ଏହି ଘଟଣା ପରେ ନିଜ ପୁଅ ଉପରେ ସନ୍ଦେହ କରିଥିଲେ ବାପା । ଅପହରଣର ନାଟକ ପୁଅ ହିଁ କରିଛି ବୋଲି ଜାଣିବାକୁ ପାଇ ଥାନାରେ ଅଭିଯୋଗ କଲେ ବାପା । ଆରମ୍ଭ ହେଲା ଅନୁସନ୍ଧାନ ଆଉ ପୁରା ମାମଲା କଣ ଜାଣିବାକୁ ଜାଲ ବିଛାଇଲା ପୋଲିସ । ଶେଷରେ ପୁଅ ହିଁ ଅପହରଣର ନାଟକ ରଚି ବାପା ଠାରୁ ଟଙ୍କା ଆଦାୟ କରୁଥିଲା ବୋଲି ଜାଣିବାକୁ ପାଇଲା ପୋଲିସ । ପୁଅ ଗୌରବ ଓ ତାର ୩ ସହଯୋଗୀଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ଠାରୁ ସମସ୍ତ ଟଙ୍କା ଜବତ କରିବା ସହ ୪ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ