କନ୍ଧମାଳରୁ କଳାହାଣ୍ଡି ! ପୁଣି ଫେରିଲା ହାଡଭଙ୍ଗା ଶୀତ, ଥୁଆମୁଳ ରାମପୁରରେ ୨ ଡିଗ୍ରୀ, ଉଦୟଗିରିରେ ୩ ଦଶମିକ ୫

35

କନକ ବ୍ୟୁରୋ: ପୁଣି ଫେରିଛି ଅସହ୍ୟ ଶୀତ । ପାରଦ ୩ ଡିଗ୍ରୀ ତଳକୁ ଖସିଛି । କନ୍ଧମାଳରେ ଲଗାତର ୩ ଦିନ ହେଲା ତୁଷାରପାତ ହେଉଛି ।  କନ୍ଧମାଳର ଉଦୟଗିରିରେ ପାରଦ ୩ ଦଶମିକ ୫ ଡିଗ୍ରୀ ସେଲସିୟସ ରହିଛି । ଜାଡରେ ଥରୁଛନ୍ତି ଲୋକେ । ଦିନ ୧୦ ଟା ଯାଏଁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ସେପଟେ କଳାହାଣ୍ଡିରେ ବି ପ୍ରବଳ ଶୀତ ଅନୁଭୂତ ହେଉଛି । ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁରରେ ପାରଦ ୨ ଡିଗ୍ରୀ ସେଲସିୟସକୁ ଖସିଆସିଛି । ଅଂଚଳର ବହୁ ସ୍ଥାନରେ ଏବେ ବରଫପାତ ହେଉଛି । ପ୍ରବଳ ଥଣ୍ଡାରେ ବେହାଲ ହୋଇପଡିଛି ସାରା ଅଂଚଳ । ଦିନ ତମାମ ଶୀତ ଲାଗି ରହୁଛି । ଫଳରେ ଠପ୍ ହୋଇଯାଇଛି ଜୀବନଯାତ୍ରା ।

ସୂଚନା ମୁତାବକ, କନ୍ଧମାଳ ଜିଲ୍ଲାରେ ଶୀତଲହରୀ ସାଙ୍ଗକୁ ବିଭିନ୍ନ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି । ବିଶେଷ କରି ଘୁ.ଉଦୟଗିରି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ରହୁଥିବା ବେଳେ ଗଲା ତିନି ଦିନ ଧରି କ୍ରମାଗତ ତୁଷାରପାତ ଲାଗି ରହିଛି । ଶୀତପ୍ରବାହ ଓ ଥଣ୍ଡାର ପ୍ରକୋପ ଯୋଗୁଁ ସାଧାରଣ ଜୀବନଯାତ୍ରା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଭ୍ୟନ୍ତରୀଣ ଗାଁ ମାନଙ୍କରେ ଲଗାତାର ତୁଷାରପାତ ହେବା ଫଳରେ ଲୋକେ ପ୍ରଭାବିତ ହେଉଥିବା ଖବର ମିଳିଛି ।

ବିଗତ ବର୍ଷମାନଙ୍କ ତୁଳନାରେ ଏ ବର୍ଷ ତୁଷାରପାତ ଅଧିକ ହୋଇଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଏପଟେ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ୍ ତଳକୁ ଖସିବା ଫଳରେ ଗରିବଗୁରୁବା ଅଧିକା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତୁଷାରପାତ ଦେଖିବା ପାଇଁ ସକାଳୁ ବିଭିନ୍ନ ସ୍ଥାନରେ ଭିଡ଼ ଜମୁଥିବା ବେଳେ ବାହାର ପର୍ଯ୍ୟଟକ ମାନେ ମଧ୍ୟ ଘୁ.ଉଦୟଗିରି ଅଞ୍ଚଳରେ ଭିଡ଼ ଜମାଉଥିବା ଓ ତୁଷାରପାତ ଉପଭୋଗ କରୁଥିବା ଦେଖାଯାଇଛି ।