ବ୍ରହ୍ମପୁର ପରେ କଟକରେ ସିମବକ୍ସ ଆତଙ୍କ ! ଆତଙ୍କୀ ସଂଗଠନ ନାଁରେ ଅର୍ଥ ଦାବି କରୁଥିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କଲା ପୁଲିସ୍

38

କନକ ବ୍ୟୁରୋ: ବ୍ରହ୍ମପୁର ପରେ କଟକରେ ସିମବକ୍ସ ଆତଙ୍କ । ଏହି କଳାକାରନାମାର ମାଷ୍ଟରମାଇଣ୍ଡ ଧୀରଜ ରାଓଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଧୀରଜଙ୍କ ବିହାର ଅଂଚଳର ବୋଲି ସୂଚନା ମିଳିଛି । ବିଭିନ୍ନ ଆତଙ୍କୀ ସଂଗଠନ ନାଁରେ ଅର୍ଥ ଦାବି କରୁଥିଲେ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି । ତାଙ୍କ ନିକଟରୁ ବିଭିନ୍ନ ବ୍ୟାଙ୍କର ଶତାଧିକ ଏଟିଏମ କାର୍ଡ ସହ ୫୪ ହଜାର ୯୦୦ ଟଙ୍କା ମଧ୍ୟ ଜବତ ହୋଇଛି ।

ସୂଚନା ମୁତାବକ, କଟକ ସିଡିଏ ଅଞ୍ଚଳରୁ କୁଖ୍ୟାତ ଅଣ୍ଡରଓ୍ଵାଲ୍ଡ ଡନଙ୍କ ୩ ଜଣ ଏଜେଣ୍ଟ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୫୪ ହଜାର ୯୦୦ ଟଙ୍କା, ଶତାଧିକ ଏଟିଏମ୍ କାର୍ଡ, ୪ଟି ମୋବାଇଲ୍ ଫୋନ୍ ଜବତ ହୋଇଛି । ଛତିଶଗଡ଼ ରାଜ୍ୟର ରାଜନନ୍ଦଗାଓଁ ପୁଲିସ ସିଡିଏରେ ଚଢ଼ଉ କରିବା ପରେ ଏହି ଅଣ୍ଡରଓ୍ଵାଲ୍ଡ ଡନଙ୍କ ଏଜେଣ୍ଟଙ୍କ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଗତକାଲି ଗିରଫ ହୋଇଥିବା ୩ ଜଣଙ୍କ ମଧ୍ୟରେ ଅଛନ୍ତି ବିହାର ପଶ୍ଚିମ ଚମ୍ପାରନର ଧୀରଜ ରାଓ, ଭୁବନେଶ୍ୱରର ସ୍ୱପ୍ନସଜିତ ପ୍ରଧାନ ଏବଂ ବିଡ଼ାନାସୀରେ ରହୁଥିବା କେନ୍ଦ୍ରାପଡ଼ାର ଜନ୍ମେଜୟ ଦାସ ।

ଏମାନେ ସିମ୍ ବକ୍ସ ବ୍ୟବହାର କରି ଫୋନ୍ ନମ୍ବର କୋଡ ବଦଳାଇ ବିଭିନ୍ନ ଲୋକଙ୍କୁ ଧମକ ଦେଇ ବଟି ଆଦାୟ କରୁଥିବା ସୂଚନା ମିଳିଛି। ମୁମ୍ବାଇ ଅଣ୍ଡର୍ଓ୍ଵାର୍ଲଡ୍ ଡନ୍ ଛୋଟା ରାଜନ୍ ଗ୍ୟାଙ୍ଗର ସଦସ୍ୟ ବ୍ରହ୍ମପୁରରୁ ଧରା ପଡ଼ିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଆଜି ସିଡିଏରୁ ଏଭଳି ଏଜେଣ୍ଟ ଗିରଫ ହେବା ଘଟଣା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି।

ଛତିଶଗଡ଼ ରାଜନନ୍ଦନଗାଓଁ ଜିଲ୍ଲାର ସୀମା ଖୁବ୍ଚନ୍ଦାଣୀ ନାମକ ଜଣେ ବୃଦ୍ଧାଙ୍କୁ ଅଣ୍ଡରଓ୍ଵାଲ୍ଡ ଡନର ଏଜେଣ୍ଟମାନେ ଫୋନରେ ଧମକ ଦେଇଥିଲେ । ସମ୍ପୃକ୍ତ ବୃଦ୍ଧା ଜଣକ ଭୟରେ ୫ଟି ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ । କିନ୍ତୁ ପରେ ପରେ ଘଟଣା ସଂପର୍କରେ କୋତବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ଆଧାରରେ ଗଲା ଜୁନ ୨୮ ତାରିଖରେ ଏକ ମାମଲା ରୁଜୁ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ବୃଦ୍ଧା ଜଣକ ଟଙ୍କା ଜମା କରିଥିବା ବ୍ୟାଙ୍କ ଏକାଉଣ୍ଟକୁ ପୁଲିସ ଟ୍ରାକ୍ କରିଥିଲା । ବୃଦ୍ଧାଙ୍କ ଏକ ଲକ୍ଷ ୬୦ ହଜାର ଟଙ୍କା ମର୍କତନଗର ଥାନା ସିଡିଏ ସେକ୍ଟର ୯ ଅଞ୍ଚଳରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ସୋନୁ ସିଂହ ନାମକ ବ୍ୟକ୍ତିଙ୍କ ପରିଚୟରେ ଖୋଲା ଯାଇଥିବା ଜଣାପଡ଼ିଥିଲା ।

ଛତିଶଗଡ଼ ପୁଲିସ ଟିମ୍ ଗତକାଲି ମର୍କତନଗର ଥାନାରେ ପହଞ୍ଚି ଥାନା ପୁଲିସ ସହାୟତାରେ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲା । କିନ୍ତୁ ସେ ସବୁ ଜାଲ୍ ଥିବା ଜଣାପଡ଼ିବା ପରେ ଜବତ କରିଥିବା ଫଟୋରେ ଥିବା ବ୍ୟକ୍ତି ଜଣକ ଧୀରଜ ରାଓ ବୋଲି ଜଣାପଡ଼ିଥିଲା । ଧୀରଜକୁ ଗଲାକାଲି ସନ୍ଧ୍ୟାରେ ସେକ୍ଟର ୭ ଅଞ୍ଚଳରୁ ପୁଲିସ ଗିରଫ କରିଥିଲା । ତାକୁ ଜେରା କରିବା ପରେ ସ୍ୱପ୍ନ ଏବଂ ଜନ୍ମେଜୟଙ୍କୁ ସେକ୍ଟର ୬ରେ ଥିବା ଏକ ଘରୋଇ ହସ୍ପିଟାଲରୁ ଧରି ଥିଲା । ଧୀରଜ ନିକଟରୁ ଦୁଇଟି ମୋବାଇଲ୍ ଫୋନ୍ ଏବଂ ଶତାଧିକ ଏଟିଏମ୍ କାର୍ଡ ଜବତ ହୋଇଥିବା ବେଲେ ସ୍ୱପ୍ନ ଏବଂ ଜନ୍ମେଜୟ ନିକଟରୁ ଦୁଇଟି ମୋବାଇଲ୍ ଫୋନ୍ ଏବଂ ଶତାଧିକ ଏଟିଏମ୍ କାର୍ଡ ଜବତ ହୋଇଥିଲା । ହେଲେ ସେମାନେ ବ୍ୟବହାର କରୁଥିବା ସିମ୍ ବକ୍ସ ଥ ମିଳିପାରି ନାହିଁ । ପୁଲିସ ସେଗୁଡିକ ଜବତ କରିବାକୁ ଉଦ୍ୟମ ଚଳାଇଛି । ସେମାନଙ୍କୁ ଅଧିକ ଜେରା ପାଇଁ ଛତିଶଗଡ଼ ପୁଲିସ ଓଡ଼ିଶାରୁ ନେଇ ଯାଇଥିବା ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି ।

ଧୀରଜ ରାଓ ଭୁବନେଶ୍ୱରରେ ଏକ ଇଞ୍ଜିନିୟରିଂ କଲେଜରେ ପଢ଼ା ଶେଷ କରିବା ପରେ ଏହି ଗ୍ୟାଙ୍ଗ ସମ୍ପର୍କରେ ଆସିଥିଲା । ସେହିପରି ସ୍ୱପ୍ନ ସାଜିତ୍ ପ୍ରଧାନ ଟେକନିସିଆନ୍ ଏବଂ ଜନ୍ମେଜୟ ଆକାଉଣ୍ଟାଣ୍ଟ ଭାବେ ସେକ୍ଟର ୬ରେ ଏକ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ । ତା ସହିତ ବେଆଇନ ଭାବେ ଏଜେଣ୍ଟ ବ୍ୟବସାୟ ମଧ୍ୟ ଆରମ୍ଭ କରିଦେଇଥିଲେ । ଏହି ୩ ଅଭିଯୁକ୍ତ ସିଡିଏ ଅଞ୍ଚଳରେ ପୃଥକ ଭାବେ ରହୁଥିବା ବେଳେ ନିଜ ନିଜ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଉଥିଲେ ।