ଶାହିଦ ଖାକାନ ଅବାସୀ ହେବେ ପାକିସ୍ତାନର ମଧ୍ୟବର୍ତ୍ତିକାଳୀନ ପ୍ରଧାନମନ୍ତ୍ରୀ

72

କନକ ବ୍ୟୁରୋ: ପାନାମା ପେପର୍ସ ଲିକ୍ ମାମଲାରେ ସୁପ୍ରିମକୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ପାକ୍ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ କ୍ଷମତାଚ୍ୟୁତ ହେବାପରେ ତାଙ୍କ ସାନଭାଇ ସେହବାଜ ସରିଫ୍ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବେ ବୋଲି ପାକିସ୍ତାନ ମୁସଲିମ୍ ଲିଗ୍-ନଓ୍ଵାଜ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଘୋଷଣା କରାଯାଇଛି । ଏ ବାବଦରେ ଆନୁଷ୍ଠାନିକ ଘୋଷଣା ସହ ନଓ୍ଵାଜଙ୍କ ଉତ୍ତରାଧିକାରୀ ନେଇ କଳ୍ପନାଜଳ୍ପନାର ଅବସାନ ଘଟିଛି ।

ଦେଶର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦଳର ଅନ୍ୟତମ ବରିଷ୍ଠ ନେତା ଶାହିଦ ଖାକାନ ଅବାସୀ ଦାୟିତ୍ୱ ଗ୍ରହଣ କରିବେ ବୋଲି ସର୍ବସମ୍ମତ ଭାବେ ଘୋଷଣା କରାଯାଇଛି । ଏହାର ୪୫ ଦିନ ପରେ ସେହବାଜ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି । ଶେହବାଜ ଏବେ ପାକ୍ ସଂସଦର ସଦସ୍ୟ ନଥିବାରୁ ନଓ୍ଵାଜଙ୍କ ସ୍ଥାନ ନେଇପାରିବେ ନାହିଁ । ପଂଜାବ ମୁଖ୍ୟମନ୍ତ୍ରୀ ଥିବା ସେହବାଜ ଇସ୍ତଫା ଦେଇ ଉପନିର୍ବାଚନ ଲଢ଼ିବେ ଏବଂ ସାଂସଦ ନିର୍ବାଚିତ ହେବାପରେ ଯାଇ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାକୁ ସକ୍ଷମ ହେବେ ।

ପିଏମ୍ଏଲ-ଏନ୍ ବୈଠକରେ ନଓ୍ଵାଜ ସରିଫ୍ କହିଥିଲେ ଯେ ଦେଶରେ କୌଣସି ରାଜନୈତିକ ଅସ୍ଥିରତା ସୃଷ୍ଟି ହେବାକୁ ଦିଆଯିବ ନାହିଁ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସମ୍ମାନ ଦେଇ କାର୍ଯ୍ୟ କରାଯିବ। ସରକାର ଏବେ ବି ଦଳର ନିୟନ୍ତ୍ରଣରେ ରହିଛି ଏବଂ ଆଗକୁ ମଧ୍ୟ ସବୁକିଛି ସୁରୁଖୁରୁରେ ଚାଲିବ ବୋଳି ସେ କହିଛନ୍ତି । ପାକିସ୍ତାନ ତେହେରିକ୍ ଏ-ଇନସାଫ ଦଳର ନେତା ଇମ୍ରାନ ଖାନ୍ ଦୁର୍ନୀତି ପ୍ରସଙ୍ଗରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରି ନଓ୍ଵାଜଙ୍କ ଦଳକୁ ଘେରିବାକୁ ଯୋଜନା କରିଛନ୍ତି ।

ରାଜନୈତିକ ଅସ୍ଥିରତା ବଢ଼ିଲେ ପାକ୍ ସେନା ମଧ୍ୟ ଦେଶର ଶାସନ କ୍ଷମତା ନିଜ ହାତକୁ ନେଇପାରେ ବୋଲି କେତେକ ମହଲ ଅନୁମାନ କରୁଛନ୍ତି । ପାକିସ୍ତାନର ୭୦ ବର୍ଷର ଇତିହାସରେ ଅନେକ ବାର ସେନା କ୍ଷମତା ଦଖଲ କରିଥିବାରୁ ସାଂପ୍ରତିକ ପରିସ୍ଥିତି ଉପରେ ଭାରତ ସତର୍କ ନଜର ରଖିଛି ।